କେଉଁ ଅଭିନେତାଙ୍କୁ ୨୦୨୪ରେ ଟିକେଟ୍ ମିଳିବ, ବିଜେପି କାହିଁକି ଦେଉଛି ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ..ଜାଣନ୍ତୁ
ଭୁବନେଶ୍ୱର : ଭାରତୀୟ ରାଜନୀତିରେ ସିନେ ଷ୍ଟାରଙ୍କ ପ୍ରଭାବ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ପ୍ରମୁଖ ଅଭିନେତାମାନେ ରାଜନୀତିରେ ପାଦ ଥାପି ସଫଳ ହେବାର ଲକ୍ଷ୍ୟ କରାଯାଏ। ନିର୍ବାଚନୀ ରାଜନୀତିରେ ସଫଳ ହୋଇଥିବା ରାଜନେତା ଲମ୍ବା ଇନିଂସ ଖେଳିବାରେ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। କେତେକ ଅଭିନେତା ଜିତିଯିବା ପରେ ନିର୍ବାଚନମଣ୍ଡଳୀ ଭୋଟରଙ୍କ ରୋଷର ଶୀକାର ହେଉଛନ୍ତି। ଆଗାମୀ ନିର୍ବାଚନରେ ବିଜେଡି-ବିଜେପିରୁ ଏକାଧିକ ଅଭିନେତାଙ୍କୁ ଟିକେଟ୍ ଦିଆଯିବାର ସମ୍ଭାବନା ରହିଛି। ସେହିପରି ପୂର୍ବରୁ ଟିକେଟ୍ ପାଇଥିବା କେତେକ ଲୋକଙ୍କ ଟିକେଟ୍ କଟିବାର ସମ୍ଭାବନା ରହିଛି।

ବିଜେଡିରୁ ଅଭିନେତା ଅନୁଭବ ମହାନ୍ତି ଏବଂ ପ୍ରଶାନ୍ତ ନନ୍ଦ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି। କେନ୍ଦ୍ରାପଡ଼ାରୁ ଚଳିତ ଥର ଅନୁଭବଙ୍କୁ ଆଉ ଥରେ ଟିକେଟ୍ ପ୍ରଦାନ ନ କରାଯିବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ବିବାଦ ଏବଂ କେନ୍ଦ୍ରପଡ଼ା ବିଜେଡି ନେତୃତ୍ୱଙ୍କୁ ଅଣଦେଖା ତାଙ୍କ ପାଇଁ କାଳ ହେବାକୁ ଯାଉଛି। ସେହିପରି ମାସ କେଇଟା ପରେ ପ୍ରଶାନ୍ତ ନନ୍ଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହା ପରେ ତାଙ୍କୁ ପୁନର୍ବାର ରାଜ୍ୟସଭା ପଠାଯିବାର ସମ୍ଭାବନା ଦେଖାଯାଉନାହିଁ। ପୂର୍ବାପେକ୍ଷା ନିଷ୍କ୍ରିୟ, ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା, ତାଙ୍କ ପୁତ୍ର ବିଜେପିକୁ ଯିବା ପରେ ସେ ଦଳରେ ଏକ ପ୍ରକାର ଅଣଦେଖା ହୋଇ ରହୁଛନ୍ତି। ମାତ୍ର ଦୁଇଥର ବ୍ରହ୍ମପୁରରୁ ଏମପି ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ରାଜନୈତିକ ଇନିଂସ ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି। ପାଞ୍ଚବର୍ଷର ବିରତି ପରେ ମୁନା ଭାଇ ପୁଣି ମଇଦାନକୁ ଓହ୍ଲାଇପାରନ୍ତି। ତାଙ୍କ ପାଇଁ ଏକାଧିକ ଆସନ ଲବିରେ ରହିଥିବା ଜଣାପଡିଛି। ବ୍ରହ୍ମପୁର ଲୋକସଭା, ଗୋପାଳପୁର ଏବଂ ଚିଲିକା ବିଧାନସଭା ମଧ୍ୟରୁ ଯେ କୌଣସି ସ୍ଥାନରେ ସେ ପ୍ରାର୍ଥୀ ହୋଇପାରନ୍ତି। ଯଦି ସମ୍ଭବ ହୁଏ, ଭୁବନେଶ୍ୱର ମଧ୍ୟମ ନିର୍ବାଚନମଣ୍ଡଳୀ ପାଇଁ ତାଙ୍କ ନାଁ ବିଚାର କରାଯାଇପାରେ। ଅନୁରୂପ ଭାବେ ମୁନା ଖାଁ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ରହିଛନ୍ତି। ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ତଥା ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ଦଳର ପ୍ରଚାର ପାଇଁ ତାଙ୍କୁ ବ୍ୟବହାର କରାଯାଇପାରେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡିରୁ ଅରିନ୍ଦମ ଦାସ ଏବଂ ଆକାଶ ଦାସ ନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ନାଁ ଯାଜପୁର ଜିଲ୍ଲାର କୋରେଇ ଆସନ ପାଇଁ ଚର୍ଚ୍ଚା ହେଉଛି। ମାତ୍ର ଅରିନ୍ଦମ କିଛି ଦିନର ବିଶ୍ରାମ ପରେ ପୁଣି ରୂପେଲି ପରଦାକୁ ଫେରିଛନ୍ତି। ସେହିପରି ଆକାଶ ମୋ ସ୍କୁଲ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଛନ୍ତି। ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଖବରରେ ରହୁଛନ୍ତି। ସେ ଶାସଦ ଦଳ ବିଜେଡିରୁ କଟକ ଲୋକସଭା, ଚୌଦାର ବିଧାନସଭା ଏବଂ କେନ୍ଦ୍ରାପଡ଼ା ଲୋକସଭା ପାଇଁ ଅନ୍ୟତମ ଦାବିଦାର ବୋଲି ଜଣାପଡିଛି।

ବିଜେପି କଥା ଯଦି ବିଚାର କରାଯାଏ, ତେବେ ଅଭିନେତା ଅପେକ୍ଷା ଅଭିନେତ୍ରୀମାନଙ୍କ ପ୍ରାଧାନ୍ୟ ଟିକେ ଅଧିକ ଦେଖିବାକୁ ମିଳିଥାଏ। ଗତଥର ପିଙ୍କି ପ୍ରଧାନ, ଅପରାଜିତା ମହାନ୍ତିଙ୍କୁ ଟିକେଟ୍ ମିଳିଥିଲା। ପୁରୀ ବିଧାନସଭା ପାଇଁ ମହାଶ୍ୱେତା ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା। ଶ୍ରୀତମ ଦାସଙ୍କୁ କଟକ ପାଇଁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଚଳିତଥର ଫିଙ୍କି ପ୍ରଧାନଙ୍କୁ ଟିକେଟ୍ ମିଳିବ ସୁନିଶ୍ଚିତ। ମହାଶ୍ୱେତା ରାୟ ଏବଂ ଅନୁ ଚୌଧୁରୀଙ୍କୁ ଟିକେଟ୍ ଦେବା ପାଇଁ ଦଳ ମଧ୍ୟରେ ଆଲୋଚନା ହେଉଛି। ସେହିପରି ଯଦି ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଲୋକସଭା ଛାଡ଼ି ଜଟଣୀ କିମ୍ବା ବେଗୁନିଆରୁ ପ୍ରାର୍ଥୀ ହୁଅନ୍ତି, ତେବେ ଅନୁଙ୍କୁ ଲୋକସଭା ଲଢାଯାଇପାରେ ବୋଲି କୁହାଯାଉଛି।

