ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି। ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫ ମିଟର ତଳେ ଥିବାବେଳେ ୬୦୧ଟିରେ ଜଳସ୍ତର ୪୯.୬ ମିଟର ତଳେ ଥିବା ଜଣାପଡିଛି। ୧୧୬ଟି କୂପର ଜଳସ୍ତର ୯.୬ ମିଟର ତଳେ ଥିବା ଜଣାପଡିଥିଲା । ଏହି ସମୟରେ ସମଗ୍ର ଦେଶରେ ୧୪,୫୭୭ଟି କୂପର ଜଳସ୍ତର ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୬୯୭ଟି କୂପର ଜଳସ୍ତର ୨୫.୪ ମିଟର ଥିବାବେଳେ ୨୦୫ଟି କୂପର ଜଳସ୍ତର ୧.୪ ମିଟର ତଳେ ଥିଲା ।
ଅନୁରୂପ ଭାବେ ରାଜ୍ୟର ୧୮ଟି ଜିଲ୍ଲାର କେତେକ ଅଞ୍ଚଳରେ ଜଳରେ ଲବଣାଂଶ ମିଳିଥିବାବେଳେ ୨୬ଟି ଜିଲ୍ଲାରେ କେତେକ ସ୍ଥାନରେ ଫ୍ଲୋରାଇଡ୍ ମିଳିଛି । ସେହିଭଳି ୫ଟି ଜିଲ୍ଲାରେ ପାନୀୟଜଳରେ ଆର୍ସେନିକ, ପ୍ରାୟ ସମସ୍ତ ଜିଲ୍ଲାରେ ଲୌହ ୪ଟି ଜିଲ୍ଲାରେ ସୀସା ଠାବ ହୋଇଛି । ସେହିଭଳି ୨ଟି ଜିଲ୍ଲାରେ କେତେକ ଜଳ ନମୂନାରେ କ୍ରୋମିୟମ ମିଳିଥିବାବେଳେ ୫ଟି ଜିଲ୍ଲାରେ ୟୁରାନିୟମ ଭଳି ରସାୟନିକ ପଦାର୍ଥ ଠାବ ହୋଇଛି ।
ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶର ୧୮ଟି ରାଜ୍ୟର ୧୮୭ଟି ଜିଲ୍ଲାର କେତେକ ସ୍ଥାନରେ ୟୁରାନିୟମ ଭଳି ବିଷାକ୍ତ ପଦାର୍ଥ ଠାବ ହୋଇଥିବାବେଳେ ସମାନ ସଂଖ୍ୟକ ରାଜ୍ୟର ୭୧ଟି ଜିଲ୍ଲାରେ ଜଳରେ କ୍ରୋମିୟମର ମାତ୍ରା ମିଳିଛି । ସେହିଭଳି ୨୧ଟି ରାଜ୍ୟର ୧୯୧ ଜିଲ୍ଲାରେ ଜଳରେ ସୀସା ମିଳିଥିବାବେଳେ ସମଗ୍ର ଦେଶର ୫୧୫ ଜିଲ୍ଲାରେ ଜଳରେ ଲୌହ ଅଂଶ ଠାବ କରାଯାଇଛି ।