ଆଜି ବିରୋଧି ଦଳର ସର୍ବୋଚ୍ଚ ନେତାମାନଙ୍କ ରାତ୍ରିଭୋଜନ, ମେଣ୍ଟ ନାଁ, ଆସନ ବୁଝାମଣା ନେଇ ହେବ ଆଲୋଚନା..

ବେଙ୍ଗଲୁରୁ : ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ମେଣ୍ଟ ନାମ ପରିବର୍ତ୍ତନ କରାଯାଇପାରେ। ଏହାକୁ ପୂର୍ବଭଳି ପ୍ରଗତିଶୀଳ ସଂଯୁକ୍ତ ମେଣ୍ଚ ତଥା ୟୁନାଇଟେଡ୍ ପ୍ରୋଗ୍ରେସ୍ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ସବୁ ଦଳର ସହମତି ପରେ ନୂଆ ମେଣ୍ଟର ନାଁ ଦିଆଯିବ। ଏନେଇ ମଙ୍ଗଳବାର ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ମହା ବିରୋଧୀ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହି ବୈଠକରେ 22ରୁ ଉର୍ଦ୍ଧ୍ୱ ଦଳ ଯୋଗ ଦେବେ ବୋଲି ଜଣାପଡିଛି।
ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ଦୀର୍ଘମିଆଦୀ ସୂତ୍ରରେ ବାଲଟ୍ ବକ୍ସରେ ଭୋଟ ଦାନ ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ବିହାର ଏବଂ ମହାରାଷ୍ଟ୍ରରେ ଭଳି ରାଜ୍ୟରେ ମିଳିତ ପ୍ରାର୍ଥୀ ଦେବା ନେଇ ସହମତି ଆସିଛି। ପଶ୍ଚିମବଙ୍ଗରେ ମିଳିତ ପ୍ରାର୍ଥୀ ପ୍ରସଙ୍ଗରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ଭିନ୍ନ ମତ ରହିଛି। ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଆମ ଆଦମୀ ପାର୍ଟି କଂଗ୍ରେସ ସହ ଆସନ ବୁଝାମଣା କରିବ ନା ନାହିଁ, ସେ ନେଇ ଆଲୋଚନା ହେବ ବୋଲି ଜଣାପଡିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ବୈଠକର ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି