Bihar Election 2025 : ଅଲିନଗରର ସାମାଜିକ ସମୀକରଣ ଓ ବିଜେପିର ମୈଥିଲି ଠାକୁର
ପାଟନା : (ଅବିନାଶ ମହାପାତ୍ର)-ଆର ମାସରେ ବିହାରର ବିଧାନସଭା ନିର୍ବାଚନ। ସେହିକ୍ରମରେ ଆଜି ବିଜେପି ରାଜ୍ୟରେ ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୨ ଜଣିଆ ତାଲିକାରେ ମୈଥିଲି ଠାକୁରଙ୍କ ନାଁକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା। ପ୍ରସିଦ୍ଧ ଲୋକଗାୟିକାଙ୍କୁ ଯୁବ ସମାଜର ପ୍ରତିନିଧି ଭାବେ ମିଥିଳାଞ୍ଚଳରୁ ପ୍ରାର୍ଥୀ କରାଯାଇଛି। ମୈଥିଲୀ ଠାକୁରଙ୍କୁ ଦର୍ଭଙ୍ଗା ଜିଲ୍ଲାର ଅଲିନଗର ବିଧାନସଭା କ୍ଷେତ୍ରରୁ ପ୍ରତ୍ୟାଶୀ କରାଯିବା ପରେ ଏଠାକାର ଭୋଟର ଓ ସାଂପ୍ରତିକ ସ୍ଥିତିକୁ ନେଇ ବେଶ୍ ଆଲୋଚନା । ଏହା ବିଜେପିର ରାଜନୈତିକ ରଣନୀତିର ଏକ ନୂତନ ଦିଗକୁ ସୂଚାଉଛି, ଯେଉଁଥିରେ ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କୁ ସାମାନ୍ୟ ମନୀଷୀଙ୍କୁ ଆକର୍ଷଣ କରିବାରେ ବ୍ୟବହାର କରାଯାଉଛି ବୋଲି ଚର୍ଚ୍ଚା । ମୈଥିଲୀ ଠାକୁର ବିହାରର ମିଥିଲାଞ୍ଚଳର ଏକ ଚର୍ଚ୍ଚିତ ନାଁ । ଏକ ମୁସଲିମ ବହୁଳ ଅଞ୍ଚତାରୁ ପ୍ରାର୍ଥୀ ହୋଇଛନ୍ତି ମୈଥିଳୀ। ୨୦୧୫ ଓ ୨୦୨୦ ରେ ଏଠାରୁ ଜଣେ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପରେ ନୂଆ ଏକ ଦଳର ଜଣେ ପ୍ରାର୍ଥୀ ଏଠି ନିର୍ବାଚନ ଜିତିଲେ। ଏବେ ଆସିବା ମୈଥିଳୀଙ୍କ ପ୍ରସଙ୍ଗକୁ।
୧୯୯୯ ମସିହାରେ ମଧୁବନୀ ଜିଲ୍ଲାର ବେନିପଟ୍ଟିରେ ଜନ୍ମଗ୍ରହଣ କରିଥିବା ମୈଥିଲୀଙ୍କ ବାପା ରମେଶ ଠାକୁର ଜଣେ ମହନ୍ତ ସଙ୍ଗୀତଜ୍ଞ ଏବଂ ସଙ୍ଗୀତ ଶିକ୍ଷକ। ୨ ପୁଅ ଓ ଗୋଟେ ଝିଅ ତାଙ୍କର। ସମସ୍ତେ ସଙ୍ଗୀତ କ୍ଷେତ୍ରରେ। ସେମାନେ ଦିଲ୍ଲୀରେ ରହୁଥିଲେ, କିନ୍ତୁ ମୈଥିଲୀଙ୍କ ପୂର୍ବପୁରୁଷଙ୍କ ପାଖରୁ ସଙ୍ଗୀତର ଦୀକ୍ଷା ମିଳିଥିଲା। ମାତ୍ର ୪ ବର୍ଷ ବୟସରୁ ସେ ସଙ୍ଗୀତ ଶିଖିବାକୁ ଆରମ୍ଭ କରିଥିଲେ। ୧୦ ବର୍ଷ ବୟସରୁ ଜାଗରଣ ଏବଂ ଅନ୍ୟାନ୍ୟ ସଙ୍ଗୀତ ଆୟୋଜନରେ ଗୀତ ଗାଉଥିଲେ। ୨୦୧୧ରେ ସେ ପରିଚୟ ପାଇଲେ ଯେତେବେଳେ ଜି ଟିଭିର ‘ଲିଟିଲ୍ ଚାମ୍ପ୍ସସରେ’ ରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚିତ ହେଲେ। ୨୦୧୭ରେ ‘ରାଇଜିଂ ଷ୍ଟାର୍’ରେ ରନର୍-ଅପ୍ ହୋଇ ଲକ୍ଷାଧିକ ପ୍ରଶଂସକଙ୍କୁ ଆକର୍ଷିତ କରିଥିଲେ। ମୈଥିଲୀ, ହିନ୍ଦୀ, ଭୋଜପୁରୀ, ବଙ୍ଗଳା, ଉର୍ଦ୍ଦୁ, ମରାଠୀ ସହିତ ଅନ୍ୟାନ୍ୟ ଭାଷାରେ ଲୋକଗୀତ ଏବଂ ଭକ୍ତିଗୀତ ଗାଇ ସେ ବେଶ ଚର୍ଚ୍ଚିତ।
ସୋସିଆଲ୍ ମିଡିଆରେ କୋଟିକୋଟି ଫଲୋୟାର୍ଙ୍କ ମଧ୍ୟରେ ସେ ଯୁବସମାଜର ପ୍ରେରଣା ବୋଲି ବିବେଚନା କରାଯାଏ । ୨୦୧୯ରେ ମଧୁବନୀ ନିର୍ବାଚନରେ ସେ ଏବଂ ତାଙ୍କ ଭାଇମାନେ ରିଶଭ୍ (ତବଲା) ଏବଂ ଆୟଚି (ପରକସନ୍) ନିର୍ବାଚନ ଆୟୋଗଙ୍କ ବ୍ରାଣ୍ଡ ଆମ୍ବାସଡର୍ ହୋଇଥିଲେ। ୨୦୨୧ରେ ସଙ୍ଗୀତ ନାଟକ ଅକାଦେମୀରୁ ‘ଉସତାଦ୍ ବିସ୍ମିଲ୍ହା ଖାନ ଯୁବ ପୁରସ୍କାର୍’ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ରାମାୟଣ ଭିତ୍ତିକ ଗୀତ ‘ଶବରୀ’ର ପ୍ରଶଂସା କରିଥିଲେ। ମହାକୁମ୍ଭ ଭଳି ମହନ୍ତ ଆୟୋଜନରେ ସେମାନଙ୍କର ପ୍ରଦର୍ଶନୀ ହୋଇଛି।୧୪ ଅକ୍ଟୋବର ୨୦୨୫ରେ ପାଟନାରେ ବିଜେପିରେ ଯୋଗଦାନ କରିଥିବା ମୈଥିଲୀ କହିଥିଲେ ଯେ, “ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶମୂଳକ କାର୍ଯ୍ୟରୁ ପ୍ରେରିତ ହୋଇ ରାଜନୀତିରେ ପ୍ରବେଶ କରୁଛି। ସମାଜ ସେବା ମାତ୍ର ମୋର ଲକ୍ଷ୍ୟ।” ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲୀପ ଜୈସ୍ୱାଲଙ୍କ ଉପସ୍ଥିତିରେ ସେ ଯୋଗଦେଇଥିଲେ।
ପୂର୍ବରୁ ସେ ବିଜେପି ନେତା ବିନୋଦ ତାୱଡ଼େ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ମଧ୍ୟ ଭେଟିଥିଲେ। ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପିର ଏହା ଏକ ସ୍ବତନ୍ତ୍ର ରଣନୀତି। ଏହା ଦ୍ୱାରା ଏନ୍ଡିଏର ୧୦୧ଟି ସିଟ୍ରୁ ୮୩ଟିରେ ପ୍ରାର୍ଥୀ ଘୋଷଣା ହୋଇଛି। ଏବେ ଆସନ୍ତୁ ଏଠାକାର ଭୋଟ୍ ଗଣିତକୁ ବୁଝିବା।
