ଏମିତି ବି ଯୋଡ଼ି ହୁଏ…
ଭୁବନେଶ୍ୱର : (ଲିଜାରାଣୀ ନାୟକ)-ଉପରେ ହସ ହସ ଚେହେରା, କିନ୍ତୁ ପଛରେ ଏମାନଙ୍କ ଭୟଙ୍କର ରୂପ। ଦୁଇଜଣ ଯାକ ହେଉଛନ୍ତି ହତ୍ୟା ଅଭିଯୋଗରେ ଜେଲରେ ସଜା କାଟୁଥିବା ଅପରାଧୀ। ଏବେ ଏହି ଦୁଇ କଏଦୀ ପ୍ରିୟା ସେଠ୍ ଏବଂ ହନୁମାନ ପ୍ରସାଦଙ୍କ ଜେଲ୍ ଭିତରେ ପ୍ରେମ ଓ ପୋଲିସର ସୁରକ୍ଷା ବଳୟ ଭିତରେ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା।
#ପ୍ରିୟା ୨୦୧୮ ମସିହାରେ ନିଜ ପ୍ରେମିକ ଦୀକ୍ଷାନ୍ତ କାମରାର ଋଣ ଶୁଝିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଥିଲେ।
ଡେଟିଂ ଆପ୍ ଜରିଆରେ ଅନ୍ୟ ଜଣେ ଯୁବକଙ୍କୁ ଫସାଇ ତାଙ୍କୁ ଅପହରଣ କରିଥିଲେ ଏବଂ ତାଙ୍କ ପିତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ତାଙ୍କ ପିତା ୩ ଲକ୍ଷ ଟଙ୍କା ଦେଇଥିଲେ। ଏହା ସତ୍ତ୍ୱେ ଧରାପଡ଼ିବା ଭୟରେ ପ୍ରିୟା ଓ ତାଙ୍କ ସହଯୋଗୀମାନେ ମିଶି ସେହି ଯୁବକଙ୍କୁ ହତ୍ୟା କରି ଶବକୁ ସୁଟକେସରେ ଭରି ପାହାଡ଼ ଉପରୁ ଫିଙ୍ଗି ଦେଇଥିଲେ। ପ୍ରିୟା କେବଳ ଏହି ଗୋଟିଏ ହତ୍ୟା ମାମଲାରେ ନୁହେଁ, ବରଂ ଜଣେ ‘ସିରିଏଲ୍ ଠକ’ ଭାବେ ଜଣାଶୁଣା ଥିଲେ। ସେ ବିଭିନ୍ନ ଡେଟିଂ ଆପ୍ ସାହାଯ୍ୟରେ ଧନୀ ଲୋକଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।
ଅନ୍ୟ ପକ୍ଷରେ #ହନୁମାନ ପ୍ରସାଦଙ୍କ ନାଁରେ ରହିଛି ୫ ଜଣଙ୍କୁ ହତ୍ୟା କରିବାର ଅଭିଯୋଗ। ହନୁମାନ ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ପ୍ରେମିକା କଥାରେ ପଡ଼ି ତାଙ୍କ ସ୍ୱାମୀ ବନୱାରୀ ଲାଲଙ୍କୁ ହତ୍ୟା କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ସେ ଶେଷରେ ଘରେ ଥିବା ୪ ନିଷ୍ପାପ ଶିଶୁଙ୍କୁ ମଧ୍ୟ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଥିଲେ। ଏହି ଭୟଙ୍କର ଅପରାଧ ପାଇଁ ସେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।
ପ୍ରିୟା ଏବଂ ହନୁମାନ ଦୁହେଁ ଜୟପୁରର ସାଙ୍ଗାନେର ଓପନ ଜେଲରେ ରହିବା ସମୟରେ ପରସ୍ପରର ସଂସ୍ପର୍ଶରେ ଆସିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଜୟପୁର ଜେଲରୁ ଆରମ୍ଭ ହୋଇଥିବା ଏହି ଅଜବ ପ୍ରେମ କାହାଣୀ ଏବେ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିବାହ ପରେ ସେମାନଙ୍କୁ ପୁଣି ଜେଲକୁ ଫେରିବାକୁ ପଡ଼ିବ। ଏଥିପାଇଁ ରାଜସ୍ଥାନ ହାଇକୋର୍ଟ ସେମାନଙ୍କୁ ୧୫ ଦିନର ଜରୁରୀକାଳୀନ ପାରୋଲ୍ ମଞ୍ଜୁର କରିଛନ୍ତି।
ଭଗବାନ କରନ୍ତୁ ଏମାନେ ପରସ୍ପର ସହ ଖୁସିରେ ରୁହନ୍ତୁ। ପୁଣି କେବେ ନିଜ ଭିତରେ କଳି ଝଗଡ଼ା ଲାଗି କେହି କାହାର ହତ୍ୟା କରି ନ ଦିଅନ୍ତୁ।
