ଏଥର ଜମିବ ପୂଜା ବେପାର, ଖର୍ଚ୍ଚ ହେବ ଏତିକି ଟଙ୍କା…

ମୁମ୍ବାଇ : ସରିଛି ବିଶ୍ୱକର୍ମା ପୂଜା ଓ ଗଣେଷ ପୂଜା। ଆଗକୁ ଆସୁଛି ଶାରଦୀୟ ମହାପର୍ବ ଦୁର୍ଗା ପୂଜା। ତା ପରେ ଗଜଲକ୍ଷ୍ମୀ ପୂଜା। ପୁଣି ଆସିବ କିଛିଦିନର ବ୍ୟବଧାନ ପରେ ସରସ୍ୱତୀ ପୂଜା। ହେଲେ ଦଶହରା ପୂଜାର ମଜା ନିଆରା। ଏହି ସମୟରେ ବୁଲାବୁଲି ସାଙ୍ଗକୁ ସବୁ ଜିନିଷର ବିକ୍ରି ବଢିଥାଏ। ବହୁ ସାମଗ୍ରୀର କାରବାର ଆକାଶଛୁଆଁ ହୋଇଥାଏ। ତେଣୁ ଆସୁଥିବା ପାର୍ବଣ ଋତୁରେ ଗ୍ରାହକମାନେ ପୋଷାକପତ୍ରଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍, ଗାଡ଼ି କିଣିବେ। କରୋନା ପରେ ଲଗାତର ଦୁଇ ବର୍ଷ ଏହା ବୃଦ୍ଧି ପାଇବାରେ ଲାଗିଛି।

ଜାତୀୟ ସ୍ତରରେ କେତେ ଖର୍ଚ୍ଚ ହେବ, ସେ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଦି ଟ୍ରେଡ୍ ଡେସ୍କ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରାୟ ୭୦ ପ୍ରତିଶତ ଲୋକ ଚଳିତ ବର୍ଷ ପୂଜାରେ ଅଧିକ ଖର୍ଚ୍ଚ କରିବା ସପକ୍ଷରେ ଅଛନ୍ତି। ଯାହା ପୂର୍ବ ବର୍ଷର ସଂଖ୍ୟା ଅପେକ୍ଷା ୩୫ ପ୍ରତିଶତ ଅଧିକ ରହିଛି। ଅନୁରୂପ ଭାବେ ଡେଲଏଟ୍ର ଏକ ରିପୋର୍ଟ ଅନୁସାରେ ଗତବର୍ଷ ପାର୍ବଣରେ ଲୋକମାନେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ଚଳିତ ବର୍ଷ ପୂଜାରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କିଣାବିକା ହେବ ବୋଲି ଆକଳନ କରାଯାଇଛି। ଏହା ବଢିବ ସିନା କମିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ ଲାଇନ୍ କାରବାରରେ ଏକ ବୃହତ ରାଶି ନେଣଦେଣ ହେବ ବୋଲି ଜଣାପଡିଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୮୪% କହିଛନ୍ତି ଯେ, ସେମାନେ ପୂଜା ଋତୁରେ ବିଳାସପୂର୍ଣ୍ଣ ସାମଗ୍ରୀ ଓ ପୋଷାକ କିଣିବେ। ୮୦ ପ୍ରତିଶତ ଲୋକ ସୁନା ଓ ଗହଣାରେ ନିବେଶ କରିବେ। ୬୮ ପ୍ରତିଶତ ଲୋକ ପୋଷାକପତ୍ର କିଣିବା ବେଳେ ବ୍ରାଣ୍ଡ୍ ଉପରେ ଧ୍ୟାନ ଦେବେ। ଯୁବବର୍ଗ୨୭-୪୨ ବର୍ଷ ବୟସର ଲୋକମାନେ ଘର କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।