ଏପରି ନଗ୍ନ ଖର୍ଚ୍ଚକୁ ପ୍ରଶୟ ତାଙ୍କ ଠାରୁ ଆଶା କରାଯାଉ ନଥିଲା : ରଙ୍ଗାଚରଣ
ଭୁବନେଶ୍ୱର : ଅପରାଜିତା ଷଢଙ୍ଗୀ ଝିଅ ବାହାଘରରେ କେତେ ଟଙ୍କା ଖର୍ଚ୍ଚ କଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ସେ ଏତେ ଅଜଣା ବ୍ୟକ୍ତି ନୁହନ୍ତି ଯେ ସେ ସେହି ଟଙ୍କାର କାନୁନି ସ୍ରୋତ ଦେଖାଇ ପାରିବେ ନାହିଁ । ତେଣୁ ସେ କେଉଁଠୁ ଏତେ ଟଙ୍କା ଆଣିଲେ ତାହା ପଚାରି ଲାଭ ନାହିଁ । ତାହା ଛଡା , ନେତାମାନେ କେଉଁଠୁ ଏତେ ଟଙ୍କା ଆଣନ୍ତି ସେ ବିଷୟରେ କଣ ଆମର ଗୋଟିଏ ଆଇଡିଆ ନାହିଁ ? ତେଣୁ ଖର୍ଚ୍ଚ କଥା ପଚାରି ଆମେ ଅଧିକ କଣ ଜାଣିବା ?
ମୁଖ୍ୟ କଥା ହେଉଛି ନେତାଙ୍କ ଦ୍ବାରା ବାହାଘରରେ ଏତେ ଟଙ୍କା ଖର୍ଚ୍ଚ କରିବା ଓ ନିଜର ଧନ ଓ ପ୍ରଭାବକୁ ପ୍ରଦର୍ଶନ କରିବା । ଏହା ସମାଜକୁ ବିଦ୍ରୁପ କରିବା ଭଳି ଲାଗୁଛି । ସମାଜକୁ ଆଙ୍ଗୁଠି ଦେଖାଇବା ଭଳି ଲାଗୁଛି ।
ବାହାଘର ନିମନ୍ତ୍ରଣ କେବଳ ଭୋଜି ପାଇଁ ଦିଆ ଯାଏ ନାହିଁ । ମୁଁ ଶୁଣିଥିବା ସବୁଠାରୁ କମ୍ ଆକଳନ ଅନୁଯାୟୀ ୧୦ ହଜାର ଲୋକଙ୍କୁ ଖାଇବାକୁ ଡକା ଯାଇଥିଲା । ସେମାନେ ପ୍ରାୟ ସବୁ ତାଙ୍କ ଭୋଟର । ସେମାନଙ୍କୁ କାର୍ଡ ଦିଆ ଯାଇ ନଥିବ । ଭୋଜି ବେଳେ ଅପରାଜିତା କିମ୍ବା ତାଙ୍କ ପରିବାରରୁ କେହି ସେମାନଙ୍କୁ ଭେଟି ନଥିବ । ନିଶ୍ଚୟ ଦୁଇପ୍ରକାର ଅତିଥି ଯାଇଥିବେ । ଭିଆଇପି ଅତିଥି ଓ ଭୋଟର । ଏହି ଦୁଇ ପ୍ରକାର ଅତିଥିଙ୍କ ପାଇଁ ଖାଇବା ଜାଗା ଅଲଗା ଅଲଗା ଥିବ । ଏହି ବିପୁଳ ସଂଖ୍ୟାରେ ପ୍ରଜାଙ୍କୁ ଖାଇବାକୁ ଦେବା ହେଉଛି ଭିଆଇପି ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ଏକ ଆଇଟମ୍ ।
ଧନ ରଖିବା ପାପ ନୁହେଁ । ତାହା କେମିତି ଅର୍ଜନ ହୋଇଛି ସେକଥା ଇନକମ୍ ଟ୍ୟାକ୍ସ ବିଭାଗ ଓ ଭିଜିଲାନ୍ସ ବୁଝିବ । କିନ୍ତୁ ଧନ ଖର୍ଚ୍ଚରେ ସମାଜ ପ୍ରତି ଅଧିକ ସମ୍ବେଦନଶୀଳତା ଓ ଦାୟିତ୍ତ୍ବବାନ ହେବା ଜରୁରୀ । ବିଶେଷ କରି ନେତା ଓ ଲୋକପ୍ରୀୟ ଆଇକନ ମାନେ ଏଥିପ୍ରତି ସାବଧାନ ହେବା ଉଚିତ୍ । ଏହିଭଳି ଘଟଣା … ଧନ ଉଡାଇବା, ଧନ ଦେଖାଇ ହେବା , ଅନୁକରଣକାରୀ ମଧ୍ୟମବର୍ଗଙ୍କୁ ଆହୁରୀ ଉଚ୍ଚାଭିଳାଷୀ ହେବାକୁ ପ୍ରେରିତ କରିବା …. ନେପାଳର ଜେନ-ଜିମାନଙ୍କୁ ପସନ୍ଦ ହୋଇ ନଥିଲା । ଅପରାଜିତା ଜଣେ ଉଚ୍ଚଶିକ୍ଷିତା ମହିଳା । ତାଙ୍କ ଠାରୁ ଏହିପରି ଭାବେ ଧନର ନଗ୍ନ ପ୍ରଦର୍ଶନ ଆଶା କରା ଯାଉ ନଥିଲା ।
