କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଉଛନ୍ତି । ଜୀବନଜୀବିକା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲା ଏପରିକି ରାଜ୍ୟ ବାହାରୁ ବି ଅନେକ ରୋଜଗାର ପାଇଁ  ମଧ୍ୟ ଏଠାକୁ ଆସିଥାନ୍ତି।

ଅର୍ଥନୈତିକ ଭାବେ ଗୁରୁତ୍ୱ ବହନ କରୁଥିବା ଏହି ଆସନ ଅନ୍ୟ କେତେକ କାରଣରୁ ମଧ୍ୟ ଗୁରୁତ୍ୱ ବହନ କରୁଛି।  ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମସ୍ଥାନ । ତେଣୁ ଏ ନିର୍ବାଚନ ମଣ୍ଡଳୀ ଉପରେ କେଵଳ ରାଜ୍ୟ ନୁହେଁ ଜାତୀୟସ୍ତର ଗଣମାଧ୍ୟମର ବି ନଜର ରହିଛି। ଏହି ନିର୍ବାଚନମଣ୍ଡଳୀ ଏକ ଅଣକଂଗ୍ରେସ ଦଡ଼। ୧୯୮୫ ମସିହା ପରଠାରୁ କଂଗ୍ରେସ ଏଠୁ ଆଉ ଜିତି ପାରିନାହିଁ ।୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ଜନତା ଦଳର ହାୱା ଥିବା ବେଳେ ତାଳଚେର ଭୋଟର ଜନତା ଦଳ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ସ୍ଵାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ । ୧୯୯୫ ରେ ରାଜ୍ୟରେ ଏପରିକି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରର କଂଗ୍ରେସ ଏକ ପ୍ରକାର ବାତ୍ୟା କରି ସବୁ ଆସନ (୯ରୁ ୮)ନେଇଯାଇଥିବା ବେଳେ ତାଳଚେର ବିଜେପିକୁ ଜିତାଇଥିଲା ।

FILE PHOTO: Trucks move in the Mahanadi coal fields, near Talcher town in the eastern state of Odisha, India, March 28, 2012. REUTERS/Rupak De Chowdhuri/File Photo

ଆସନ୍ତା ବିଧାନସଭା ନିର୍ବାଚନ ହେବାକୁ ଆଉ ବର୍ଷେ ସମୟ ବି ନାହିଁ । ରାଜନୈତିକ ପାଣିପାଗ କ୍ରମଶଃ ଉଷ୍ଣ ହେବାକୁ ଲାଗିଲାଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଘନଘନ ତାଳଚେରକୁ ଆସି ଅନେକ କାର୍ଯ୍ୟକ୍ରମରେ ସାମିଲ ହେଲେଣି । ନିକଟରେ 5-ଟି  ସଚିବ ମଧ୍ୟ ତାଳଚେର ଆସିଥିଲେ। ବିଜେଡ଼ି ତାଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରା ଲାଗି ପଡ଼ିଥିଲା । ବିଧାୟକ ତାଙ୍କ କଳ ବଳ ଅର୍ଥ ଲୋକ ସବୁ ଲଗାଇ ଦେଇଥିଲେ ସଚିବଙ୍କୁ ଖୁସ କରିବା ପାଇଁ ।

ଆଗାମୀ ନିର୍ବାଚନରେ କଣ ହେବ ଏବେଠୁ କହିବା ଟା ଏକପ୍ରକାର କାଠିକର ପାଠ। ମାତ୍ର ରାଜନୀତି ଶତ ସମ୍ଭାବନାର ତୀର୍ଥକ୍ଷେତ୍ର। ତେଣୁ ପ୍ରମୁଖ ଦଳ ଗୁଡିକରୁ ଆଶାୟୀ ଅଛନ୍ତି। ବର୍ତ୍ତମାନର ରାଜନୈତିକ ସ୍ଥିତି ଅନୁଯାୟୀ ବିଜେଡି ପକ୍ଷରୁ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବିଜେପି ପକ୍ଷରୁ କାଳନ୍ଦୀ ସାମଲ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି । କିଛି ସ୍ଥାନୀୟ ରାଜନୈତିକ ସମୀକ୍ଷକଙ୍କ  ମତରେ  ବିଜେଡି ଯଦି ତାହାର ରଣ ନୀତି ବଦଳାଇ ବିଧାୟକଙ୍କୁ ଢେଙ୍କାନାଳ  ସାଂସଦ ପ୍ରାର୍ଥୀ ଓ ଢେଙ୍କାନାଳ ସାଂସଦଙ୍କୁ ତାଳଚେର ବିଧାୟକ ପ୍ରାର୍ଥୀ କରିପାରେ । କାରଣ ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀ ଏଥର ଢେଙ୍କାନାଳରୁ ସାଂସଦ ପ୍ରାର୍ଥୀ ଭାବରେ ଲଢ଼ି ପାରନ୍ତି । ମାତ୍ର ବ୍ରଜ ବ୍ୟକ୍ତିଗତ ଭାବେ ଏମପି ଲଢିବାକୁ ଆଗ୍ରହ ନାହାନ୍ତି। ଆଉ ଗୋଟିଏ କଥା ଚର୍ଚ୍ଚା ହେଉଛି-ଧର୍ମେନ୍ଦ୍ର ନିଜେ ଯଦି ଢେଙ୍କାନାଳରେ ଲଢନ୍ତି, ତେବେ ତାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ବିଜେଡି ସହ ପଛଦ୍ୱାର ଦେଇ ହାତ ମିଳାଇପାରନ୍ତି।  କିଛିଦିନ ହେବ ସ୍ଥାନୀୟ  ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର ନିଜ ନିର୍ବାଚନ ମଣ୍ଡଳୀ ସହ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ମଣ୍ଡଳୀଗୁଡିକର ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ ମଧ୍ୟ କରୁଛନ୍ତି । ସେହିପରି ବିଜେପିରେ ଅନେକ ଆଶାୟୀ ।  କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ  ରହିଛି।  କଂଗ୍ରେସ ଦଳ ଅନେକ ନିର୍ବାଚନରେ କୌଣସି ଆଖି ଦୃଶିଆ ଫଳ ପାଇନଥିଲେ ବି ନିର୍ବାଚନ ଲଢ଼ିବ।  ବାରମ୍ବାର ପରାଜିତ ହେଉଥିଲେ ବି ଏ ଦଳରେ ଆଶାୟୀ ବି କିଛି କମ ନାହାନ୍ତି। ଅନ୍ୟ ଦଳ ଗୁଡିକ ମଧ୍ୟରେ ଆପ ଦଳ ଏଥର ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି । ଆଗାମୀ ଦଶହରା ବେଳକୁ ନିର୍ବାଚନୀ ଚିତ୍ର ଆହୁରି ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *