୩୬ ଘଣ୍ଟା ପରେ ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁନ୍ ଦଶ ତାରିଖ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ସେହି ଦିନ ପୂର୍ବାହ୍ନରେ ହିଁ ବିଜେପି ବିଧାୟକ ଦଳର ନେତା ଚୟନ କରାଯିବ। ଏନେଇ ରାଜ୍ୟବାସୀଙ୍କୁ ଆହୁରି ଦୁଇଦିନ ଅପେକ୍ଷା କରିବାକୁ ପଡିବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏହି ପ୍ରତିକ୍ରିୟା ବିଭିନ୍ନ ମହଲରେ ଉତ୍କଣ୍ଠାକୁ ବଳବତ୍ତର ରଖିଛି। ମୁଖ୍ୟମନ୍ତ୍ରୀ କାହାକୁ କରାଯିବ , ସେନେଇ ପ୍ରାୟ ପାଞ୍ଚ ଜଣଙ୍କ ନାଁ ଉପରେ ଆଲୋଚନା କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି- ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପାଟଣାଗଡ଼ ବିଧାୟକ କେଭି ସିଂଦେଓ, ରାଜ୍ୟ ସଭାପତି ଖୋଦ୍ ମନମୋହନ ସାମଲ, କେନ୍ଦୁଝର ବିଧାୟକ ମୋହନ ମାଝୀ ଏବଂ ରଣପୁର ବିଧାୟିକା ସୁରମା ପାଢୀ। ମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟକୁ ଦୀର୍ଘ ଅଢେଇ ଦଶନ୍ଧି ପରେ ଉପ-ମୁଖ୍ୟମନ୍ତ୍ରୀ ମିଳିବ ବୋଲି ଆଶା କରାଯାଉଛି। ଦେଶର ରାଜନୈତିକ ସ୍ଥିତି ନେଇ ବିଜେପି ଜଣେ ପରିପକ୍ୱ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି। ତେଣୁ ଦେଶ-ରାଜ୍ୟ ରାଜନୀତି ଏବଂ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖିପାରିବା ଭଳି ବ୍ୟକ୍ତିତ୍ୱ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବିଜେପି ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କଲେ ସମ୍ବଲପୁର ଆସନରୁ ଇସ୍ତଫା ଦେବେ। ଏହା ହେଲେ ସେ ପରଜଙ୍ଗ ଆସନରୁ ଲଢି ବିଧାନସଭା ଆସିପାରନ୍ତି। ମୋହନ ମାଝୀ ଏବଂ କେଭି ସିଂ ଦେଓ ବିଧାୟକ ଅଛନ୍ତି। ହେଲେ କେଭି ଏବଂ ମୋହନଙ୍କୁ ଦଳ କିପରି ଗ୍ରହଣ କରିବ, ସେ ନେଇ ତର୍ଜମା ଚାଲିବ। ଅନୁରୂପ ଭାବେ ମନମୋହନ ସାମଲଙ୍କୁ ନିର୍ବାଚିତ କରାଗଲେ, ସେ ମଧ୍ୟ ଗୋଟିଏ ଆସନରୁ ଜିତି ବିଧାୟକ ହୋଇ ଆସିବେ। ତେଣୁ କାହାର ନାମ ବିଜେପି ସଂସଦୀୟ ଦଳ ଚୂଡାନ୍ତ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

Leave a Reply

Your email address will not be published. Required fields are marked *