ଦୁଇ ମନ୍ତ୍ରୀଙ୍କ ସହିତ ବାଚସ୍ପତିଙ୍କ ଇସ୍ତଫା

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ରହିଥିବାବେଳେ ।ମନ୍ତ୍ରିମଣ୍ଡଳ ହଲ୍‌ଚଲ୍‌ ହେଲା ପରି ପରିସ୍ତିତି ଦେଖାଦେଇଛି । ଗତକାଲି  ରାଜ୍ୟ ରାଜନୀତିରେ  ଦେଖାଦେଇଛି ବ୍ୟତିକ୍ରମ  ।ବାଚସ୍ପତିଙ୍କ ସହ ଦୁଇ ଜଣ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଇସ୍ତଫା ପର୍ବ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ‌ ନେଇ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ୍‌ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି।ଶୁକ୍ରବାର ମଧ୍ୟାହ୍ନରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଲୋକସେବା ଭବନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସମୟ ଗଡ଼ିବା ସହ ଚର୍ଚ୍ଚା ବଢ଼ି ଚାଲିଥିଲା। ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବମାନେ ପରସ୍ପରକୁ ଫୋନ୍ କରି କାହାକୁ କଲ୍‌ ଆସିଛି କି ନାହିଁ, ବୁଝାବୁଝି ହେଲେ। କିନ୍ତୁ ସେମିତି କିଛି ଠୋସ୍‌ ସୂଚନା କେହି ପାଇପାରୁ ନଥିଲେ। ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ଇସ୍ତଫା ପର୍ବ। ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଲେ। ତାହାର କିଛି ସମୟ ପରେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଖବର ଆସିଲା।

Leave a Reply

Your email address will not be published. Required fields are marked *