ପରିବେଶ ଅନୁକୂଳ ଧୂପକାଠି ତିଆରି କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍

ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ

ବ୍ରହ୍ମପୁର, ଅଗଷ୍ଟ: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ଧୂପକାଠି ତିଆରି କେନ୍ଦ୍ର ଉଦଘାଟିତ ହୋଇଛି। ଏହାର ନାମ ମଙ୍ଗଳମ୍ ଧୂପକାଠି ସେଣ୍ଟର । ଗ୍ରାମାଞ୍ଚଳ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ତଥା ସେମାନଙ୍କ ସାମାଜିକ ଓ ଆର୍ଥିକ ଜୀବନକୁ ସଶକ୍ତ କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସହଭାଗିତାରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପରିବେଶ ଅନୁକୂଳ ଧୂପକାଠି ପ୍ରସ୍ତୁତ କରିବେ ।



ଏହି ଉଦଘାଟନୀ ଉତ୍ସବରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ରଙ୍ଗେଇଲୁଣ୍ଡା ବ୍ଲକ୍ ରଣ୍ଢା, ଗୋଲନ୍ଥରା, କନିଷି, ଚିକରଡ଼ା, ଶାସନପଦର ଓ କୋଠାରସିଙ୍ଗି ପଞ୍ଚାୟତର ମହିଳାମାନେ ଏହି କେନ୍ଦ୍ରରେ କାର୍ଯ୍ୟ କରିପାରିବେ ଓ ଉପକୃତ ହେବେ ।



ମହିଳାମାନେ ସ୍ଥାନୀୟ ମନ୍ଦିରଗୁଡ଼ିକରୁ ବ୍ୟବହୃତ ଫୁଲକୁ ସଂଗ୍ରହ କରି ଏହାକୁ ପୁନଃବ୍ୟବହାର କରି ସୁଗନ୍ଧଯୁକ୍ତ ଧୂପକାଠି ପ୍ରସ୍ତୁତ କରିବେ । ପରିବେଶ ଅନୁକୂଳ ଧୂପକାଠି ପ୍ରସ୍ତୁତ ନେଇ କମ୍ପାନୀ ମହିଳାମାନଙ୍କୁ ସବିଶେଷ ତାଲିମ ପ୍ରଦାନ କରିଛି । ଉନ୍ନତ ମାନର ଧୂପକାଠି ପ୍ରସ୍ତୁତକୁ ପ୍ରାଧ୍ୟାନ୍ୟ ଦିଆଯାଉଛି । ସେହିଭଳି ଧୂପକାଠି କେନ୍ଦ୍ରରେ ଥିବା ଯନ୍ତ୍ରପାତି ଚଳାଇବା ନେଇ ମହିଳାମାନେ ପ୍ରଶିକ୍ଷଣ ନେଉଛନ୍ତି । ଏହାସହ ଧୂପକାଠି ତିଆରି କେନ୍ଦ୍ର ଚଳାଇବା ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ତଥା ଉପକରଣ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଛି । ବର୍ଜ୍ୟ ବସ୍ତୁ ପରିଚାଳନା ତଥା ପୁନଃବ୍ୟବହାର ପଦ୍ଧତିରେ ଧୂପକାଠି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରି ଟିପିଏସ୍ଓଡିଏଲ୍ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ରହିଥିବା ନିଜର ପ୍ରତିବଦ୍ଧତାକୁ ପ୍ରମାଣ କରିଛି ।



ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ନୂଆ ନୂଆ ସୁଯୋଗ ସୃଷ୍ଟି କରି ଉପଭୋକ୍ତା ସଂପ୍ରଦାୟଙ୍କୁ ସଶକ୍ତ କରିବା ନେଇ ଟିପିଏସ୍ଓଡିଏଲ୍ ନିଜର ପ୍ରୟାସ ଜାରି ରଖିଛି। ବିଶେଷ କରି ମହିଳାମାନଙ୍କର ସାମଗ୍ରିକ ବିକାଶ ସମେତ ଗ୍ରାମାଞ୍ଚଳର ସାମାଜିକ ତଥା ଆର୍ଥିକ ଜୀବନରେ ପ୍ରଗତିକୁ କେନ୍ଦ୍ରରେ ରଖି କମ୍ପାନୀ ପକ୍ଷରୁ ଏହି ସବୁ ଉଦ୍ୟମ କରାଯାଉଛି।  ଏହି ଧୂପକାଠି କେନ୍ଦ୍ର ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବା ସହ ପରିବେଶ ଅନୁକୂଳ ବାତାବରଣକୁ ପ୍ରୋତ୍ସାହିତ କରିବ। “



ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜନୈକ ସଦସ୍ୟା ଗୀତାଞ୍ଜଳି ପ୍ରଧାନ କହିଛନ୍ତି, “ଏହି କେନ୍ଦ୍ରରେ ତାଲିମ ନେଇ କାମ କରିବାର ସୁଯୋଗ ପାଇଥିବାରୁ ମୁଁ  ବହୁତ ଖୁସି । ଆଗାମୀ ଦିନରେ ଆମେ ଆତ୍ମନିର୍ଭରଶୀଳ ହେବୁ ଓ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିବୁ।“

Leave a Reply

Your email address will not be published. Required fields are marked *