ସବୁ ଥାଇ କାହିଁକି ଧର୍ମେନ୍ଦ୍ର ଆଜି ବିବଶ.. ଅସହାୟ….

ଭୁବନେଶ୍ୱର : (ସତ୍ୟଜିତ ମିଶ୍ର)-ଛାତିରେ ଥିଲା ଲୌହ ସାଞ୍ଜୁ। ଶତ୍ରୁ ପକ୍ଷର ଭାଲ, ତୀର, ବର୍ଚ୍ଛା ଆସି ଏ ସାଞ୍ଜୁରେ ପ୍ରତିଘାତ ଦେଉଥିଲା। ଝଣ ଝର୍ଯର ଶବ୍ଦରେ ଖସି ପଡୁଥିଲା। ସେନାପତିଙ୍କ ହାତରେ ଥିବା ଲହ ଲହ ଅଶୀ କେତେବେଳେ ସରଳ ରେଖାରେ ତ କେତେ ବେଳେ ଚକ୍ରାକାରରେ ଘୁର୍ଣ୍ଣାୟମାନ ହୋଇ ଶତ୍ରୁର ଶିର ଛେଦନ କରୁଥିଲା।
ସେନାପତି ଆଗେଇ ଚାଲୁ ଥିଲେ। ଧୀରେ ଧୀରେ ପାଦ ଅବଶ ହୋଇ ପଡ଼ିଲା। କାରଣ ପିଠିରେ ଲଟକି ରହିଥିଲା ଅସଂଖ୍ୟ ଛୁରୀକା।
ଏ ଛୁରୀକା ଶତ୍ରୁ ପକ୍ଷର ନଥିଲା।
  ବରଂ ନିଜ ଲୋକ ପଛରୁ ମାରିଛନ୍ତି।
ଲହୁରେ ଓଦା ପିଠି, ବୋଲ ମାନୁ ନଥିବା ପାଦକୁ ନେଇ ସେନାପତି ପହଞ୍ଚିଛନ୍ତି ଧଉଳିରେ। ଦଣ୍ଡେ ବସିଲେ ଶାନ୍ତି ସ୍ତୁପ ଆଗରେ। ଆଶୀର୍ବାଦ ମୁଦ୍ରାରେ ଆଖି ବୁଜି ବସିଥିବା ବୁଦ୍ଧଙ୍କ ଆଗରେ ତାଙ୍କ ଅଜାଣତରେ ଦୁଇ ଟୋପା ଲୁହ ଆସିଗଲା।

ଦେବତାଙ୍କ ସହ ଲଢ଼ି ସେ ଯେ ଦାନବ ସୃଷ୍ଟି କରି ଚାଲିଥିଲେ, ଏକଥା ସେ ବୁଝି ସାରିଥିଲେ। ଚିବୁକରେ ଝରି ପଡିଥିବା ଅଶ୍ରୁ ଧଉଳିର ମଧ୍ୟାନ୍ତର ସୂର୍ଯ୍ୟାଲୋକରେ ଚକମକ କରୁଥିଲା।

….ଏହା ହିଁ ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧଉଳି ଗସ୍ତ।
ପ୍ରଧାନମନ୍ତ୍ରୀଙ୍କ ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି, ବୁର୍ଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ ହେଲା। ସମ୍ବଲପୁରଠାରୁ କଣ ଏକ ରେଳ ଦୋହରିକରଣ ପ୍ରକଳ୍ପ ମଧ୍ୟ ଉଦଘାଟିତ ହେଲା। ସମ୍ବଲପୁର ସାଂସଦ ନଥିଲେ ଯଦିଓ କିଛି ଦିନ ତଳେ ଝାରସୁଗୁଡାରେ ଯାଇ ସେ ଚା ମୁଢି ଭଜା ଖାଇଥିବା ଫଟୋ ଫେସବୁକରେ ସ୍ଥାନିତ କରିଥିଲେ। କେନ୍ଦ୍ରାପଡା ସାଂସଦ ଗଲେ ଅଥଚ ସମ୍ବଲପୁର ସାଂସଦଙ୍କ ଦେଖା ନଥିଲା।

ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି ଏଥର ଆଉ କେହି ନୁହେଁ ନିଜେ ମୋଦି ସାରିଦେଲେ। ସ୍ପଷ୍ଟ ସଙ୍କେତ, ଏଥିରେ ଲୁଚାଛପା ନାହିଁ। ଏ ଥିଲା ଧର୍ମେନ୍ଦ୍ର ତିଆରି କରିଥିବା ସୈନିକମାନଙ୍କର ଛୁରୀକାଘାତର ଫଳ।
୨୦୧୫ରେ ଧର୍ମେନ୍ଦ୍ର ଯେତେବେଳେ ଓଡିଶା ରାଜନୀତିରେ ଏଣ୍ଟ୍ରି ମାରିଲେ ସଙ୍ଗଠନ ଥିଲା ସାହାରା ମରୁଭୂମି। ସେ ଖାଲି ପାଣି ଢାଳିଲେ। ବାଲି ଚଂ ଚଂ କରି ପାଣି ପିଇଗଲା।
ବର୍ଷେ flash back କୁ ନେଉଛି। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ଗସ୍ତ ଥିଲା ମାହାଙ୍ଗା।
କାହିଁକି ଜାଣନ୍ତି???
ମାହାଙ୍ଗାର ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନ ପାଣି ଢାଳୁଥିଲେ। BJP ନେତାଙ୍କୁ ପେଟ୍ରୋଲ ପମ୍ପ ଦେଲେ। ଯୋଉ BJD ନେତାଙ୍କୁ ପେଟ୍ରୋଲ ପମ୍ପ ଦେଇଥିଲେ, ସେମାନେ ଏଥର BJP କୁ ପଳେଇଲେ। କାହାକୁ ଗ୍ୟାସ ପାଇପ ଲାଇନ କାମ ଦେଲେ, କାହାକୁ କଣ୍ଟ୍ରାକ୍ଟ୍ରି  ଦେଲେ। ଦେଇ ଚାଲିଲେ। ସେ ଯାହା ଦେଲେ ଦେଲେ, ଫୋନ ପେ ରେ ତାଙ୍କ ରାଜନୈତିକ ସଚିବ ବି ଦେଲେ। କେନ୍ଦ୍ର ସରକାର ଓ ସରକାରୀ କମ୍ପାନୀଙ୍କର ବିଜ୍ଞାପନ ଦେଲେ।

ଏମିତି ପାଣି ଢାଳି ଢାଳି ସେ ଏକ ସୈନ୍ୟବାହିନୀ ତିଆରି କଲେ। ମୁଁ ଦେଖିଛି, ମିଟୁ ମଲ୍ଲିକ ଘଣ୍ଟା ଘଣ୍ଟା ତତ୍କାଳୀନ PCC ସଭାପତି ଜୟଦେବ ଜେନାଙ୍କ ଘର ଆଗରେ ଟିକେଟ ପାଇଁ ଟହଲ ମାରୁଥିବାର ଦୃଶ୍ୟ। ତାଙ୍କୁ ଆଣି BJP ଟିକେଟ ଦେଲେ। ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତଙ୍କୁ ବି ଟିକେଟ ଦେଲେ। ଏସବୁ ହେଉଛି ଗୋଟେ ଗୋଟେ ଅତିମାନବୀୟ ଉଦାହରଣ। ତେବେ BJPର ଏବେ ଜିତିଥିବା ୯୦ ଭାଗ ହେଲେ ଧର୍ମେନ୍ଦ୍ରଙ୍କ ପାଣିରୁ ଉଠିଥିବା ଚାରା।

ତେବେ ଆଜିର ନିଜ ରାଜନୈତିକ ମୃତ୍ୟୁଲେଖ ତାଙ୍କ ଅଜାଣତରେ ସେ ଲେଖି ଦେଇ ଥିଲେ ଧାମନଗର ଉପନିର୍ବାଚନରେ।
ହାରି ହାରି ଭୂଇଁରେ ମିଶି ସାରିଥିବା ମନ ମୋହନ ସାମଲଙ୍କୁ ସେ ସୁରଜଙ୍କୁ ସାହାଯ୍ୟ କରିବାକୁ ସାହାଯ୍ୟ ମାଗିଲେ। ମହା ପ୍ରତାପୀ ଧର୍ମେନ୍ଦ୍ରଙ୍କର ସାନ୍ନିଧ୍ୟ ପାଇ ଗଦଗଦ ହୋଇଥିଲେ ମନମୋହନ। ଧାମ ନଗରର ବିଜୟର ଶ୍ରେୟ ଧର୍ମେନ୍ଦ୍ରଙ୍କ ପାଖକୁ ଯେତେ ଗଲାନି, ତାଙ୍କ ଅଜାଣତରେ ଏ ବିଜୟର ବାଣିଜ୍ୟ ଚମତ୍କାର ଢଙ୍ଗରେ କଲେ ମନମୋହନ। ମଧ୍ୟାନ୍ତର ସଭାପତି ହେବାକୁ ମନମୋହନଙ୍କ ଉପକ୍ରମରେ ସେ ବାଧା ଦେଲେ ନାହିଁ। ଏହା ଥିଲା ବୋଧ ହୁଏ କଫିନର ଶେଷ କଣ୍ଟା।

