ଭାରତ ପାଖରେ ରହିଛି ଫିଫା ବିଶ୍ୱକପ 2026 ଖେଳିବାର ସୁବର୍ଣ୍ଣ ସୁଯୋଗ
କୋଲକାତା : ଫିଫା ବିଶ୍ଵକପରେ ଭାରତୀୟ ଫୁଟବଲ ଦଳକୁ ଦେଖିବା ପାଇଁ ଦେଶବାସୀମାନଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ତାହା ଦୀର୍ଘବର୍ଷ ହେବ ପୂରଣ ହୋଇପାରୁନାହିଁ। ମାତ୍ର ଭାରତୀୟ ଫୁଟବଲ ଦଳର ସାମ୍ପ୍ରତିକ ସ୍ଥିତି ଏବଂ ଉତ୍ଥାନ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏମିତିକି ପରବର୍ତ୍ତୀ ଫିଫା ବିଶ୍ୱକପ୍-୨୦୨୬ରେ ଭାରତ ଅଂଶଗ୍ରହଣ କରିପାରିବା ସୁଯୋଗ ରହିଛି। ଗତ ଶୁକ୍ରବାର ଭାରତୀୟ ପୁରୁଷ ଫୁଟବଲ ଦଳ ୨୦୧୮ ପରେ ପ୍ରଥମଥର ପାଇଁ ପିଫା ତାଲିକାରେ କ୍ରମାଙ୍କ ୯୯ତମ ସ୍ଥାନ ଗ୍ରହଣ କରିଛି। କିଛି ସପ୍ତାହ ତଳେ ଦଳ ୧୦୦ତମ କ୍ରମାଙ୍କରେ ରହିଥିଲା। ମାତ୍ର ନିକଟରେ ବେଙ୍ଗଲୁରୁରେ ଅନୁଷ୍ଠିତ ହୋଇଥିବା ସାଫ ଚମ୍ପିୟାନସିପରେ ବିଜୟ ଲାଭ କରି ଗୋଟିଏ ସ୍ଥାନ ଉପରକୁ ଉଠିଛି। ଭରତୀୟ ଦଳ ପୁର୍ବରୁ ୧୯୯୬ରେ ଫିଫା ରାଙ୍କିଂ(କ୍ରମାଙ୍କ)ରେ ସର୍ବଶ୍ରେଷ୍ଠ ୯୪ତମ ସ୍ଥାନ ଅଧିକାର କରିଥିଲା । ସେହିପରି ୧୯୯୩ରେ ୯୯ତମ ସ୍ଥାନ ଏବଂ ୨୦୧୭-୧୮ ରେ ୯୬ ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲା । ତେବେ ଏହି ତାଲିକାର ଶୀର୍ଷରେ ରହିଛି ବିଶ୍ୱ ବିଜେତା ଆର୍ଜେଣ୍ଟିନା । ୨୦୨୬ ଫିଫା ବିଶ୍ଵକପ ଖେଳିବ ପାଇଁ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ଆଗାମୀ ବିଶ୍ଵକପ ରେ ୩୨ଟି ଦଳ ଖେଳିବା ପରିବର୍ତ୍ତେ ୪୮ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଉଛନ୍ତି। ଯେଉଁଠି ଏସୀୟ ମହାଦେଶର ଶୀର୍ଷ ୮ ଦଳ ଏଥିରେ ଭାଗ ନେଇପାରିବେ। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କଲେ ଭାରତ ଏବେ ଏସୀୟ ଦଳ ମାନଙ୍କ ମଧ୍ୟରେ ୧୮ ନମ୍ବର ସ୍ଥାନରେ ରହିଛି। ତେବେ ଆଗକୁ ଆସୁଥିବା ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଯଥା କିଙ୍ଗସ୍ କପ୍, ମୋଡରିକ କପ୍ ଏବଂ ବିଶ୍ଵକପ କ୍ଵାଲିଫାୟର ଭଳି ପ୍ରତିଯୋଗିତାରେ ଯଦି ଦଳ ଭଲ ପ୍ରଦର୍ଶନ କରେ ତେବେ ଭାରତ ପ୍ରଥମ ଥର ପାଇଁ ଫିଫା ବିଶ୍ଵକପରେ ନିଜ ସ୍ଥାନ ପକ୍କା କରିପାରିବ ।