ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛି TPCODL, ବିଦ୍ୟୁତ ବିଭ୍ରାଟ ପାଇଁ ୭୨ ଘଣ୍ଟାରୁ ଉର୍ଦ୍ଧ୍ୱ ରୋଗୀ ହନ୍ତସନ୍ତ

ଭୁବନେଶ୍ୱର – ଠାକୁର ଘରେ କିଏ ନା-ମୁଁ କଦଳୀ ଖାଇନି। ଏହି ରୂଢି ଦୀର୍ଘଦିନ ଧରି ଆମେ ବ୍ୟବହାର କରି ଆସୁଛେ। ଏହି ଢଗଟି ବର୍ତ୍ତମାନ ପରିସ୍ଥିତିରେ ଉପକୂଳ ଓଡ଼ିଶାରେ ବିଦ୍ୟୁତ ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେଇଥିବା TPCODL ପାଇଁ ପ୍ରଯୁଜ୍ୟ। କେହି ଦୋଷ ଦେବା ଆଗରୁ TPCODL ନିଜ ଆଡୁ ଦୋଷ ଛଡାଇବା ପାଇଁ ଉଦ୍ୟମ କରୁଛି। କଟକ ବଡ଼ ମେଡିକାଲରେ ଉପରେ ରାଜ୍ୟର ସବୁ ପ୍ରାନ୍ତର ଲୋକ ନିର୍ଭର କରିଥାଆନ୍ତି। ଏଠାରେ ଚବିଶି ଘଣ୍ଟିଆ ଅନବରତ ବିଜୁଳି ସେବା ଯୋଗାଇ ଦେବା କଥା। ମାତ୍ର ଦୁଇଦିନ ପୂର୍ବରୁ  ନିଦାନ ସମେତ ବିଭିନ୍ନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ଏହି ଅସୁବିଧା ପ୍ରାୟ ଅଢେଇ ଦିନ ଚାଲିବା ପରେ ଟିପିସିଓଡିଲ୍ ଏକ ଟୁଇଟ୍ କଲା।  ଏହି ଟୁଇଟ୍ ନିମ୍ନରେ ପ୍ରଦାନ କରାଯାଇଛି।

          କେହି ଦୋଷ ଦେବା ଆଗରୁ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଏସସିବି ମେଡିକାଲ କଲେଜ ଟିପିସିଓଡିଏଲ୍ ଏଚଟି ଉପଭୋକ୍ତା ବୋଲି ଉଲ୍ଲେଖ କରିବା ସହ ଏହାର ଆଭ୍ୟନ୍ତରୀଣ ରକ୍ଷଣାବେକ୍ଷଣ  Internal ବୋଲି ଉଲ୍ଲେଖ କରିଥିଲା।  ଏପରି ଟୁଇଟ୍ କୁ ନେଇ ସରକାରୀ ସ୍ତରରେ କ୍ଷୋଭ ପ୍ରକାଶ ପାଇଥିବା ଜଣାପଡିଛି। ସାମାଜିକ ଗଣମାଧ୍ୟମ ପରିଚାଳନା ନେଇ ଆଗାମୀ ଦିନରେ ଟିପିସିଓଡିଏଲ୍ ସିଇଓଙ୍କୁ ମୌଖିକ କୈଫତ ମଗାଯାଇ ପାରେ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଶନିବାର ନିଦାନ ବିଭାଗରେ ପ୍ରାୟ ୬ଘଣ୍ଟା ହେଲାଣି ବିଦ୍ୟୁତ ନ ଥିଲା।  ରକ୍ତ ପରୀକ୍ଷା ଓ ସିଟି ସ୍କାନ ବନ୍ଦ ରହିଛି। ଏହାଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି। ଏହାର ଦିନକ ପୂର୍ବରୁ  କଟକ ବଡ଼ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ୍‌ ଯୋଗୁଁ ବିଭିନ୍ନ ବିଭାଗ ଘଣ୍ଟାଘଣ୍ଟା ଧରି ଅନ୍ଧାର ରହିଥିଲା। ମେଡ଼ିସିନ୍‌ ବିଭାଗରେ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ୍‌ ଦିଆଯାଇଥିଲା। ଶବ ସଂରକ୍ଷଣ ଗୃହରେ ଲାଇନ୍‌ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫା‌ଟି ପଡ଼ିଥିଲା। କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ଏହାସତ୍ତ୍ବେ ୱାର୍ଡରେ ପଙ୍ଖା ନ ଚାଲିବାରୁ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଏପରି କି, ପମ୍ପ ହାଉସ୍‌ରେ ଲାଇନ୍‌ ନ ଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡକୁ ଜଳଯୋଗାଣ ହୋଇପାରି ନ ଥିଲା। କେବୁଲ୍‌ ସମସ୍ୟା ଯୋଗୁଁ  ସକାଳ ୭ଟାରୁ ଏସ୍‌ସିବି ଆନାଟୋମି ବିଭାଗ, ଶବ ସଂରକ୍ଷଣ ଗୃହ, ଶବ ବ୍ୟବଚ୍ଛେଦ ଗୃହ, ସ୍କିନ୍ ବିଭାଗ, ମେଡ଼ିସିନ୍‌ ବିଭାଗର କିଛି ଅଂଶ, ମେରୁଦଣ୍ଡ ଆଘାତ କେନ୍ଦ୍ର, ପମ୍ପ ହାଉସ୍‌, ଲଣ୍ଡ୍ରି ପ୍ଲାଣ୍ଟ ଆଦିରେ ବିଦ୍ୟୁତ୍‌ ସେବାରେ ଏଭଳି ବିଭ୍ରାଟ ଦେଖା ଦେଇଥିବା ଜଣାଯାଇଥିଲା। ଫଳରେ ଚିକିତ୍ସା ପ୍ରଭାବିତ ହୋଇଥିଲା ବେଳେ ୱାର୍ଡରେ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ପରେ ଡିଜି ଯୋଗେ ଲାଇନ ଦିଆଯାଇଥିଲେ ମଧ୍ୟ ପଙ୍ଖା ଚାଲି ନ ଥିଲା। ସେହିପରି ଏସ୍‌ସିବିର ଓଟି ଓ ଆଇସିୟୁରେ ଏସି ଠିକ୍‌ ଭାବେ କାମ କରୁ ନ ଥିବା ଏବଂ ଅନେକ ଏସି ଅଚଳ ହୋଇ ବହୁ ସମୟ ପଡି ରହିଥିଲା।

Leave a Reply

Your email address will not be published. Required fields are marked *