ୱାଟ୍ସଆପ୍ ପରି ଟ୍ବିଟରରେ ମିଳିବ ଭିଡିଓ ଓ ଅଡିଓ କଲିଂ ସୁବିଧା

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବା ନେଇ ମସ୍କ କହିଛନ୍ତି । ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ହ୍ବାଟସ୍‌ଆପ୍‌ରେ କଲ୍ କରୁଥିବା ଭଳି ଟ୍ବିଟର୍‌ ଆପ୍‌ରେ ଭଏସ୍ ଓ ଭିଡିଓ କଲ୍ କରିପାରି‌ବେ। ବ୍ୟବହାରକାରୀମାନେ ନିଜ ହାଣ୍ଡେଲ୍‌ରେ ସେହି ସୁବିଧା ପାଇପାରିବେ। ଏହି ସୁବିଧା ଉପଲବ୍ଧ ହେବା ପରେ ଟ୍ବିଟର ବ୍ୟବହାରକାରୀମାନେ ନିଜ ନମ୍ବର କାହାକୁ ନଦେଇ ବିଶ୍ବର ଯେକୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବେ। ‌ତେବେ ସେହି କଲ୍ ଏନ୍‌କ୍ରିପ୍ଟେଡ୍‌ ହେବ ନା ନାହିଁ ତାହା ମସ୍କ ସ୍ପଷ୍ଟ କରିନାହାନ୍ତି।

ଆସନ୍ତାକାଲିଠାରୁ ଟ୍ବିଟର୍‌ରେ ଏନ୍‌କ୍ରିପ୍‌ସନ୍ ମେସେଜିଂ ସୁବିଧା ଉପଲବ୍ଧ ହେବ। ଅର୍ଥାତ ଦୁଇ ଜଣ ‌ଲୋକଙ୍କ ଭିତର ଯେଉଁ ବାର୍ତ୍ତାଳାପ ହେବ ତୃତୀୟ ପକ୍ଷ କେହି ସେବିଷୟରେ ଜାଣିପାରିବେ ନାହିଁ। ମସ୍କ କହିଛନ୍ତି ଯେ ମୋ ମୁଣ୍ଡରେ କେହି ବନ୍ଧୁକ ଲଗାଇ ଧମକ ଦେଲେ ବି ମୁଁ ଆପଣମାନଙ୍କ ଡିଏମ୍ ଦେଖିପାରିବି ନାହିଁ। ବାର୍ତ୍ତାଳାପ ହୋଇଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ତାହାକୁ ଦେଖିପାରିବେ ନାହିଁ। ଟ୍ବିଟର୍‌ ଆପ୍‌ର ସଦ୍ୟତମ ଭର୍ସନରେ ବ୍ୟବହାରକାରୀମାନେ ଯେକୌଣସି ପୋଷ୍ଟ୍‌ର ଥ୍ରେଡ୍‌ରୁ ସିଧାସଳଖ ଡାଇରେକ୍ଟ ମେସେଜ୍ (ଡିଏମ୍) ପଠାଇପାରିବେ। ଇମୋଜି ବ୍ୟବହାର କରି ମଧ୍ୟ ପ୍ରତିକ୍ରିୟା ଦେଇପାରିବେ ବୋଲି ମସ୍କ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *