କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି କର୍ନାଟକ ବାସୀ… ଜାଣନ୍ତୁ ….

ବେଙ୍ଗଲୁରୁ: କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି। କଂଗ୍ରେସ, ବିଜେପି ଏବଂ ଜେଡିଏସ୍ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି। ମେ ମାସ ୧୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ସେହି ମାସ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସରକାର କିଏ ଗଢିବ, ତାହା ତ ଜଣାନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମସ୍ତଙ୍କୁ ପଛରେ ପକାଇ ସିଦ୍ଧରମାୟା ଆଗରେ ରହିଛନ୍ତି। ସେ ବର୍ତ୍ତମାନ କର୍ନାଟକ ବିଧାନସଭାର ବିରୋଧି ଦଳ ନେତା ରୂପେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ବସବରାଜ ବୋମାଇ ସିଦ୍ଧରମାୟାଙ୍କ ଠାରୁ ବହୁତ ପଛରେ ରହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବିଏସ୍ ୟେଦୁରପ୍ପା, ଏଚ କୁମାରସ୍ୱାମୀ, ଡିକେ ଶିବ କୁମାର ପ୍ରମୁଖ ମୁଖ୍ୟମନ୍ତ୍ରୀ ଦୌଡରେ ଜନତାଙ୍କ ପସନ୍ଦ ପାଲଟିଛନ୍ତି।

କିଛିଦିନ ତଳେ କରାଯାଇଥିବା ,ସର୍ଭେକ୍ଷଣରେ ସିଦ୍ଧରାମାୟାଙ୍କୁ ୩୯.୧ ପ୍ରତିଶତ ଜନତା ପସନ୍ଦ କରୁଛନ୍ତି। ସେହିପରି ବସବରାଜଙ୍କୁ ୩୧.୧ପ୍ରତିଶତ, କୁମାରସ୍ୱାମୀଙ୍କୁ ୨୧.୪ ପ୍ରତିଶତ ଏବଂ ଡିକେ ଶିବ କୁମାରଙ୍କୁ ୩.୨ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଏହି ସର୍ଭେକ୍ଷଣରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ କାମକୁ ୨୭.୭ % ଲୋକ ଭଲ ବୋଲି କହିଥିବା ବେଳେ ପ୍ରାୟ ୫୦.୫% ନାପସନ୍ଦ କରିଛନ୍ତି। ୫୭ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ଚାହାନ୍ତି। ଏହି ସର୍ଭେ ସି ଭୋର ଦ୍ୱାରା କରାଯାଇଥିଲା।