କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଦ୍ରୁତ ବୋଲର ବରୁଣ ଆରୋନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ସେ ମାତ୍ର ୩୫ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଭାରତ ପାଇଁ ୯ ଟି ଦିନିକିଆ ଏବଂ ୯ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେହିପରି ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କର ଭଲ ରେକର୍ଡ ରହିଛି। ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳନ୍ତି। ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ସେ ଗୋଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।
ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ମାଧ୍ୟମରେ ସେ ଅବସର ଘୋଷଣା କରିଛନ୍ତି। ବରୁଣ ଲେଖିଛନ୍ତି, ମୁଁ ଗତ ୨୦ ବର୍ଷ ଧରି ଦ୍ରୁତ ବୋଲିଂ କରିଆସୁଛି। ଆଜି ମୁଁ ଆନୁଷ୍ଠାନିକ ଭାବେ କ୍ରିକେଟରୁ ଅବସର ଘୋଷଣା କରୁଛି। ଭଗବାନ, ପରିବାର, ବନ୍ଧୁ, ସାଥୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ପ୍ରଶଂସକଙ୍କ ବିନା ମୋ ପାଇଁ ଏହି ଯାତ୍ରା ସମ୍ଭବ ନୁହେଁ | ମୁଁ ବିସିସିଆଇ ଏବଂ ଝାଡ଼ଖଣ୍ଡ (JSCA) କ୍ରିକେଟକୁ ଧନ୍ୟବାଦ ଦେଉଛି ।