ନବୀନଙ୍କ ପାଇଁ ଲବି କରିବେ ଏହି ତିନୋଟି ସଂସ୍ଥାର ମୁଖ୍ୟ, ଆଗୁଆ ନିର୍ବାଚନ ପାଇଁ ସହମତି ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଥମେ ଓଡ଼ିଶା ପତ୍ରିକାରେ ସ୍ଥାନ ପାଇଥିଲା। ଏହା ପରେ ଅନ୍ୟାନ୍ୟ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଭଳି କୌଣସି ସୂଚନା ଦିଆଯାଉନାହିଁ। ହେଲେ ସ୍ୱାଧିନତା ଦିବସ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୧୬ ରୁ ୧୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ, ମିଜୋରମ୍ , ତେଲେଙ୍ଗାନା ଏବଂ ରାଜସ୍ଥାନ ସହ ବିଧାନସଭା ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି। ଗତ ଥର ତେଲେଙ୍ଗାନୀ ଆଗୁଆ ନିର୍ବାଚନ ପାଇଁ ବିଧାନସଭା ଭଙ୍ଗ କରିଥିଲା। ସେ ସମୟରେ କେନ୍ଦ୍ରର ସମ୍ମତି ମଧ୍ୟ ଥିଲା।
ବିଜେଡି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଆରଏସ୍ ବିଜେପିକୁ ସିଧାସଳଖ ବିରୋଧ କରୁଛି। ପ୍ରାୟ ସବୁ ବିଲ୍ ରେ ବିରୋଧ କରୁଛି। ମୋଦିଙ୍କ ହାଇଦ୍ରାବାଦ ଗସ୍ତ ବେଳେ କେସିଆର ଅନୁପସ୍ଥିତ ରହୁଛନ୍ତି। ଅପରପକ୍ଷରେ ବିଜେଡି କେନ୍ଦ୍ରକୁ କୌଣସି କଥାରେ ବିରୋଧ କରୁନାହିଁ। ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ ରାଜଶ୍ରୀ ମଲ୍ଲିକ ବିଜେପି ନେତା ନିଶିକାନ୍ତ ଦୁବେ ଏବଂ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ସରକାରଙ୍କ ଭଲ ପକ୍ଷ ନେଲେ। ସେହିପରି ସସ୍ମିତ ପାତ୍ରଙ୍କ ଏକ ଅଭିଯୋଗ ଆପ୍ ନେତା ରାଘବ ଚଢାଙ୍କ ନିଲମ୍ବନ ହୋଇଗଲା। ତେଣୁ ଏହାର ପ୍ରତିଦାନ ସ୍ୱରୂପ କେନ୍ଦ୍ର ବିଜେପି ଆଗୁଆ ବିଧାନସଭା ନିର୍ବାଚନ ନେଇ ରାଜି ହେଉ ବୋଲି ବିଜେଡି ଆଶା କରୁଛି।
ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସହ ଆଉ ଏକ କର୍ପୋରେଟ ଲବି ରହୁଛି। ଯାହା ନବୀନଙ୍କ ଦାବିକୁ ଆହୁରି ସୁଦୃଢ କରିବ। ତିନୋଟି ଶିଳ୍ପ ସଂସ୍ଥା –ଯେଉଁମାନେ ଯଥାକ୍ରମେ ଭଦ୍ରକ ଜିଲ୍ଲାର ଧାମରା , ଜଗତସିଂହପୁରର ଢିଙ୍କିଆ ଏବଂ କଳାହାଣ୍ଡି ଓ ଝାରସୁଗୁଡ଼ାରେ ଥିବା ଶିଳ୍ପ ସଂସ୍ଥାର ଶୀର୍ଷ ବ୍ୟକ୍ତିତ୍ୱ ପିଏମଓକୁ ପ୍ରସ୍ତାବ ଦେବେ। ସେହିପରି ଓଡ଼ିଶାରେ ସକ୍ରିୟ ଥିବା ଜଣେ ଖଣି ବ୍ୟବସାୟୀ ମଧ୍ୟ ନିଜସ୍ୱ ଶୃଙ୍ଖଳରେ ନିର୍ବାଚନ ଆଗୁଆ ପାଇଁ ମତ ରଖିବେ। ତେଣୁ ଏହି ସବୁ ଲବି ଥିବାରୁ ନବୀନ ମୋଦିଙ୍କୁ ମନାଇ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।