Rajya sabha Election 2026, ଡ଼ାର୍କ ହର୍ସ ହୋଇ ପାରନ୍ତି ରଘୁବର, ବସନ୍ତ, ଗୌତମ

ଭୁବନେଶ୍ୱର-(ହରେକୃଷ୍ଣ ଦାସ)- ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଗୌତମ ରାୟ, ବସନ୍ତ ପଣ୍ଡା ଓ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସତ୍ୟତା ନେଇ ସଂଦେହ ରହିଛି। ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ନୂଆପଡ଼ା ବିଧାନସଭା ଆସନ ଢୋଲକିଆ ପରିବାର ହାତକୁ ଚାଲି ଯାଇଥିବା ବେଳେ ବସନ୍ତ ପଣ୍ଡା ଓ ତାଙ୍କ ପୁଅଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ବସନ୍ତଙ୍କୁ ଥଇଥାନ ପାଇଁ ତାଙ୍କୁ ରାଜ୍ୟସଭା ଥୋପ ଦିଆଯାଇପାରେ। ସେହିପରି ଯାଜପୁର ବିଜେପି ସଙ୍ଗଠନକୁ ମଜବୁତ୍ କରିବା ପାଇଁ ଗୌତମ ରାୟଙ୍କୁ ବିଜେପି ରାଜ୍ୟସଭାକୁ ପଠାଇ ପାରେ। ଗୌତମ ରାୟଙ୍କୁ ନେଇ ବିଜେପି ଗୋଟିଏ ଗୁଳିରେ ତିନୋଟି ଶିକାର କରିପାରେ। ଯାଜପୁର ମୁଖ୍ୟାଳୟ ରାଜନୀତିରେ ବିଜେଡି ହେଭିୱେଟ ବବି ଦାସଙ୍କ ଦବଦବା ରହିଛି। ବବିଙ୍କୁ ଚେକ୍ ଦେବା ପାଇଁ ଗୌତମଙ୍କୁ ଭିଟାମିନ ଦେବା ନିହାତି ଆବଶ୍ୟକ। ଅନ୍ୟ ପଟେ ଯାଜପୁର ରାଜନୀତିରେ ଲିକୁ ସାହୁଙ୍କ ବଢୁଥିବା ପ୍ରଭାବ ଅନ୍ୟ ଏକ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଛି। ତେଣୁ ଗୌତମଙ୍କ ଜରିଆରେ ଲିକୁ ସାହୁଙ୍କୁ ଚେକ୍ ଦେବାକୁ ବିଜେପିର ଗୋଟିଏ ଗୋଷ୍ଠି ଅଡି ବସିଛନ୍ତି। ତେଣୁ ଗୌତମ ରାୟଙ୍କୁ ଯଦି ରାଜ୍ୟସଭା ଟିକେଟ ମିଳେ ତେବେ କେହି ଆଶ୍ଚର୍ୟ୍ଯ ହେବେ ନାହିଁ। ଏହା ଛଡ଼ା ଉଭୟ ବସନ୍ତ ଓ ଗୌତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ର ବୋଲି ସବୁ ଜାଣନ୍ତି। ସେଥିପାଇଁ କୌଣସି ମତେ ମନମୋହନ-ମୋହନ ଯୋଡି ଗୌତମ ଓ ବସନ୍ତ ପଣ୍ଡାଙ୍କୁ ଚାହିଁବେ ନାହିଁ। କିନ୍ତୁ ଧର୍ମେନ୍ଦ୍ରଙ୍କ ଚାପରେ କେନ୍ଦ୍ରୀୟ ନେତୃତ୍ବ ଯଦି ଗୌତମ ଓ ବସନ୍ତଙ୍କ ନାମକୁ ସବୁଜ ସଙ୍କେତ ଦିଅନ୍ତି ତେବେ ମନମୋହନ -ମୋହନ ଯୋଡିଙ୍କ କି ଭୂମିକା ରହିବ ତାହାକୁ ନେଇ ମଧ୍ଯ ଦଳ ଭିତରେ ଚର୍ଚ୍ଚା ଚାଲିଛି। ଅନ୍ୟ ପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନେଇ ମଧ୍ଯ ଚର୍ଚ୍ଚା ଚାଲିଛି। କିନ୍ତୁ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ମନମୋହନଙ୍କୁ ଦଳ ଟିକେଟ ଦେବା କାଠିକର ପାଠ ହେବ। କାରଣ ପଞ୍ଚାୟତ ସ୍ତରରେ ବିଜେପି ସଙ୍ଗଠନ ସୁଦୃଢ଼ ହୋଇନାହିଁ। ତେଣୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ମନମୋହନଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁନାହିଁ। ସେହିପରି ରାଜ୍ୟସଭା ଖାଲି ହେବାକୁ ଥିବା ୪ ଟି ଆସନରୁ ବିଜେପି ନିଜ ସାମର୍ଥ୍ୟରେ ଦୁଇ ଜଣଙ୍କୁ ନିଶ୍ଚିତ ପଠାଇବ। ଆଉ ଗୋଟିଏ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ । କିନ୍ତୁ କେଁ ରହିଛି ଚତୁର୍ଥ ଆସନ ପାଇଁ। କାରଣ ଚତୁର୍ଥ ଆସନ ପାଇଁ ନା ବିଜେପି ପାଖରେ ସଂଖ୍ୟା ଅଛି ନା ବିଜେଡି ପାଖରେ ଅଛି। ତେଣୁ ବିଜେପି ଏଠି ଗୋଟେ ବଡ ଗେମ୍ ଖେଳିପାରେ !  ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ବିଜେପି ପ୍ରାର୍ଥୀ କରିବା ନେଇ ଗୋଟିଏ ମହଲାରେ ଦାବୀ ହେଉଛି  । କାରଣ ରଘୁବର ଦାସଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉତ୍ତମ ସମ୍ପର୍କ ରହିଛି। ତେଣୁ ରଘୁବରଙ୍କୁ ପ୍ରାର୍ଥୀ କଲେ ନବୀନଙ୍କୁ ମନାଇବାରେ କିଛି ଅସୁବିଧା ହେବନାହିଁ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ଆଶା କରୁଛନ୍ତି। ଅନ୍ୟ ପକ୍ଷରେ ବିଜେଡ଼ି ଯଦି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦିଏ ତେବେ କଂଗ୍ରେସ ସମର୍ଥନ ଦେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରସ୍ତାବ ଦେଇ ହଟଚମଟ କରିଥଲେ। ଏଥିପାଇଁ ନବୀନଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ଭକ୍ତଙ୍କୁ ସମୟ ଦେବା ଦୂରର କଥା ଏ ବିଷୟରେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଲେ ନାହିଁ। ଏଥିରୁ ସ୍ପଷ୍ଟ୍ ହୋଇଛି ଯେ ନବୀନ କଂଗ୍ରେସ ସହ ମିଶି କୌଣସି ରାଜନୈତିକ ଗେମପ୍ଲାନରେ ସାମିଲ୍ ହୋଇ ବିଜେପିର କେନ୍ଦ୍ରୀୟ ନେତୃତ୍ବକୁ ନାରାଜ କରିବାକୁ ଚାହାନ୍ତି ନାହିଁ। ଅତଏବ୍ ନବୀନ ଚତୁର୍ଥ ଆସନ ପାଇଁ ବିଜେପିର ରଘୁବର କିମ୍ଵା ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ପାରନ୍ତି।

Leave a Reply

Your email address will not be published. Required fields are marked *