ଯେ କୌଣସି ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରେ : ଅଜିତ୍ ପାଓ୍ୱାର
ମୁମ୍ବାଇ,୨୨/୪(ବ୍ୟୁରୋ): ୨୦୨୪ ମହାରାଷ୍ତ୍ର ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନ୍ସିପି) ନେତା ଅଜିତ ପାୱାର୍ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୦୪ରେ ‘ଏନ୍ସିପି’ କଂଗ୍ରେସ୍ଠାରୁ ଅଧିକ ଆସନ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ‘ଏନ୍ସିପି’କୁ ମିଳିବାର ଥିଲା। ହେଲେ ଦଳକୁ ମିଳିଲା କେବଳ ଉପମୁଖ୍ୟମନ୍ତ୍ରୀ ପଦ। ଯଦି ସବୁ କିଛି ଠିକ୍ ରୁହେ, ତେବେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ପଦ ଦାବି କରିବାକୁ ଆମେ ପ୍ରସ୍ତୁତ ହୋଇ ରହିଛୁ ବୋଲି ଶ୍ରୀ ପାଓ୍ୱାର ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ସମଗ୍ର ମହାରାଷ୍ଟ୍ରରେ ପୌର ନିର୍ବାଚନ ହେବାକୁ ଯାଉଛି। ଦିନକ ପୂର୍ବରୁ ଶରଦ ପାଓ୍ୱାର ଦଳୀୟ କର୍ମୀ ଏବଂ ନେତାମାନଙ୍କ ସହ ଏକ ବୈଠକ କରିଥିଲା। ହେଲେ ଏହି ବୈଠକରେ ଅଜିତ ପାୱାରଙ୍କୁ ଦେଖିବାକୁ ମିଳି ନ ଥିଲା। ହେଲେ ଅନଯ ବରିଷ୍ଠ ନେତା ତଥା ଜୟନ୍ତ ପାଟିଲ, ସାଂସଦ ପ୍ରଫୁଲ ପଟେଲ, ଛଗନ ଭୁଜବଳ , ଅନିଲ ଦେଶମୁଖ ଏବଂ ଆଦିତି ତତ୍କରେ ବୈଠକରେ ଯୋଗ ଦେଇଥିଲେ। ତେବେ କୌଣସି ରାଜନୈତିକ କାରଣ ପାଇଁ ଅଜିତ ପାୱାରଙ୍କୁ ବୈଠକରୁ ବାଦ୍ ଦିଆଯାଇଛି ବୋଲି ଚର୍ଚ୍ଚା ଲାଗି ରହିଛି। ତେବେ ଦଳ ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି ଯେ, ଏନସିପି ବୈଠକ ସମୟରେ ଅଜିତ ପାୱାର କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ପୁନେରେ ରହିବେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇସାରିଛି। ତେଣୁ ସେ ବୈଠକରେ ଅନୁପସ୍ଥିତ ରହିଛନ୍ତି। ପିଡିସିସି ବ୍ୟାଙ୍କ ସମ୍ମିଳନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଅଜିତ ପାୱାର କହିଛନ୍ତି, ଏନ୍ସିପି ବୈଠକରୁ ତାଙ୍କୁ ବାଦ୍ ଦିଆଯାଇନି।