ୟୁନିଟ – ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ ଆଳରେ ବନ୍ଦ କରିବା ଚକ୍ରାନ୍ତକୁ ଏଆଇଡିଏସ୍ଓର ବିରୋଧ

ଭୁବନେଶ୍ୱର- ୧୮/୭/୨୩-ଭୁବନେଶ୍ୱର ସ୍ଥିତ ବହୁ ପୁରାତନ ଓ ଲବ୍ଧ ପ୍ରତିଷ୍ଠିତ ୟୁନିଟ -୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରିବା ଆଳରେ ବନ୍ଦ କରିବା ଚକ୍ରାନ୍ତକୁ ଏଆଇଡିଏସ୍ଓ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ଦୃଢ ବିରୋଧ କରାଯାଇଛି। ସଂଗଠନର ଭୁବନେଶ୍ୱର ସଭାପତି ନସିମ ସରକାର, ସଂପାଦିକା ସ୍ବସ୍ତି ସଂଗୀତା ଦଳାଇ, ଉପସଭାପତି ସପ୍ତର୍ଶିନୀ ରାଉଳ ଏକ ପ୍ରେସ ବିବୃତି ମାଧ୍ୟମରେ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଏହି ହୀନ ଚକ୍ରାନ୍ତରୁ କ୍ଷାନ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ସରକାର ଫାଇଭ -ଟି ମାଧ୍ୟମରେ ବିଦ୍ୟାଳୟର ଉନ୍ନତି କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ତୁମ୍ବିତୋଫାନ କରୁଥିଲା ବେଳେ ବିଭିନ୍ନ ଆଳରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। କରୋନା ସମୟରେ ରାଜ୍ୟରେ ୧୪୦୦୦ ରୁ ଉର୍ଦ୍ଧ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି ମଧ୍ୟ ରାସନାଲାଇଜେସନ ପଦ୍ଧତିରେ କଲେଜ ଓ ସ୍କୁଲଗୁଡିକୁ ମିଶ୍ରଣ ମଧ୍ୟ ଦେଇ ବନ୍ଦ କରିବା ପାଇଁ ସୁପାରିଶ କରିଛି। ରମାଦେବୀ ଉଚ୍ଚ ବିଦ୍ୟାଳୟକୁ ଜମି ଦେବା ଆଳରେ ସୁନାମଧନ୍ୟ ୟୁନିଟ ୯ ସରକାରୀ ବାଳିକା ବିଦ୍ୟାଳୟକୁ ବନ୍ଦ କରିବା ମଧ୍ୟ ସରକାରଙ୍କର ଏହି ସୁଚିନ୍ତିତ ଷଡ଼ଯନ୍ତ୍ରର ଏକ ଅଂଶବିଶେଷ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ବନ୍ଦ ନ କରି ବରଂ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଭାବେ ଆବଶ୍ୟକୀୟ ଜମି ଓ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *