ବାରବାଟୀକୁ କାହିଁକି ମିଳିଲାନି ମ୍ୟାଚ୍ ଜାଣନ୍ତୁ …….

ଭୁବନେଶ୍ବର; ଗତକାଲି ବିସିସିଆଇ ଦ୍ବାରା ଘୋଷଣା କରାଯାଇଥିବା ୨୦୨୩-୨୪ ଘରୋଇ ସୂଚୀରେ ବାରବାଟିର ନାଁ ନାହିଁ । ଯେଉଁଠି ପଡୋଶୀ ରାଜ୍ୟ ମାନଙ୍କୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ବାରବାଟୀ ପାଇଁ ଗୋଟେବି ହେଲେ ମ୍ୟାଚ ମିଳୁ ନାହିଁ। ପୂର୍ବରୁ ଦିନିକିଆ ବିଶ୍ବକପ ଖେଳସୂଚୀରେ ମଧ୍ୟ ବାରବାଟିର ନାଁ ନଥିଲା । ପୁଣି ଏବେ ଘରୋଇ ସୂଚୀରେ ନାଁ ନଥିବା କାରଣରୁ ଓଡ଼ିଶାର କ୍ରୀକେଟ୍ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଏଥର ଭାରତୀୟ ଦଳ ଘରୋଇ ମାଟିରେ 16 ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବ । ଯେଉଁଥିରେ ୫ଟି ଟେଷ୍ଟ, ୩ଟି ଦିନିକିଆ, ଏବଂ ୮ଟି ଟି-୨୦ ସାମିଲ ରହିଛି । ଘରୋଇ ସିଜିନର ଆରମ୍ଭ ଦଳ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଦିନିକିଆ ମ୍ୟାଚରୁ କରିବ । ତେବେ ପୂର୍ବରୁ ବିସିସିଆଇକୁ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)କୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସେତେବେଳେ ଓସିଏ ପ୍ରସ୍ତୁତ ନାହିଁ ବୋଲି କହିବାରୁ ସେହି ମ୍ୟାଚ୍ ଅନ୍ୟ ରାଜ୍ୟ ହାତକୁ ଚାଲିଯାଇଥିଲା ।

ଓସିଏ ସମ୍ଫାଦକ ସଞ୍ଜୟ ବେହେରାଙ୍କ କହିବା ଅନୁସାରେ ବାରବାଟୀରେ ଟେଷ୍ଟ ମ୍ୟାଚ୍ ଖେଳାଯିବା ସ୍ତରର ନୂଆ ପିଚ୍ ପ୍ରସ୍ତୁତ କରାଯାଉଛି। ଆଉ ଦୁଇ ତିନିମାସ ମଧ୍ୟରେ ପିଚ୍ କାମ ଶେଷ ହେବ। ବାରବାଟୀରେ ଟ୍ବେଣ୍ଟି-୨୦ କିମ୍ବା ଦିନିକିଆ ମ୍ୟାଚ୍ ଆୟୋଜନ ଅପେକ୍ଷା ଏଠାକୁ ଟେଷ୍ଟ ମାନ୍ୟତା ଫେରାଇ ଆଣିବାକୁ ଓସିଏ ଲକ୍ଷ୍ୟ ରଖିଛି। ତେଣୁ ବିସିସିଆଇ ପକ୍ଷରୁ ଯେତେବେଳେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଆୟୋଜନ ପ୍ରସ୍ତାବ ଦିଆଯାଇଥିଲା, ସେତେବେଳେ ଆମେ ତାହାକୁ ମନା କରିଥିଲୁ। ନୂଆ ପିଚ୍ରେ କିଛି ଘରୋଇ ମ୍ୟାଚ୍ ଖେଳାଯାଇ ତାହାକୁ ପରୀକ୍ଷା କରାଯିବ। ଏହାପରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ପ୍ରତିନିଧି ବାରବାଟୀ ପିଚ୍ ମାନ ଯାଞ୍ଚ କରିବା ପରେ ଏହାକୁ ଟେଷ୍ଟ ମାନ୍ୟତା ମିଳିପାରିବ। ତେଣୁ ବାରବାଟୀକୁ କିପରି ଟେଷ୍ଟ ମ୍ୟାଚ୍ ଫେରିବ, ସେ ଦିଗରେ ଓସିଏ ପକ୍ଷରୁ ବିସିସିଆଇ ସହିତ ଆଲୋଚନା କରାଯାଉଥିବା ସଂଜୟ କହିଛନ୍ତି