ପୁଣି ଆରମ୍ଭ ହେଲା ଡବ୍ଲୁଏଫ୍‌ଆଇ ଅଧ୍ୟକ୍ଷଙ୍କ ବିରୋଧରେ ପ୍ରତିବାଦ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ‌’ରେ ‘ଏଫ୍‌ଆଇଆର୍‌’ ଦାବି କରିଛନ୍ତି । ଆଜି ବିନେଶ ଫୋଗଟ୍‌, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବିଶିଷ୍ଟ କୁସ୍ତି ଖେଳାଳିମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ଏବଂ ଅନ୍ୟ ପ୍ରଶିକ୍ଷକମାନଙ୍କ ନାଁ‌’ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ରବିବାର ଦିନ ଖେଳାଳି ମାନେ ଦିଲ୍ଲୀର ଯନ୍ତର ମନ୍ତରରେ ପୁଣି ପ୍ରତିବାଦ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେପଟେ, ଦିଲ୍ଲୀ ପୁଲିସ ମଧ୍ୟ ଏହି ଅଭିଯୋଗର ତଦନ୍ତ ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟଦ୍ବାରା ଗଠିତ ତଦନ୍ତକାରୀ କମିଟିର ରିପୋର୍ଟ ମାଗିଛି ବୋଲି ପଦସ୍ଥ ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟଙ୍କ ନାମରେ ସମୁଦାୟ ୭ଟି ଅଭିଯୋଗ ମିଳିଥିଲା।କୁସ୍ତି ଖେଳାଳିମାନଙ୍କ ସହିତ ଆଲୋଚନା କରିବା ପରେ ଜାନୁଆରି ମାସରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟଦ୍ବାରା ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ମେରି କମ୍‌ଙ୍କ ନେତୃତ୍ବରେ ଏଥିପାଇଁ ୫ଜଣିଆ ସଦସ୍ୟବିଶିଷ୍ଟ ପର୍ଯ୍ୟବେକ୍ଷକ କମିଟି ଗଠନ କରାଯାଇଥିଲା। ‘ଡବ୍ଲୁଏଫ୍‌ଆଇ’ର ଦୈନନ୍ଦିନ କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ କରିବା କାର୍ଯ୍ୟ ଏବଂ ଅପରାଧିକ ଇତିହାସ ଥିବା ‘ବିଜେପି’ ନେତା ତଥା କୁସ୍ତି ଖେଳାଳି ବ୍ରଜଭୂଷଣଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଦାୟିତ୍ବ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *