ଅନୁଗୋଳ ବିଜେଡି ଟିକେଟ୍ ନେଇ ନିଶ୍ଚିତ ନୁହଁନ୍ତି  ଉପ-ବାଚସ୍ପତି ରଜନୀକାନ୍ତ ସିଂ , ସାରା ସହରରେ ଗୋଟିଏ ଚର୍ଚ୍ଚା … ଏଥର କିଏ… ମଣ୍ଟୁ ,ମୁନା ନା ମହେଶ ???

ଭୁବନେଶ୍ୱର :  ବିଜେଡ଼ି ଆରମ୍ଭ ହେବା ଦିନ ଠାରୁ ଅନୁଗୋଳ ବିଧାନସଭା କ୍ଷେତ୍ରଟି ଶାସକ ଦଳର ଗଡ଼ ହୋଇ ରହିଛି। ବିଜେଡିର ଗଡ଼ ଅପେକ୍ଷା ଏହା ସ୍ଥାନୀୟ ସିଂହ ପରିବାରର ହସ୍ତ ମୁଦି ମାହାଲା ବୋଲି କୁହାଯାଇପାରେ । ୨୦୦୦ ମସିହାରୁ ଆଜି ଯାଏ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେଡ଼ି ବାଜିମାତ କରିଛି । ୨୦୦୦ ମସିହାରେ ଅଦୈତ୍ୟ ପ୍ରସାଦ ସିଂହ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ଆଜି ଯାଏ ଅନୁଗୋଳରୁ ଯେତେ ବିଧାୟକ ହୋଇଛନ୍ତି ତାହାର ପ୍ରାୟ ଅର୍ଦ୍ଧାଧିକ ସମୟ ଅଧିକ କାଳ ସିଂହ ପରିବାର ଜିତିଛନ୍ତି । ୨୦୦୪ ମସିହାରେ ବୟସାଧିକ ପାଇଁ ବିଜେଡି ଅଦୈତ୍ୟବାବୁଙ୍କୁ ବାଦ ଦେଇ ନୂଆ ପ୍ରାର୍ଥୀ ଖୋଜିବା ବେଳେ ବରିଷ୍ଠ ସିଂହ ନିଜ କର୍ମୀ ସହଯୋଗୀଙ୍କୁ ଭୁଲି ନିଜ ପୁତ୍ର ରଜନୀକାନ୍ତ ସିଂହ ରାଜନୈତିକ ଉତ୍ତରାଧିକାରୀ କରିଥିଲେ । ନାଲକୋରେ କାର୍ଯ୍ୟ କରୁଥିବା ରଜନୀକାନ୍ତ ଓରଫ  ମଣ୍ଟୁବାବୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡି ଦଳରୁ ଲଢ଼ି ଲଗାତାର ଚାରିଥର (୨୦୦୪,୨୦୦୯,୨୦୧୪,୨୦୧୯ )ବିଧାୟକ ଭାବେ ନିର୍ବାଚିତ ହୋଇ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ନବୀନବାବୁଙ୍କ ସରକାରରେ ଥରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରି ସାରିଥିବା ମଣ୍ଟୁ ସିଂହ ଆଜି ଵିଧାନସଭା ଉପ-ବାଚସ୍ପତି । ତାଙ୍କ ପିତା ଯେପରି ମଣ୍ଟୁବାବୁଙ୍କୁ ରାଜନୀତିରେ ଥାଇଥାନ କରିବାରେ ସଫଳ ହେଲେ । ମଣ୍ଟୁବାବୁ ମଧ୍ୟ ନିଜ ପୁତ୍ରଙ୍କୁ ତାଙ୍କ ବଦଳରେ ବା ତାଙ୍କ ଉତ୍ତରାଧିକାରୀ କରି ଦଳୀୟ ଟିକେଟ ଦେବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଅନୁଗୋଳର ଗଳିକନ୍ଦିରେ ଚର୍ଚ୍ଚାର କାରଣ ହୋଇଛି। ତାଙ୍କ ପୁତ୍ର ଅରୁଣାଭଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଏବେ ଅଧିକ ଦେଖିବାକୁ ମିଳୁଛି । ବିଜେଡ଼ି ହେବା ଦିନଠୁ ଜିଲ୍ଲା ସଙ୍ଗଠନ ଦାୟିତ୍ୱ ସିଂହ ପରିବାର ହାତରେ। ଏବେ ମଧ୍ୟ ସଭାପତି ଥିବା ବ୍ୟକ୍ତି ବିଜେଡ଼ି ଅପେକ୍ଷା ସିଂହ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ।

କିନ୍ତୁ ଅନୁଗୋଳ ବିଧାନସଭା କ୍ଷେତ୍ରରେ ମଣ୍ଟୁବାବୁଙ୍କ ଏକାଧିପତିତ୍ୱ ଆଉ ନାହିଁ। ଗତ ଦଶନ୍ଧି ଅପେକ୍ଷା ତାଙ୍କ ପତିଆରା ହ୍ରାସ ପାଇଛି।  ତାଙ୍କୁ ଟକ୍କର ଦେବା ପାଇଁ ଅନୁଗୋଳ  ପୌରପାଳ ମୁନାବାବୁ ବା ଅକ୍ଷୟ ସାମନ୍ତଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହୁଛି । ଯାହାକି ପୂର୍ବରୁ ଏତେଟା ରହୁ ନ ଥିଲା। ଅନୁଗୋଳରେ ବିଜେଡି ଜିତିଥିଲେ ବି ପୌର ପରିଷଦ ଦଖଲ କରିବାରେ ଅତୀତରେ ମଣ୍ଟୁବାବୁ ଓ ତାଙ୍କ ବିଜେଡି ବିଫଳ ହୋଇଥିଲା । କିନ୍ତୁ ୨୦୨୨ନିର୍ବାଚନରେ ବିଜେଡି ନଗରପାଳ ପଦ ଜିତି ପାରିଛି । ଅକ୍ଷୟ ସାମନ୍ତ ଯିଏ କି କଂଗ୍ରେସର ନଗରପାଳ ଥିଲେ ଢେଙ୍କାନାଳ ସାଂସଦଙ୍କ ପରାମର୍ଶ ଓ ସହଯୋଗରେ ବିଜେଡିରେ ଯୋଗ ଦେଇ ପୌରାଧ୍ୟକ୍ଷ ।ଏବେ ଦଳୀୟ ଟିକେଟ ଦୌଡ଼ରେ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି । ସାଂସଦ ଶ୍ରୀ ସାହୁଙ୍କ ସମର୍ଥନ କୁଆଡେ ମୁନାବାବୁଙ୍କ ପ୍ରତି ରହିଛି ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ କହି ବୁଲୁଛି। ଏହି ଦୁଇ ରାଜନୈତିକ ‘’ମ” ନାମଧାରୀ ମଣ୍ଟୁବାବୁ ଓ ମୁନାବାବୁଙ୍କ ଲଢେଇରେ ଆଉ ଜଣେ ‘ମ’ ନାମଧାରୀ ବ୍ୟବସାୟୀଙ୍କ ନାଁ ମଧ୍ୟ ଏବେ ଖୁବ ଚର୍ଚ୍ଚାରେ । ସେ ହେଲେ ମହେଶ ଧଳ । ଶିକ୍ଷା ବ୍ୟବସାୟରେ ସେ ଅନୁଗୋଳ ଜିଲ୍ଲାର ଜଣେ ଚର୍ଚ୍ଚିତ ନାଁ । ଆଦର୍ଶ ବ୍ରାଣ୍ଡରେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ଚଲାଇଛନ୍ତି । ସେ ମଧ୍ୟ ବିଧାୟକ ଟିକେଟ ଦୌଡରେ ରହିଲେଣି  ବିଜେଡ଼ି ଅନେକ ଛାମୁଆ ନେତା ଯେଉଁମାନେ ବିଧାୟକ ତଥା ଉପବାଚସ୍ପତିଙ୍କ ବିରୋଧୀ ତାଙ୍କୁ ମହେଶ ଧଳଙ୍କ ସହ ଦେଖିବାକୁ ମିଳିଲାଣି। ତେଣୁ ବିଜେଡି ଟିକେଟ୍ ଉପରେ ସିଂହ ପରିବାର ନା ଅନ୍ୟ କାହାର ଆଧିପତ୍ୟ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।

One thought on “ଅନୁଗୋଳ ବିଜେଡି ଟିକେଟ୍ ନେଇ ନିଶ୍ଚିତ ନୁହଁନ୍ତି  ଉପ-ବାଚସ୍ପତି ରଜନୀକାନ୍ତ ସିଂ , ସାରା ସହରରେ ଗୋଟିଏ ଚର୍ଚ୍ଚା … ଏଥର କିଏ… ମଣ୍ଟୁ ,ମୁନା ନା ମହେଶ ???

Leave a Reply

Your email address will not be published. Required fields are marked *