ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା; ୫ ମୃତ ୨୫ରୁ ଅଧିକ ଆହତ

ପଶ୍ଚିମବଙ୍ଗରେ ଘଟିଛି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲଗାଡ଼ି। ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨୫ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି ।
କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ ବାହାରିଥିବା ବେଳେ  ଦାର୍ଜିଲିଂ ନିକଟରେ ପଛରୁ ଏକ ମାଲଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଉପରକୁ ଉଠିଯାଇଥିଲା କାଞ୍ଚନଜଙ୍ଗା ଏକ୍ସେପ୍ରେସର ବଗି। ପଛରେ ଥିବା ବଗିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍। ଘଟଣାସ୍ଥଳରେ ଉଦ୍ଧାରକାରୀ, ମେଡିକାଲ୍ ଟିମ୍, ପୋଲିସ, ଅଗ୍ନିଶମ ବାହିନୀ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି ।
ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ଦାର୍ଜିଲିଂ ଜିଲାର ଫାନସିଦଓ୍ବୋ ଅଞ୍ଚଳରେ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ଖବର ଶୁଣି ମୁଁ ସ୍ତବ୍ଧ ହୋଇଗଲି। ସହାୟତା ପାଇଁ ଘଟଣାସ୍ଥଳରେ ଡିଏମ୍‌, ଏସ୍‌ପି, ଡାକ୍ତର, ଆମ୍ବୁଲାନ୍ସ ଏବଂ ବିପର୍ଯ୍ୟୟ ଦଳକୁ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *