୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଆଉ କେବେ ଆୟୋଜନ କରିଥିଲା ଆଇସିସି ଟୁର୍ନାମେଣ୍ଟ ? ଜାଣନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପାକିସ୍ତାନ ଏହି ମେଗା ଟୁର୍ନାମେଣ୍ଟର ଆୟୋଜଗ କିନ୍ତୁ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ ହାଇବ୍ରିଡ଼ ମଡେଲରେ ଦୁବାଇରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ଦୁବାଇକୁ ନିରପେକ୍ଷ ସ୍ଥାନ ଭାବରେ ଚୟନ କରାଯାଇଛି । ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟର ହୋଷ୍ଟିଂ ଅଧିକାର ପାଇଛି। ତେବେ ଆସନ୍ତୁ ଜାଣିବା ଏହା ପୂର୍ବରୁ ପାକିସ୍ତାନ କେଉଁ କେଉଁ ଆଇସିସି ଇଭେଣ୍ଟ ଆୟୋଜନ କରିଥିଲା।
ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ପାକିସ୍ତାନ ୧୯୯୬ରେ ଆଇସିସି ଇଭେଣ୍ଟ ଆୟୋଜନ କରିଥିଲା। ସେହି ବିଶ୍ୱକପରେ ପାକିସ୍ତାନକୁ ମିଳିତ ଆୟୋଜକ ଭାବେ ରଖାଯାଇଥିଲା । ପାକିସ୍ତାନ ବ୍ୟତୀତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟ ଆୟୋଜକ ଥିଲେ । ସବୁଠୁ ବଡ଼ କଥା ଯେ ଏହା ପୂର୍ବରୁ ପାକିସ୍ତାନ ୧୯୯୨ରେ ବିଶ୍ୱକପ ଟାଇଟଲ ଜିତିବାରେ ସଫଳ ହୋଇଥିଲା ।ତେବେ ପୁଣିଥରେ ଦୀର୍ଘ ୨୮ ବର୍ଷ ପରେ ଆଇସିସି ଇଭେଣ୍ଟ ଆୟୋଜନ କରିବାର ଦାୟିତ୍ବ ପାକିସ୍ତାନକୁ ମିଳିଛି । ଏଥର ପାକିସ୍ତାନ ଏହି ଟୁର୍ନାମେଣ୍ଟକୁ ଏକାକୀ ଆୟୋଜନ କରୁଛି।
ସୂଚନା ଥାଉ ଯେ ୨୦୦୯ ମସିହାରେ ପାକିସ୍ତାନର ଲାହୋର ଭିତରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ଆଇସିସି ଇଭେଣ୍ଟ ଆୟୋଜନ କରିବା ଛାଡିଦିଅନ୍ତୁ,ଖେଳାଳି ମାନେ ବହୁ ବର୍ଷ ଧରି ପାକିସ୍ତାନ ଗସ୍ତ ବନ୍ଦ କରିଦେଇଥିଲେ।ଯଦିଓ ଧୀରେ ଧୀରେ ବାହାର ଦଳ ମାନେ ପୁଣି ପାକିସ୍ତାନ ଗସ୍ତ ଆରମ୍ଭ କରିଛନ୍ତି , କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତରେ ଯିବା ପାଇଁ ରାଜି ହୋଇନାହିଁ । ସୁରକ୍ଷା କାରଣ ଦର୍ଶାଇ ଚମ୍ପିଆନ୍ସ ଟ୍ରଫିରେ ଭାରତ ପାକିସ୍ତାନ ଗସ୍ତ ଉପରେ ରୋକ ଲଗାଇଛି।
ଏଥର ଚାମ୍ପିଅନ୍ସ ଟ୍ରଫି ୧୯ ଫେବୃଆରୀରୁ ୯ ମାର୍ଚ୍ଚ ମଧ୍ୟରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ, ଯାହା କରାଚିରେ ଖେଳାଯିବ। ଫେବୃଆରୀ ୨୦ ରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଏହାର ଅଭିଯାନ ଆରମ୍ଭ କରିବ,ସେହିପରି ଫେବୃଆରୀ ୨୩ରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଛି।ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ୍ ଖେଳାଯିବ।