Biju Pattnaik vs President of India ରାଜ୍ୟପାଳଙ୍କ ବିରୋଧରେ କୋର୍ଟ ଯାଇଥିଲେ ବିଜୁ
ଭୁବନେଶ୍ୱର :(ବିଜୟ ସାହୁ )-ଚଳିତ ରାଜ୍ୟସଭା ନିର୍ବାଚନରେ
ନିଜ ନିଜ ବିଧାୟକଙ୍କୁ ନେଇ ବାହାରେ ରଖିବା ଅଥବା ଅଫିସ ଭିତରେ ରାତିରେ ରଖିବାକୁ ବର୍ତ୍ତମାନ ମିଡ଼ିଆ Resort Politics କହୁଛନ୍ତି । ବିଶେଷ କରି ନବୀନ ନିବାସରେ ଲୁଙ୍ଗି ପିନ୍ଧା ଦୃଶ୍ୟଟି ବହୁତ ଚର୍ଚ୍ଚା ହେଇଛି ।
ଏହି ଆଖ୍ୟାନଟି ଶିବସେନା ଉଦ୍ଧବ ଥାକରେ ସରକାର ଭାଙ୍ଗିଥିବା ଏକନାଥ ସିନ୍ଧେ ଖାତାକୁ ଯାଉଛି ଯେହେତୁ ଏହା ସବୁଠାରୁ ବଡଧରଣର ରାଜନୈତିକ କର୍ମକାଣ୍ଡ ଥିଲା ଓ ଏଥିରେ ତିନି ଚାରିଟି ରାଜ୍ୟ ସରକାର ,କେନ୍ଦ୍ର ସରକାର, କର୍ପୋରେଟ ହାଉସ ସମ୍ପୃକ୍ତ ଥିଲେ ।
କିନ୍ତୁ ଆମେ ଇତିହାସକୁ ଟିକିଏ ପଛରୁ ଦେଖିଲେ ରାଜ୍ୟରେ ଏହି Resort Politicsର କ୍ରେଡିଟ ଭାରତର Tallman ବିଜୁ ପଟ୍ଟନାୟକ , ବିଜୁବାବୁଙ୍କ ରାଜନୈତିକ ସହକର୍ମୀ ନୀଳମଣି ରାଉତରାୟ , ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଓ ଭାରତର ଦେବୀଦୁର୍ଗା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତଥା ଓଡ଼ିଶାର ଅଗ୍ନିକନ୍ୟା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଖାତାକୁ ଯିବା କଥା । ଏହା ଅବଶ୍ୟ ରାଜ୍ୟସଭା ନିର୍ବାଚନକୁ ନେଇ ନଥିଲା , ସରକାର ଗଢିବା, ଭାଙ୍ଗିବା ,ପୁଣି ଗଢିବାକୁ ନେଇ ଥିଲା ।
ଏହା ଥିଲା ଉତ୍କଳ କଂଗ୍ରେସ ଯୁଗ( 1971-1974 ) ।
1971 ବିଧାନସଭା ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ଅର୍ଜନ କରି ନଥିଲେ । ଭାରତୀୟ ଜାତୀୟ କଂଗ୍ରେସ 51ଟି, ସ୍ୱତନ୍ତ୍ର ପାର୍ଟି 36, ଉତ୍କଳ କଂଗ୍ରେସ 33ଟି ,ପ୍ରଜା ସୋସାଲିଷ୍ଟ ପାର୍ଟି 4, କମ୍ୟୁନିଷ୍ଟ ପାର୍ଟି 4 , ଝାଡଖଣ୍ଡ 4,ସିପିଏମ 2,ସ୍ୱାଧୀନ 4, ଭାରତୀୟ ଜାତୀୟ କଂଗ୍ରେସ (ସଂଗଠନ ) 1 ଓ ଓଡ଼ିଶା ଜନ କଂଗ୍ରେସ ଗୋଟିଏ ଆସନ ପାଇଥିଲା । ବିଶ୍ୱନାଥ ଦାସ 3ଏପ୍ରିଲ 1971ରେ ମୁଖ୍ୟମନ୍ତ୍ରୀ ହେଇଥିଲେ ଓ ରାଉରକେଲାରୁ ସ୍ୱାଧୀନ ସଭ୍ୟ ଭାବରେ ନିର୍ବାଚିତ ହେଇଥିଲେ । ବିଜୁ ବାବୁ ଯଦିଓ ନିର୍ବାଚନରେ ହାରିଥିଲେ, କିନ୍ତୁ ରାଜନଗର ଉପ ନିର୍ବାଚନରେ ଜିତି ପ୍ଲାନିଂ ବୋର୍ଡ଼ ଚେୟାରମ୍ୟାନ ହେଇଥିଲେ । ପ୍ଲାନିଂ ବୋର୍ଡ଼ ଚେୟାରମ୍ୟାନ ପଦବୀଟି ବିଜୁବାବୁଙ୍କ ପାଇଁ ସିଂହକୁ ଗୁହାଳରେ ବାନ୍ଧିବା ଭଳି ଥିଲା । ମୁଖ୍ୟମନ୍ତ୍ରୀ ଅଥବା କେନ୍ଦ୍ରରେ ଗୋଟିଏ ବଡ଼ ମନ୍ତ୍ରୀ ହେବା ଇଚ୍ଛା ଥିଲା ।
ଏହି ମିଳିତ ସରକାର ବେଶି ଦିନ ତିଷ୍ଠି ନଥିଲା । 1972 ଜୁନରେ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ଅନେକ ଗୁଡିଏ ବିଧାୟକ ଜାତୀୟ କଂଗ୍ରେସକୁ ଦଳ ବଦଳ କରି ଚାଲିଗଲେ । ନୀଳମଣି ରାଉତରାୟ 28 ଜଣ ଉତ୍କଳ କଂଗ୍ରେସ ବିଧାୟକ ଙ୍କୁ ନେଇ କଂଗ୍ରେସରେ ମିଶି ଗଲେ । ଶ୍ରୀମତୀ ଗାନ୍ଧୀଙ୍କ ଚାପ ଓ ରଣ କୌଶଳ ମଧ୍ୟ ଏଥିରେ କାର୍ଯ୍ୟ କରିଥିଲା । ଏହି ସମୟରେ ବିଜୁବାବୁ ବିକଳ୍ପ ସରକାର ଗଠନ ଉଦ୍ୟମ ଆରମ୍ଭ କରିଥିଲେ । କଟକ ଆନନ୍ଦ ଭବନ ଏହି ରଣସଜ୍ଜାର କେନ୍ଦ୍ର ସ୍ଥଳୀ ଥିଲା । ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲା । ହରେକୃଷ୍ଣ ମହତାବ ମଧ୍ୟ ସେଥିରେ ସହଯୋଗ କରିଥିଲ ।
ଏହି କାଳଖଣ୍ଡରେ ଶ୍ରୀମତୀ ଗାନ୍ଧୀ ମଧ୍ୟ ବିଜୁବାବୁ ଓ ଅନ୍ୟମାନଙ୍କୁ କେନ୍ଦ୍ରରେ କିଛି ମନ୍ତ୍ରୀ ପଦ ଆଶା ଦେଖେଇ ମୂଳ କଂଗ୍ରେସ କୁ ଫେରି ଆସିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଇ ସବୁ ପ୍ରୟାସ ସଫଳ ହେଇ ନଥିଲା ,କାରଣ ହଠାତ ନନ୍ଦିନୀ ଦେବୀ କେନ୍ଦ୍ରରୁ ଓଡ଼ିଶା ସରକାର ଗଠନ ଦାୟିତ୍ୱ ନେବାକୁ ଚାଲି ଆସିଲେ । ବିଜୁବାବୁ , ହରେକୃଷ୍ଣ ମହତାବ,ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହି ପଦକ୍ଷେପକୁ ଇନ୍ଦିରା ଗାନ୍ଧୀଙ୍କ ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ତୀବ୍ର ସମାଲୋଚନା କଲେ ଓ କେନ୍ଦ୍ରର ଅଯଥା ହସ୍ତକ୍ଷେପ ବୋଲି ନିନ୍ଦା କଲେ । ଶ୍ରୀମତୀ ଗାନ୍ଧୀଙ୍କ ମନ କୀ ବାତ ଯଦି ସେତେବେଳେ ଓଡ଼ିଶାର ତୁଙ୍ଗ ନେତାମାନେ ଠିକ ବୁଝି ଥାନ୍ତେ ତାହେଲେ ହୁଏତ ବିଶ୍ୱନାଥ ଦାସଙ୍କ ମନ୍ତ୍ରୀ ମଣ୍ଡଳକୁ ଭାଙ୍ଗି ନଥାନ୍ତେ ।
ବିଜୁ ବାବୁ କୌଣସି ବାଟରେ କଂଗ୍ରେସକୁ ପୁନଃ ପ୍ରବେଶ ରାସ୍ତା ଯେତେବେଳେ ନନ୍ଦିନୀ ଶତପଥୀଙ୍କ ଆସିବା ପରେ ବନ୍ଦ ହେଇଗଲା ସେତେବେଳେ ବିଜୁବାବୁ ଓଡ଼ିଶା ରାଜନୀତିରେ ନେତୃତ୍ୱ ନେବା ପାଇଁ ରହିଗଲେ ।
ନନ୍ଦିନୀ ଶତପଥୀଙ୍କ ପ୍ରଥମ ସରକାର ମଧ୍ୟ ବେଶି ଦିନ ତିଷ୍ଟିଲା ନାହିଁ । ଟିକିନିଖି ଘଟଣା ନୀଳମଣି ରାଉତରାୟଙ୍କ ଆତ୍ମ ଜୀବନୀ ସ୍ମୃତି ଅନୁଭୂତିରେ ଉଲ୍ଲେଖ ହେଇଛି ।
ନନ୍ଦିନୀ ଶତପଥୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରେଇଲା । ସେତେବେଳେ ବିଧାନସଭା ଅଧିବେଶନ ଚାଲିଥିଲା । ଶ୍ରୀମତୀ ଶତପଥୀ ବିଧାନସଭାକୁ ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କଲେ । ମହତାବ, ବିଜୁବାବୁଙ୍କ ଯୁକ୍ତି ରହିଲା ଜଣେ ସଂଖ୍ୟା ଗରିଷ୍ଠତା ହରେଇ ଥିବା ମୁଖ୍ୟମନ୍ତ୍ରୀଙ୍କ ଏହା ଅଧିକାର ବହିର୍ଭୂକ୍ତ । ବିଧାନସଭା ହିଁ ସଂଖ୍ୟା ପରୀକ୍ଷା ସ୍ଥଳ । ତେଣୁ ମହତାବ ବାବୁ, ବିଜୁବାବୁ ଘନ ଘନ ରାଜ୍ୟପାଳଙ୍କୁ ଭେଟି ବିକଳ୍ପ ସରକାର ଗଠନ ଦାବୀ କଲେ । 70-72 ପର୍ଯ୍ୟନ୍ତ ତାଲିକା ପ୍ରଦାନ କଲେ । ଏପରି କି ରାଜ୍ୟପାଳ ଭବନ ପର୍ଯ୍ୟନ୍ତ ବୋଧେ ବିଧାୟକ ପ୍ୟାରେଡ଼ କରିଥିଲେ । ସୁତରାଂ ରାଜଭବନ ଓ ଆନନ୍ଦ ଭବନ ରାଜନୈତିକ ସମରର କେନ୍ଦ୍ର ସ୍ଥଳୀ ହେଇଥିଲା ।
ଇତିମଧ୍ୟରେ ନନ୍ଦିନୀ ଦେବୀଙ୍କ ଗୋଷ୍ଠୀ ଜଣେ ଦୁଇଜଣ ଏପାଖ ବିଧାୟକଙ୍କୁ ସେପାଖକୁ ନେଇ ଯାଇଛନ୍ତି ବୋଲି ଚର୍ଚ୍ଚା ହେଇଥିଲା । ଅପହରଣ ଅଭିଯୋଗ ମଧ୍ୟ ଆସିଥିଲା ।
ରାଜ୍ୟପାଳ ବି ଡି ଜତ୍ତି ତାଙ୍କର ରିପୋର୍ଟ ମଧ୍ୟ କେନ୍ଦ୍ରକୁ ପଠାଉଥାନ୍ତି । ପ୍ରଥମେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ, କିନ୍ତୁ ବିଧାନସଭାକୁ Suspended Animation କରିଦେଲେ । ସୁତରାଂ ବିକଳ୍ପ ସନ୍ଧାନ ନିଶ୍ଚୟ ଚାଲିଥିଲା, ଯେମିତି ଜାମ୍ମୁକାଶ୍ମୀର ବିଜେପି ପିଡ଼ିପି ମେଣ୍ଟ ସରକାର ଭାଙ୍ଗିବା ଯୋଜନା ଭଳି ।
କିନ୍ତୁ ନନ୍ଦିନୀ ଶତପଥୀ ଫ୍ରେସ ନିର୍ବାଚନ ଚାହୁଁଥାନ୍ତି । ତେଣୁ ତୁରନ୍ତ ବିଧାନସଭା ଭଙ୍ଗ ଉପରେ ତାଙ୍କର ପ୍ରୟାସ ଚାଲିଥାଏ ।
ରାଜ୍ୟପାଳ ନନ୍ଦିନୀ ଦେବୀ, ଇନ୍ଦିରା ଗାନ୍ଧୀ ଓ ନିଜର ମନକୀ ବାତ ବିଶ୍ଳେଷଣ କରି ବିଜୁବାବୁ- ମହତାବ -ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ
ପ୍ରଗତି ଦଳ ମେଣ୍ଟ ଆଶାକୁ ଫଳବତୀ ହେବାକୁ ଦେଲେ ନାହିଁ ।
ରାଜ୍ୟରେ ଅସ୍ଥିରତା , ବ୍ୟାପକ ଘୋଡ଼ା ବେପାର ଚାଲିଛି ପ୍ରମାଣ କାଗଜପତ୍ର ଯୋଡ଼ି କେନ୍ଦ୍ରକୁ ବିଧାନସଭା ଭଙ୍ଗ ସୁପାରିଶ କରିଥିଲେ ଓ ତାହା ହିଁ ହେଇଥିଲା ।
1974 ଫେବୃଆରୀରେ ପୁଣି ନିର୍ବାଚନ ହେଲା । ଏଥର ସୀମା ନିର୍ଦ୍ଧାରଣ ଯୋଗୁଁ ଆସନ ସଂଖ୍ୟା 140 ରୁ 147 ହେଇଥିଲା । ଏହି ନିର୍ବାଚନରେ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ କଂଗ୍ରେସ 69, ଉତ୍କଳ କଂଗ୍ରେସ ( ପ୍ରଗତି ମେଣ୍ଟ ଅନ୍ତର୍ଭୁକ୍ତ ) 35,ସ୍ୱତନ୍ତ୍ର ପାର୍ଟି 21, ସିପିଆଇ 7, ସିପିଏମ 3,ସ୍ୱାଧୀନ 7, ଜଣକଂଗ୍ରେସ+ ସୋସାଲିଷ୍ଟ+ ଝାଡଖଣ୍ଡ 5 ଜିତିଥିଲେ । କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହେଇଥିବାରୁ ରାଜ୍ୟପାଳ ନନ୍ଦିନୀ ଦେବୀଙ୍କୁ ଶପଥ ଦିଆଇ ଥିଲେ । ନନ୍ଦିନୀ ଦେବୀ ବାହାର ସମର୍ଥନରେ ସରକାର ଚଳେଇ ଥିଲେ ଓ ବିଜୁବାବୁ ପ୍ରଗତି ବିଧାୟକ ଗୋଷ୍ଠୀ ଙ୍କ ନେତାଭାବରେ ବିରୋଧୀ ଦଳ ନେତା ହେଇଥିଲେ । 1974 ରେ ପ୍ରଗତି ଦଳ ଭାରତୀୟ ଲୋକ ଦଳରେ ରୂପାନ୍ତରିତ ହେଇଥିଲା ।
ନନ୍ଦିନୀ ଦେବୀଙ୍କ ପ୍ରଥମ ସରକାର ବେଳେ ରାଜ୍ୟପାଳଙ୍କ ଭୂମିକା ନେଇ ସେତେବେଳେ ଓଡ଼ିଶା ହାଇକୋର୍ଟରେ ବିଜୟାନନ୍ଦ ପଟ୍ଟନାୟକ ବନାମ ରାଷ୍ଟ୍ରପତି ମୋକଦ୍ଦମା ହେଇଥିଲା ।
ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଘଟଣାର କ୍ରନୋଲୋଜି ମଧ୍ୟ ଉଲ୍ଲେଖ କରିଥିଲେ ।
ତାହା ନିମ୍ନ ପ୍ରକାର ଥିଲା –
