ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ରଥାରୁଢ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ; ବଡ଼ଭାଇ ଓ ଭଉଣୀଙ୍କ ସହିତ ନଅଦିନିଆ ରଥଯାତ୍ରାରେ ବାହାରିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଧବାଟରେ ଅଟକିଥିଲା। କେବଳ ପ୍ରଭୁ ବଳଦେବଙ୍କ ରଥ ‘ତାଳଧ୍ବଜ’ ଶରଧାବାଲିରେ ଗତକାଲି ପହଞ୍ଚିଯାଇଥିଲା। ଏଣୁ ଆଜି ସକାଳ ୯ଟାରେ ବାଟରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟଣାଯାଇ ଶରଧାବାଲିରେ ଲଗାଇଛନ୍ତି ଶ୍ରଦ୍ଧାଳୁ। ସୁଭଦ୍ରାଙ୍କ ଦର୍ପଦଳନ ବଡ଼ଶଂଖ ନିକଟରେ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ବଳଗଣ୍ଡି ମାଉସୀ ମାଆ ଛକ ନିକଟରେ କାଲିଠୁ ଅଟକି ରହିଥିଲାଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚତୁର୍ଦ୍ଧାମୂର୍ତ୍ତି ଶରଧାବାଲିରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ। କେବଳ ଆଜି ନୁହେଁ କାଲି ଅର୍ଥାତ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ରଥାରୁଢ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏହାପରେ ଅନୁଷ୍ଠିତ ହେବ ଠାକୁରଙ୍କ ଆଡ଼ପ ପହଣ୍ଡି । ଗୋଟି ପହଣ୍ଡିରେ ବିଜେ ହୋଇ ଆଡପମଣ୍ଡପକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଆଉ ଏହା ପରଠାରୁ ଜନ୍ମବେଦୀରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା ।ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ।