ଗତ ଏକ ବର୍ଷ ମଧ୍ୟରେ ଏତିକି ପ୍ରତିଶତ ଭାରତୀୟ ମେଡ୍ ଇନ୍ ଚାଇନା ସାମଗ୍ରୀ ବ୍ୟବହାର କରିଛନ୍ତି , କ’ଣ କହୁଛି ରିପୋର୍ଟ ଜାଣନ୍ତୁ …

ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାରତ ସରକାର ମେକ୍ ଇନ୍ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଏହା ପରେ ମଧ୍ୟ ଦେଶର ବଜାରରେ ଚାଇନା ସାମଗ୍ରୀର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ଏକ ରିପୋର୍ଟ ରୁ ଜଣାପଡିଛି ଯେ ଅଧାରୁ ଅଧିକ ଭାରତୀୟ ଗତ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବରେ କିଛି ମେଡ୍ ଇନ୍ ଚାଇନା ସାମଗ୍ରୀ କିଣିଛନ୍ତି ।
ମେଡ୍ ଇନ୍ ଚାଇନା ସାମଗ୍ରୀ ଏବଂ ଏହାର ବ୍ୟବହାର କୁ ନେଇ ଲୋକାଲ ସର୍କଲ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ଗୋଟିଏ ଭଲ କଥା ସାମ୍ନାକୁ ଆସିଛି ଯେ ଚୀନ୍ ସହ ସୀମା ବିବାଦ ଭାରତୀୟଙ୍କ ଧାରଣାକୁ ପ୍ରଭାବିତ କରିଛି। ଗତ ୧୨ ମାସ ମଧ୍ୟରେ ଅନେକ ଲୋକ ଚାଇନା ସାମଗ୍ରୀଠାରୁ ନିଜକୁ ଦୂରେଇ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, ୪୫ ପ୍ରତିଶତ ଭାରତୀୟ ଗତ ଏକ ବର୍ଷ ମଧ୍ୟରେ କୌଣସି ମେଡ୍ ଇନ୍ ଚାଇନା ସାମଗ୍ରୀ କିଣି ନାହାନ୍ତି।
ଯଦି ଆପଣ ଭାରତୀୟମାନେ କିଣୁଥିବା ମେଡ୍ ଇନ୍ ଚାଇନା ପ୍ରଡକ୍ଟଉପରେ ନଜର ପକାନ୍ତି ତେବେ ଏଥିରେ ଇଲେକ୍ଟ୍ରୋନିକ ଏବଂ ମୋବାଇଲ ଆସେସରିଜ୍ ଶୀର୍ଷରେ ରହିଛି। ଲୋକାଲ ସର୍କଲରେ କରାଯାଇଥିବା ସର୍ଭେରେ ୫୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଗତ ୧୨ ମାସ ମଧ୍ୟରେ ମେଡ୍ ଇନ୍ ଚାଇନା ଗ୍ୟାଜେଟ୍ ଅର୍ଥାତ୍ ସ୍ମାର୍ଟଫୋନ୍, ସ୍ମାର୍ଟ ୱାଚ୍, ପାୱାର ବ୍ୟାଙ୍କ ଭଳି ସାମଗ୍ରୀ କିଣିଛନ୍ତି। ସେହିପରି ୪୯% ଲୋକ ଚାଇନାରେ ନିର୍ମିତ ୱାଟର ଗନ୍, ଫେଷ୍ଟିଭାଲ ଲାଇଟିଂ, ଦୀପ, ମହମବତୀ ଭଳି ସାମଗ୍ରୀ କିଣିଛନ୍ତି
ସର୍ଭେରେ ୩୩ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଗତ ଏକ ବର୍ଷ ମଧ୍ୟରେ ଚୀନରେ ନିର୍ମିତ ଖେଳନା ଏବଂ ଷ୍ଟେସନାରୀ ସାମଗ୍ରୀ କିଣିଛନ୍ତି। ସେହିପରି ୨୯ ପ୍ରତିଶତ ଲୋକ ଉପହାର ସାମଗ୍ରୀ କିଣିଛନ୍ତି, ଟେଲିଭିଜନ, ଏୟାର ପ୍ୟୁରିଫାୟର, ଜୀନିଷ ଆଦି ୨୬ ପ୍ରତିଶତ ଲୋକ କିଣିଛନ୍ତି । ତେବେ ଅନ୍ୟ ୨୬ ପ୍ରତିଶତ ଲୋକ ଆଲୋକ ଓ ଆସବାବପତ୍ର ଭଳି ଘରୋଇ ଉପକରଣ କିଣିଥିବା ସ୍ୱୀକାର କରିଛନ୍ତି। ଏହି ସମୟ ମଧ୍ୟରେ ୧୫ ପ୍ରତିଶତ ଲୋକ ମେଡ୍ ଇନ୍ ଚାଇନା ଫ୍ୟାସନ୍ ପ୍ରଡକ୍ଟ ଉପରେ ଟଙ୍କା ଖର୍ଚ୍ଚ କରିଥିବା କହିଥିବା ବେଳେ ଆଉ ୧୫ ପ୍ରତିଶତ ଅନ୍ୟନ୍ୟ ସାମଗ୍ରୀ ଉପରେ ଖର୍ଚ୍ଚ କରିବା କଥା କହିଛନ୍ତି।
ରିପୋର୍ଟ ଅନୁଯାୟୀ, ୬୩ ପ୍ରତିଶତ ଭାରତୀୟ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ମେଡ୍ ଇନ୍ ଚାଇନା ସାମଗ୍ରୀଠାରୁ ଦୂରେଇ ରହିବା କଥା କହିଛନ୍ତି। ସେମାନେ କହିଛନ୍ତି ଯେ ସେମାନେ ମେଡ୍ ଇନ୍ ଚାଇନା ସାମଗ୍ରୀ କ୍ରୟ ହ୍ରାସ କରିଛନ୍ତି। ୧୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଚାଇନା ସାମଗ୍ରୀର ଏକ ଭାରତୀୟ ବିକଳ୍ପ ପାଇଛନ୍ତି, ଯାହା ଶସ୍ତା ଏବଂ ଗୁଣବତ୍ତାରେ ଉନ୍ନତ ।ତେବେ ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ ଚୀନ – ଭାରତ ସୀମା ବିବାଦ ପରେ ଭାରତୀୟ ବଜାରରେ ଚାଇନା ଜୀନିଷ ଉପରେ ପ୍ରତିବନ୍ଧ ଲାଗିଛି ।