ସାରା ବିଶ୍ୱରେ ଏକ ଭୟଙ୍କର ବାତାବରଣ ରଚୁଛି

ଆମେରିକା/ନୂଆଦିଲ୍ଲୀ : (ଭାଲ ଚନ୍ଦ୍ର ଷଡ଼ଙ୍ଗୀ)- ମଧ୍ୟ ପ୍ରାଚ୍ୟ ଓ ଆରବ ଦେଶମାନଙ୍କରେ ତେଲର ଭଣ୍ଡାର ଆବିଷ୍କୃତ ହେବା ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ତାକୁ ହାସଲ କରିବା ପାଇଁ ଚେଷ୍ଟା କରି ଆସିଛନ୍ତି । ଏହି କ୍ରମରେ ତୈଳ ସମ୍ପଦ ଭରା ସେହି ଅଞ୍ଚଳରେ ନିଜର ରାଜନୈତିକ ଓ ସାମରିକ ଆଧିପତ୍ୟ ପ୍ରତିଷ୍ଠା କରିବା ପାଇଁ ସେମାନେ ଇସ୍ରାଏଲ ପରି ଏକ ଦେଶକୁ ପାଲେଷ୍ଟାନୀୟମାନଙ୍କ ଜନ୍ମଭୂମିରେ ବଳପୂର୍ବକ ନୂଆରେ ବସାଇବା ସହ ତାକୁ ଶକ୍ତିଶାଳୀ କରିବାକୁ ସମସ୍ତ ପ୍ରକାରର ସାମରିକ, ରାଜନୈତିକ ଓ ଆର୍ଥିକ ସହାୟତା ଯୋଗାଇ ଆସିଛନ୍ତି । ସେମାନଙ୍କ ସହଯୋଗ ପାଇ ଇସ୍ରାଏଲ ସେହି ଅଞ୍ଚଳରେ ନିଜର ଦାଦାଗିରି କରି ଆସିଛି । ଗତ ପ୍ରାୟ ଅଶି ବର୍ଷ ମଧ୍ୟରେ ସେ ପାଲେଷ୍ଟାଇନର ୮୫%ରୁ ଅଧିକ ଭୂଭାଗକୁ ଜବରଦଖଲ କରିବା ସହ ପଡୋଶୀ ସିରିଆ, ଇଜିପ୍ଟ, ଜୋର୍ଡାନ, ଲେବନାନ ଆଦି ଦେଶମାନଙ୍କ ସହ ଯୁଦ୍ଧ କରି ସେମାନଙ୍କ ଭୂଭାଗକୁ ମଧ୍ୟ କବ୍ଜା କରି ରଖିଛି । ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଇସ୍ରାଏଲ ଜରିଆରେ ମଧ୍ୟ ପ୍ରାଚ୍ୟର ଦେଶମାନଙ୍କୁ ଆତଙ୍କିତ କରି ରଖିବା ସହ ସେଠାରେ ନିଜର ରାଜନୈତିକ ଓ ସାମରିକ ଆଧିପତ୍ୟ ବଜାୟ ରଖିବାରେ ଇସ୍ରାଏଲ ଏକ ମଜବୁତ୍ ସ୍ତମ୍ଭ ଭାବେ କାମ କରୁଛି । ସେମାନଙ୍କ ସହଯୋଗରେ ହିଁ ଇସ୍ରାଏଲ ପରମାଣୁ ବୋମାର ଅଧିକାରୀ ହୋଇପାରିଛି । ଏହି କାରଣରୁ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ପାଶ୍ଚାତ୍ୟ ଦେଶମାନେ ଖୋଲା ସମର୍ଥନ କରିଛନ୍ତି । ଯଦିଓ ଏହି ଆକ୍ରମଣ କରିବାକୁ ଆମେରିକା ଇସ୍ରାଏଲକୁ ଅନୁମତି ଦେଇଥିଲା, କିନ୍ତୁ ନିଜେ ସେଥିରେ ସାମିଲ ହୋଇନଥିଲା । କିନ୍ତୁ ଇରାନର ପାଲଟା ଆକ୍ରମଣରେ ଇସ୍ରାଏଲ ଲହୁ ଲୁହାଣ ହେବା