କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ 50 ଜଣିଆ ଟିମ୍ ଚାହୁଁଛନ୍ତି, ଯେଉଁ ମାନେ ନିର୍ବାଚନ ଲଢିବେ ନାହିଁ। କିନ୍ତୁ ଜାତୀୟ ସ୍ତରରେ ସୁନୀଲ ଦେଓଧର, ରାମ ମାଧବ, ସୌଦ୍ଧାନ ସିଂ ପରି କାମ କରିବେ। ଯେଉଁମାନେ ଲୋକସଭା ଦାୟିତ୍ୱରେ ରହିବେ, ସେମାନେ ଏବେଠୁ ଘର ଛାଡିବେ। ହେଲେ ଏହି ସବୁକୁ ଛାଡି ଦେଲା ପରେ ଗୋଟିଏ ଚିନ୍ତା ସୁନୀଲ ବଂଶଲ ଏବଂ କେନ୍ଦ୍ର ବିଜେପିକୁ ଅଡୁଆରେ ପକାଇଛି।

ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେପି ରାଜ୍ୟ ପ୍ରଚାର କମିଟି ଘୋଷଣା କରିବାକୁ ଚାହୁଁଛି। ହେଲେ ଏହି କମିଟିରେ କିଏ ରହିବେ, ତାହା ଏକ ପ୍ରକାର ସ୍ଥିର ହୋଇସାରିଛି। ହେଲେ ଏହାର ଅଧ୍ୟକ୍ଷ କିଏ ହେବେ, ସେ ନେଇ ଅଙ୍କ ଛିଣ୍ଡୁନି। ଏନେଇ ମନମୋହନ ସାମଲ, ଡି. ପୁରନ୍ଦେଶ୍ୱରୀ, ସୁନୀଲ ବଂଶଲ ଏବଂ ଜେ.ପି ନଡ୍ଡା କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହାନ୍ତି। ଝାରସୁଗୁଡ଼ାର ଏକ ନିର୍ବାଚନ ପ୍ରଚାର ସଭାରେ ପୁରନ୍ଦେଶ୍ୱରୀଙ୍କ ସଭାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଫଟୋ ଫ୍ଲେକ୍ସରେ ରଖାଯାଇ ନ ଥିଲା। ଯାହାକୁ ନେଇ ସାମାନ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଚାର କମିଟି ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲ ସର୍ବାଗ୍ରେ ରହିଛନ୍ତି। ହେଲେ କିଛି ସାଂସଦ ଏବଂ ଉଚ୍ଚ ବର୍ଗର ନେତାମାନେ ଅପରାଜିତାଙ୍କୁ ସେହି ପଦରେ ଦେଖିବାକୁ ଚାହୁଁଛନ୍ତି। ଯାହାକୁ ନେଇ କେନ୍ଦ୍ର ବିଜେପି ଅଡୁଆ ସୂତାରେ ଫସି ଯାଇଛି। ପ୍ରଚାର କମିଟି ଅଧ୍ୟକ୍ଷ ଦଳର ଏକ ପ୍ରକାର ମୁଖ୍ୟ ଆକର୍ଷଣ ହେବେ, ତେଣୁ ୨୦୧୯ରେ ଦଳକୁ ଆସିଥିବା ଅପରାଜିତାଙ୍କୁ ଏହି ପଦରେ ବସାଯିବାକୁ କେତେକ ଗ୍ରହଣ କରିପାରୁନାହାନ୍ତି। ସଭାପତି ଭାବେ ମନମୋହନ ସାମଲ ଏହି ଦୌଡ଼ରେ ରହିଛନ୍ତି। ମାତ୍ର ତାଙ୍କୁ ଏକକାଳୀନ ଦୁଇଟି ଦାୟିତ୍ୱ ଦିଆଯିବାର ସମ୍ଭାବନା କମ୍ ରହିଛି। କେତେକ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ଦେବା ସମ୍ପର୍କରେ ଆଗରୁ ଖବର ପାଇଁ ଜେ.ପି ନଡ୍ଡାଙ୍କୁ କେତେକ ପ୍ରସ୍ତାବ ଦେଇଛନ୍ତି। କର୍ନାଟକ ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଉ। ଯାହାକୁ ନେଇ ଶ୍ରୀ ପ୍ରଧାନଙ୍କ ଶିବିର ବେଶ୍ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କର୍ନାଟକ ନିର୍ବାଚନ ଦାୟିତ୍ୱ ପ୍ରଧାନ ନେଇଥିଲେ ବି ହାରଜିତ୍ ସ୍ଥାନୀୟ ପ୍ରସଙ୍ଗ ଉପରେ ନିର୍ଭର କରିବ। ତେଣୁ କର୍ନାଟକ ଫଳାଫଳ ପରେ ତାଙ୍କୁ ଦାୟିତ୍ୱ ଦେଇ କେତେକ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଏକ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା କୁହାଯାଇଛି।
ଝାରସୁଗୁଡ଼ାରୁ କଣ କରୁଛି ଆଶା
ବିଜେପି ନେତୃତ୍ୱ ଝାରସୁଗୁଡାରେ ପାଇଥିବା ପୂର୍ବ ଭୋଟ ବଳବତ୍ତର ରଖିବାକୁ ଚାହୁଁଛି। ଗତଥର ବିଜେପି ୫୨୯୨୧ଖଣ୍ଡ ଭୋଟ ପାଇଥିଲା। ଚଳିତ ଥର ଏହି ଭୋଟ ବଜାୟ ରଖିବା କିମ୍ବା ଏହାକୁ ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। କୌଣସି ପରିସ୍ଥିତିରେ ଏହି ଭୋଟ ହ୍ରାସ କରିବାକୁ ଚାହୁଁନି ବିଜେପି। ଯଦି ଭୋଟ ହ୍ରାସ ହେଉଛି, ତେବେ ଏହାର ଦୀର୍ଘକାଳୀନ ପ୍ରଭାବ ରାଜ୍ୟ ରାଜନୀତିରେ ପଡ଼ିବ ବୋଲି ବିଜେପି ନେତୃତ୍ୱ ଅନୁଭବ କରୁଛି।

Leave a Reply

Your email address will not be published. Required fields are marked *