ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା

ଭୁବେନେଶ୍ୱର;ସଫଳତାର ସ୍ଵାଦ ଚାଖିବା ପାଇଁ କେବଳ ଯେ ସୁସ୍ଥ ଶରୀର ଥିବା ଆବଶ୍ୟକ ତାହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ । ଆଜି ବି ସମାଜ ନଜରରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ । କିନ୍ତୁ କିଛି କରି ଦେଖାଇବା ପାଇଁ ଦୃଢ଼ ମନୋବଳ ନେଇ ଆଗେଇ ଚାଲିଛନ୍ତି ଦୁଇ ବନ୍ଧୁ । ପୁଣି ଦୁହେଁ ଦୁହିଁଙ୍କର ସାଜିଛନ୍ତି ସାହାରା । ଏମିତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅମ୍ୱାରିକ ଏବଂ ନର୍ମଦା । ଉଭୟେ ସୁଦୂର କୋରାପୁଟ ଓ କନ୍ଧମାଳ ଜିଲ୍ଲାରୁ ଆସି ରାଜଧାନୀ ଭୁବନେଶ୍ଵରରେ ସ୍ୱାଭିମାନ ସହ ସ୍ବାବଲମ୍ବୀ ହେବା ପାଇଁ ଜାରି ରଖିଛନ୍ତି ସଂଘର୍ଷ । ପରିବାର ଉପରେ ବୋଝ ନ ପାଲଟି ଦୁହେଁ କାମ କରି ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି। ଯେଉଁଠି ଲୋକମାନେ ସୁସ୍ଥ ଥାଇ ମଧ୍ୟ କିଛି କରିବା ପାଇଁ ମନ ବଳାଉ ନାହାନ୍ତି, ସେଠି ଏହି ଦିବ୍ୟଙ୍ଗ ଦୁଇ ବନ୍ଧୁଙ୍କ ଅଦମ୍ୟ ପରିଶ୍ରମ ଓ ଇଚ୍ଛାଶକ୍ତି ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି ।


ଦିବ୍ୟାଙ୍ଗମାନଙ୍କ ପାଇଁ ହେଉଥିବା ଏକ ପ୍ରଶିକ୍ଷଣ ଶିବିରରୁ ଏହି ଦୁଇ ବନ୍ଧୁ ଅମ୍ୱାରିକ ଓ ନର୍ମଦା ଭେଟ ହୋଇଥିଲେ । ସେଠି ସେମାନେ କାର୍ଯ୍ୟ କରିବା ସହ ଶିବିରରୁ ବାହାରି କିଛି ଭିନ୍ନ କରି ଦେଖାଇବାର ସ୍ବପ୍ନ ଦେଖିଥିଲେ । ଗତ କିଛି ବର୍ଷ ତଳେ ସେମାନେ ସେଇ ସ୍ବପ୍ନ ନେଇ ରାଜଧାନୀରେ ପହଞ୍ଚିଥିଲେ । ନିଜେ ଶିଖିଥିବା କିଛି କାମରୁ ସେ ପ୍ରଥମେ ହାତ ତିଆରି ବଡି, ପାମ୍ପଡ, ଆଚାର, ହଳଦୀ ଆଦି ପ୍ରସ୍ତୁତ କରି ତୋଷାଳୀ, ଶିଶିର ସରସ ଏବଂ ବାଲିଯାତ୍ରା ଆଦି ଭଳି ମେଳାରେ ବିକ୍ରି କରିଛନ୍ତି । ଏହାସହ ସେମାନେ ପିଲୋ କଭର, କୁର୍ତ୍ତି, ବେଡସିଟ୍ ଏବଂ ବିଭିନ୍ନ ହସ୍ତତନ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କେବଳ ସେତିକି ନୁହେଁ ବରଂ ନିଜେ ଫିନାଇଲ ପ୍ରସ୍ତୁତ କରି ବିଭିନ୍ନ ଡାକ୍ତରଖାନା ଏବଂ ପ୍ଲାଷ୍ଟିକ ବଜାରକୁ ଯୋଗାଇ ଦେଉଛନ୍ତି । ଏନେଇ ସେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଢେଙ୍କାନାଳ, ରାଉରକେଲା, ଅନୁଗୁଳରେ ପରିଚିତ ହୋଇପାରିଛନ୍ତି ।


ଏ ସମ୍ପର୍କରେ ଦୁଇ ଦିବ୍ୟାଙ୍ଗ ବନ୍ଧୁ ଅମ୍ୱାରିକ ଏବଂ ନର୍ମଦା କୁହନ୍ତି ଯେ, “ବହୁ ବାଧା ପ୍ରତିବନ୍ଧକ ସତ୍ବେ ମଧ୍ୟ ଆମେ ଦୁହେଁ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛୁ। ସମାଜର ଥଟ୍ଟା-ପରିହାସ ଏବଂ କିଛି ନ କରିପାରିବାର ଟାହିଟପରା ଆମ ଚଲା ପଥରେ ଅନେକ ବାଧାବିଗ୍ନ ସୃଷ୍ଟି କରିଛି ସତ, କିନ୍ତୁ ଆମ ଦୃଢ଼ ଆତ୍ମବିଶ୍ଵାସ ଆଗରେ ହାର୍ ମାନିଛି ଆମ ଶାରୀରିକ ଅକ୍ଷମତା । କେବଳ ରୋଜଗାରକ୍ଷମ ହୋଇ ନାହୁଁ ବରଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଅନେକ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ପ୍ରଶଂସା ସାଉଁଟିପାରିଛୁ । ଦିବ୍ୟାଙ୍ଗମାନଙ୍କ ପାଇଁ ଆୟୋଜିତ ଗ୍ଲୋବାଲ ମଡେଲର ଆମ୍ବାସଡର୍ ଭାବେ କାର୍ଯ୍ୟ କରୁଛୁ ଏବଂ ଅନେକ ସମୟରେ ନିଜେ ମଧ୍ୟ ରାମ୍ପ୍ ଶୋ ରେ ଭାଗ ନେଇ ବହୁତ୍ ଖୁସି ଅନୁଭବ କରୁଛୁ” ।

Leave a Reply

Your email address will not be published. Required fields are marked *