ଏଥର ତାଙ୍କ ବିରୋଧ ପରେ ମଧ୍ୟ ମଧ୍ୟାନ୍ତରରୁ ଅନ୍ତର ଶୂନ୍ୟ(ତ୍ରୟ ବାର୍ଷିକ) ସଭାପତି ହୋଇ ଗଲେ ମନମୋହନ। ଗଣେଷ ଶିବଙ୍କ ଚାରି ପଟେ ବୁଲିବା ପରି ଧର୍ମେନ୍ଦ୍ରଙ୍କ ଆଖି ସାମ୍ନାରୁ ସେ ମୁଖ୍ୟମନ୍ତ୍ରୀ ନେଇଗଲେ, ଯାହାଙ୍କ ନାଁ ଜଉମୁଦ ଲଫାପାରେ କେନ୍ଦ୍ରରୁ ଧରି ଆସିଥିଲେ ଧର୍ମେନ୍ଦ୍ର ବାବୁ।
ଧର୍ମେନ୍ଦ୍ର ବିରୋଧୀ ତତ୍ତ୍ୱଙ୍କୁ ଏକାଠି କରି ମନମୋହନ ଅତ୍ୟନ୍ତ ନୃଶଂସ ଭାବେ ଧର୍ମେନ୍ଦ୍ର ସଫେଇ ଅଭିଯାନ ଆରମ୍ଭ କଲେ।
କେନ୍ଦ୍ରଠାରୁ ରାଜ୍ୟ ସବୁ ଧର୍ମେନ୍ଦ୍ର ବିରୋଧୀ ନେତାଙ୍କୁ ସଜିଲ କରିଦେଲେ ଆଉ କହିଲେ, ଏହା ହିଁ ପ୍ରକୃଷ୍ଟ ସମୟ।

ଶେଷରେ ଧର୍ମେନ୍ଦ୍ର ନିଜର ଅତି ବିଶ୍ୱସ୍ତ ଭାବୁଥିବା ଜଣେ ବ୍ୟକ୍ତି ଯାଇ ମନମୋହନଙ୍କ ତାଜପୋଷି ଦିନ ମୋହନ ବାବୁଙ୍କ ଭାଷଣ ଲେଖିଲେ, ଯୋଡାକୁ ଘୋଡା ସରି ନୁହେଁ….

ଧରମା ସିନା କୋଣାର୍କର ମୁଣ୍ଡି ପାରି ନଥିଲା, ହେଲେ ଧର୍ମେନ୍ଦ୍ରଙ୍କ ପ୍ରତି ବିଶ୍ଵାସଘାତକତାର ମୁଣ୍ଡି ମରିଲା ଝାରସୁଗୁଡ଼ାରେ। ମୋହନ ଓ ମନମୋହନଙ୍କ ଯୁକ୍ତିକୁ ଗ୍ରହଣ କରି ନେଲେ ମୋଦି। ସଭାକୁ ଡାକିଲେନି।
ହୁଏତ ଧଉଳିରେ ବୁଦ୍ଧଙ୍କର ଶାନ୍ତ ମୂର୍ତ୍ତି ତାଙ୍କ ପୀଡା ଉପଶମ କରି ପାରେ କିନ୍ତୁ ଜୀଵନ ତମାମ ହୃଦୟ ଜଳିବ। ଏ ଜ୍ବାଳାରୁ ମୁକ୍ତି ନାହିଁ।
ଭୁଲ ରହିଲା କେଉଁଠି???
ମାତ୍ର ଦୁଇଟି ଭୁଲ।
ପ୍ରଥମତଃ ସେ ଜାଣିଥିଲେ ଓଡିଶା ନଗରୀରେ ପ୍ରଜା ଖୁବ ଭଲରେ ଅଛନ୍ତି ତଥାପି କ୍ଷମତାର ମୋହ ଜଣେ ସନ୍ଥଙ୍କ ବିରୋଧରେ ତାଙ୍କୁ ଯୁଦ୍ଧ କରିବାକୁ ଉସୁକାଇଲା।
ଦ୍ଵିତୀୟ ଭୁଲ ଥିଲା, ସନ୍ଥଙ୍କ ବିରୋଧରେ ସେ ଏକ ଶଠ ବାହିନୀ ତିଆରି କରିଲେ।

ଚାଣକ୍ୟଙ୍କ ସେ ଆପ୍ତ ବାକ୍ୟ ସେ ଭୁଲି ଗଲେ।
ସର୍ପହ କ୍ରୁରଃ, ଖଳହ କ୍ରୁରଃ,
ସର୍ପ।ତ କ୍ରୁରତରହ ଖଳହ…ଅର୍ଥାତ ସାପଠାରୁ ବି କ୍ରୁର ହେଲେ ଖଳ ଲୋକ।
ନିଜ କ୍ଷମତା ବଳରେ ଖଳ ଲୋକଙ୍କୁ ସେ ଅନୁଗାମୀ କଲେ, ଯୋଉମାନେ ତାଙ୍କ ପ୍ରକୃତି ଛାଡି ପାରନ୍ତି ନାହିଁ।
ସେଥିପାଇଁ ପୁଣି ଚାଣକ୍ୟ କହିଛନ୍ତି…
ପ୍ରକୃତି ନୈବ ମୁଚ୍ୟତେ,
ଯଦି ମୁଚ୍ୟତେ କିଞ୍ଚିତ କିଞ୍ଚିତ….

Leave a Reply

Your email address will not be published. Required fields are marked *