ବେଦାନ୍ତ ବିରୋଧୀଙ୍କ ବିଜୟ ଦିବସ ପାଳନ

ପୁରୀ : ଆଜି ବେଲଦଳ ଗାଁରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଙ୍ଘର୍ଷ ସମିତି ପକ୍ଷରୁ ଗୌରାଙ୍ଗ ସ୍ୱାଇଁଙ୍କ ସଭାପତିତ୍ୱରେ ବିଜୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ୨୨ ମୌଜାର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହା କେବଳ ଚାଷୀମାନଙ୍କର ବିଜୟ ନୁହେଁ, ବରଂ ସମଗ୍ର ସମାଜର ଏକତାର ପ୍ରତୀକ। ଯୁବ ଛାତ୍ର, ମହିଳା, ସେବାୟତ ଓ ସମାଜର ବିଭିନ୍ନ ସ୍ତରର ଲୋକମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ଏକ ଐତିହାସିକ ସଫଳତା ହାସଲ କରିଥିଲେ।
ଚାଷୀ ନେତା ଦାମୋଦର ପ୍ରଧାନ, କୈଳାଶ ସ୍ୱାଇଁ, ପର୍ଶୁରାମ ପ୍ରଧାନ ଓ ମଧୁସୂଦନ ରାଉତରାୟ କହିଥିଲେ ଯେ ଏହି ଆନ୍ଦୋଳନର ସଫଳତା ସଙ୍ଘର୍ଷ ସମିତିର ସଭାପତି ବେଣୁଧର ପ୍ରଧାନଙ୍କ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଛି। ତାଙ୍କ ଦୃଢ଼ ନିଷ୍ଠା ଓ ସାହସ ସମସ୍ତଙ୍କୁ ଏକତା ଓ ଶକ୍ତି ପ୍ରଦାନ କରିଥିଲା। ସେହିପରି ଆବାହକ ଉମାବଲ୍ଲଭ ରଥଙ୍କ ରଣକୌଶଳ ଏହି ବିଜୟର ମୂଳ ଆଧାର ଥିଲା। ତାଙ୍କ ଯୋଜନା ଓ ସଂଗଠନ କ୍ଷମତା ଏହି ଆନ୍ଦୋଳନକୁ ସଫଳତାର ଶିଖରରେ ପହଞ୍ଚାଇଥିଲା।
ଏହି ସଙ୍ଘର୍ଷରେ ଆଇନଗତ ସହାୟତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପୂର୍ବତନ ଆଡଭୋକେଟ ଜେନେରାଲ ଜୟନ୍ତ ଦାସ ଓ ପ୍ରଖ୍ୟାତ ଓକିଲ ପ୍ରଶାନ୍ତ ଭୂଷଣ ବିନା ଅର୍ଥରେ ଏହି କେସ ପରିଚାଳନା କରି ଚାଷୀମାନଙ୍କୁ ସାହସ ଯୋଗାଇଥିଲେ। ୨୦୨୩ ମସିହାରେ ସୁପ୍ରିମ କୋର୍ଟରେ ହୋଇଥିବା ରାୟ ଏହି ଆନ୍ଦୋଳନର ଏକ ବଡ଼ ସଫଳତା ଥିଲା। ଏହି ରାୟ ମାଧ୍ୟମରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ରଦ୍ଦ ହୋଇଥିଲା, ଯାହା ଚାଷୀମାନଙ୍କ ଜମି ଓ ଜୀବିକାକୁ ସୁରକ୍ଷା ଦେଇଥିଲା।
ଆଜିର ସଭାରେ ଚାଷୀ ପ୍ରତିନିଧି ନବ କିଶୋର ପ୍ରଧାନ, ବ୍ରଜ ବେହେରା, ଉମା ଚରଣ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଓ ବାବନ ଜେନା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଏକତା ଓ ପରସ୍ପର ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ଏହି ବିଜୟ ୨୨ ମୌଜାର ମହିଳା ଓ ଯୁବ ସମାଜଙ୍କ ଅବଦାନ ବିନା ସମ୍ଭବ ହୋଇ ନଥାନ୍ତା। ଏହା କେବଳ ଜମି ରକ୍ଷାର ଲଢ଼େଇ ନଥିଲା, ବରଂ ଏକତା, ସାହସ ଓ ନ୍ୟାୟର ପ୍ରତୀକ ଥିଲା। ଏହି ବିଜୟ ଦିବସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ହୋଇ ରହିବ। ଶେଷରେ ଚାଷୀ ସଂଗଠକ ହର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।