21 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ପ୍ରଗତି ପାର୍ଟିରେ ସକାଳ 6ଟା ରେ ଯୋଗଦେଲେ, ପ୍ରଗତି ପାର୍ଟିର ସଂଖ୍ୟା 72 ହେଇଥିଲା ( ବାଚସ୍ପତି ଙ୍କୁ ବାଦ ଦେଇ ) ଓ ସେତେବେଳେ ବିଧାନସଭାରେ ଗୋଟିଏ ଆସନ ଖାଲି ଥିଲା, ଏହି ସଂଖ୍ୟାରୁ ପୁଣି ଦିନରେ 2 ଜଣ କଂଗ୍ରେସକୁ ଫେରିଗଲେ, ତେଣୁ ରାଜ୍ୟପାଳ ରିପୋର୍ଟ ପ୍ରସ୍ତୁତ କଲା ବେଳକୁ ପ୍ରଗତି ର 70 ହେଇ ଯାଇଥିଲା, ପୁଣି ଜଣେ ବିଧାୟକ ବିଜୁବାବୁଙ୍କ ଭୟରେ ସମର୍ଥନ କରିଥିଲେ ବୋଲି ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ।ଇତ୍ୟାଦି ବିଷୟ ରହିଛି ।
ଏହି ରିଟକୁ 22 ଅକ୍ଟୋବର 1973 ରେ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଓ ଜଷ୍ଟିସ ସୁକାନ୍ତ କିଶୋର ନାୟକ ଗ୍ରହଣଯୋଗ୍ୟ ନୁହେଁ ବୋଲି କହି ଡିଶମିଶ କରି ଦେଇଥିଲେ । କୋର୍ଟର ମତ ଥିଲା ସମ୍ବିଧାନର ଅନୁଛେଦ 356 ଅନୁଯାୟୀ ରାଜ୍ୟପାଳଙ୍କ ସୁପାରିଶ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କୋର୍ଟର ନ୍ୟାୟିକ ବିଚାର ପରିସର ଭୁକ୍ତ ନୁହେଁ ।ରାଜ୍ୟପାଳ ସମ୍ବିଧାନର ଅନୁଛେଦ 361 ଅନୁଯାୟୀ ତାଙ୍କର ଅଫିସିଆଲ କାର୍ଯ୍ୟ କ୍ଷେତ୍ରରେ ରକ୍ଷା କବଚ ପାଇଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ ଅଭିଯୋଗଗୁଡିକୁ ତର୍ଜମା କରି ହେବ ନାହିଁ ।ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ 356 ଅନୁଛେଦ ଅନୁଯାୟୀ Satisfaction ହେଉଛି Subjective ଏବଂ ଅନେକଗୁଡିଏ ସୂଚନା ଓ ତଥ୍ୟ ଉପରେ ନିର୍ଭରଶୀଳ । ତେଣୁ କୌଣସି ପ୍ରକାର Objective Standard ନାହିଁ ଯାହା ପ୍ରୟୋଗ କରିହେବ ।ଏହାକୁ ସାଧାରଣ ପ୍ରଶାସନିକ ନିଷ୍ପତ୍ତି ଭାବରେ ପରୀକ୍ଷା କରି ହେବ ନାହିଁ । ଓଡ଼ିଶା ହାଇକୋର୍ଟର ଏହି ରାୟ ପରବର୍ତ୍ତୀ ସୁପ୍ରିମକୋର୍ଟର ଏସ ଆର ବୋମାଇ ବନାମ ଭାରତ ସରକାର ମୋକଦ୍ଦମାରେ ନ୍ୟାୟିକ ସମୀକ୍ଷାକୁ ସମ୍ପ୍ରସାରିତ କରି ରାୟ ଦେଇଥିଲେ ଓ ଗୃହରେ ସଂଖ୍ୟାବରିଷ୍ଠତା ପ୍ରମାଣ କଥା କହିଥିଲେ ।