ପରେ ତା’ର ସଂରକ୍ଷକ ଆମେରିକା ଖୋଲାଖୋଲି ଭାବେ ଯୁଦ୍ଧରେ ସାମିଲ ହେବା ଆଶଙ୍କା କରାଯାଉଥିଲା । ଗତକାଲି ରାତିରେ ଆମେରିକା ତା’ର ବୋମାବର୍ଷି ବି – ୨ ଯୁଦ୍ଧ ବିମାନ ଜରିଆରେ ଇରାନର ତିନୋଟି ପରମାଣୁ ସ୍ଥଳରେ ଆକ୍ରମଣ କରି ବିଧିବଦ୍ଧ ଭାବେ ଯୁଦ୍ଧରେ ସାମିଲ ହୋଇଛି । ମଧ୍ୟ ପୂର୍ବ, ଏସିଆ ଓ ଆଫ୍ରିକା ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳରେ, ଲୀବିଆ, ଇରାକ ଓ ସିରିଆ ପରେ ବର୍ତ୍ତମାନ କେବଳ ଇରାନ ଏମିତି ଏକମାତ୍ର ଦେଶ ଥିଲା ଯେଉଁଠାରେ ଆମେରିକାର କୌଣସି ସେନା ଶିବିର ନାହିଁ । ଟ୍ରମ୍ପ ଏବେ ଇରାନ୍ ଉପରେ ମଧ୍ୟ ଆକ୍ରମଣ କରି ମଧ୍ୟ ପୂର୍ବର ଆଉ ଏକ ସ୍ଵାଧୀନ ଦେଶକୁ ଦଖଲ ଓ ବରବାଦ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ।ଗତ ରାତିରେ ଅମେରିକୀ ଯୁଦ୍ଧ ବିମାନଗୁଡ଼ିକ ଇରାନର ତିନିଟି ପରମାଣୁ ଠିକଣା—ଫୋରଦୋ, ନତାନ୍ଜ ଓ ଇସ୍ଫାହାନ ଉପରେ ବିମାନ ଆକ୍ରମଣ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏକ ଟ୍ୱିଟରେ କହିଛନ୍ତି ଯେ, ଆକ୍ରମଣ କରି ସେମାନଙ୍କର ବିମାନ ସୁରକ୍ଷିତଭାବେ ନିଜ ଠିକଣାକୁ ଫେରି ଆସିଛନ୍ତି ।ଇରାନୀ ଟେଲିଭିଜନରେ ଯେପରି ବ୍ୟାଖ୍ୟା ଆସିଛି, ତାହାରୁ ଏହି କଥା ସ୍ପଷ୍ଟ ହୁଏ ଯେ ବର୍ତ୍ତମାନ ମଧ୍ୟପୂର୍ବ ଅଞ୍ଚଳରେ ଥିବା ସମସ୍ତ ଅମେରିକୀ ଯୁଦ୍ଧ ଠିକଣା ଓ ଅମେରିକୀ ନୌସେନା ଜାହାଜ ଇରାନୀ କ୍ଷେପଣାସ୍ତ୍ରର ଲକ୍ଷ୍ୟରେ ଆସିଯିବେ।ଦେଖିବାକୁ ଅଛି ଯେ, ବିଶ୍ୱର ଏହି ଶକ୍ତିଶାଳୀ ଦେଶ (ଯାହାକୁ ଦେରି କି ଶୀଘ୍ର ୟୁରୋପୀୟ ଦେଶମାନେ ସାଥ ଦେଇଦେବେ) ସାମ୍ନାରେ ଇରାନୀ ସେନା ଓ ଇରାନୀ ସମାଜ କେତେଦିନ ଓ କେମିତି ପ୍ରତିକ୍ରିୟା ଦେବେ?ପଶ୍ଚିମ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିଜେ ତିଆରି କରିଥିବା ନିୟମ କାନୁନଗୁଡ଼ିକୁ ନିଜେ ଭାଙ୍ଗିଦେଇଛି।