ଅଲିନଗର ବିଧାନସଭା କ୍ଷେତ୍ର ଦର୍ଭଙ୍ଗା ଜିଲ୍ଲାରେ ଅବସ୍ଥିତ। ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଏହାର ପରିଚିତି ରହିଛି। ୨୦୦୮ରେ ସୀମା ପୁନଃ ନିର୍ଦ୍ଧାରଣ ଅନୁଯାୟୀ ଗଠିତ ହୋଇଥିବା ଏହି କ୍ଷେତ୍ର ଅଲିନଗର, ତରଦିହ, ମୋତିପୁର ପଞ୍ଚାୟତ ଏବଂ ଘନଶ୍ୟାମପୁର ବ୍ଲକକୁ ନେଇ ଗଠିତ । ଏହା ଦର୍ଭଙ୍ଗା ଲୋକସଭା କ୍ଷେତ୍ରର ଅଂଶ। ବ୍ରାହ୍ମଣ, ଯାଦବ ଏବଂ ମୁସଲମାନ ମତଦାତାଙ୍କ ପ୍ରାବଲ୍ୟ ଏଠାରେ ନିର୍ବାଚନୀ ପରିଣାମକୁ ନିର୍ଦ୍ଧାରଣ କରେ। ୨୦୧୦ରୁ ପ୍ରଥମ ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳର ଅବ୍ଦୁଲ୍ ବାରୀ ସିଦ୍ଦିକୀ ୩୭,୯୨୩ ଭୋଟ୍ ସହିତ ବିଜୟୀ ହୋଇଥିଲେ। ଜନତା ଦଳର ପ୍ରଭାକର ଚୌଧୁରୀ ୩୨,୯୩୪ ଭୋଟ୍ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ।
୨୦୧୫ରେ ପୁନର୍ବାର ଆରଜେଡିର ଅବ୍ଦୁଲ୍ ବାରୀ ସିଦ୍ଦିକୀ ୬୭,୪୬୧ ଭୋଟ୍ ସହିତ ବିଜୟୀ ହୋଇ ୧୩,୪୬୦ର ବ୍ୟବଧାନରେ ବିଜେପିର ମିଶ୍ରୀଲାଲ୍ ଯାଦବଙ୍କୁ ହରାଇଥିଲେ। କିନ୍ତୁ ୨୦୨୦ରେ ପରିବର୍ତ୍ତନ ଘଟିଥିଲା। ବିକାଶୀଳ ଇନ୍ସାନ୍ ପାର୍ଟି (ଭିଆଇପି)ର ମିଶ୍ରୀଲାଲ୍ ଯାଦବ ୬୧,୦୮୨ ଭୋଟ୍ ସହିତ ବିଜୟୀ ହୋଇ, ଆରଜେଡିର ବିନୋଦ ମିଶ୍ରଙ୍କ ୫୭,୯୮୧ ଭୋଟ ଉପରେ ୩,୧୦୧ର ବ୍ୟବଧାନରେ ଜିତିଥିଲେ। ଏହା ଏନ୍ଡିଏର ସମର୍ଥନରେ ହୋଇଥିଲା, ଯାହା ଆରଜେଡିର ଧୃର୍ବକ୍ଷେତ୍ରକୁ ଚ୍ୟାଲେଞ୍ଜ୍ ଦେଇଥିଲା। ୨୦୨୦ରେ ମୋଟ୍ ମତଦାନ ୫୭.୪ ପ୍ରତିଶତ ଥିଲା, ଯାହା ନିକଟମ ସଂଘର୍ଷକୁ ପ୍ରତିଫଳିତ କରୁଛି।
ଏବେ ମୈଥିଲୀଙ୍କ ପ୍ରାର୍ଥୀତ୍ୱ ଏହି କ୍ଷେତ୍ରରେ ନୂତନ ଉତ୍ସାହ ସୃଷ୍ଟି କରିଛି। ପୂର୍ବବର୍ତ୍ତୀ ଏମଏଲ୍ଏ ମିଶ୍ରୀଲାଲ୍ ଯାଦବ ୪ ଦିନ ତଳେ ବିଜେପି ଛାଡ଼ିବା ପରେ ଏହା ଆରଜେଡିଙ୍କ ପାଇଁ ସୁଯୋଗ ହୋଇପାରେ। କିନ୍ତୁ ମୈଥିଲୀଙ୍କ ସାଂସ୍କୃତିକ ପ୍ରଭାବ ଏବଂ ଯୁବକଙ୍କ ସମର୍ଥନ ବିଜେପିକୁ ଶକ୍ତିଶାଳୀ କରିପାରେ। ତେବେ ବିହାର ନିର୍ବାଚନ ନଭେମ୍ବର ୬ ଏବଂ ୧୧ ନଭେମ୍ବରରେ ହେବ, ଫଳାଫଳ ୧୪ ନଭେମ୍ବରରେ। ଏହା ବିହାରର ରାଜନୈତିକ ପରିଦୃଶ୍ୟରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ତେବେ ମୈଥିଳିଙ୍କୁ ପ୍ରାର୍ଥୀ କରିବା ପରେ ବିଜେପିର ୟୁଥ୍ ଅପିଲ୍ ଓ ସାଂସ୍କୃତିକ ସଂଗଠନର ଆକର୍ଷଣ ଅଧିକ ରହିପାରେ।..
