କାହିଁକି କମିଟି ଘୋଷଣା କରୁନାହାନ୍ତି ମନମୋହନ , ନିଜ ଦଳ ଭାଇ ଅପେକ୍ଷା ବିଦ୍ରୋହୀ ବିଜେଡିନେତାଙ୍କ ଉପରେ ରଖିଛନ୍ତି ଆଖି

ଭୁବନେଶ୍ୱର : ଆମ ସମ୍ପର୍କରେ ବିଜେଡିରେ ବହୁ ବିଧାୟକ ଅଛନ୍ତି। ଏଥର ଲୋକ ଲଢିବେ। ବିଜେପି ସରକାର ରାଜ୍ୟରେ ହେବା ସହ ଡବଲ ଇଞ୍ଜିନ ନିଶ୍ଚିତ। ଏମିତି କେତେକ ବାକ୍ୟ ରାଜ୍ୟ ସଭାପତି ମନମୋହନ ସାମଲ କିଛି ଦିନ ହେବ ଘୋଷି ହେଉଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେଡିର 23 ବର୍ଷର ଶାସନ ବିରୋଧରେ ଥିବା ସରକାରୀ ବିରୋଧି ହାଓ୍ୱାକୁ ପାଥେୟ କରି ଦଳ ରାଜ୍ୟରେ ଲଢିବାକୁ ପ୍ରସ୍ତୁତ ନୁହଁ। ବରଂ ସମୟକ୍ରମେ ଦଳର କ୍ଷମତା ଅଳିନ୍ଦରୁ ଦୂରେଇ ଥିବା ବିଦ୍ରୋହୀ ନେତାଙ୍କୁ ନେଇ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ଯାହା ଭବିଷ୍ୟତରେ ଦଳକୁ ସହାୟକ ହେବେ। ମୋଟ ଉପରେ କହିବାକୁ ଗଲେ ଦଳ ନବୀନଙ୍କ ଉପସ୍ଥିତିରେ ନିଜ ବଳରେ ଜିତିବାକୁ ନେଇ ଆତ୍ମ ବିଶ୍ୱାସୀ ହୋଇପାରୁନାହିଁ।

        ସାଧରଣତଃ କଂଗ୍ରେସ ଦଳରେ ବିଭିନ୍ନ କମିଟି ଘୋଷଣାରେ ବିଳମ୍ବିତ ହୋଇଥାଏ। ହେଲେ ରାଜ୍ୟ ବିଜେପିରେ ମଧ୍ୟ ଏବେ ସେପରି ଦେଖିବାକୁ ମିଳିଲାଣି। ଶ୍ରୀ ସାମଲ ଦାୟିତ୍ୱ ନେବାର ଅନେକ ଦିନ ବିତିଗଲାଣି। ତେବେ ସେ ଏକ ପୂର୍ଣ୍ଣାଙ୍ଗ ରାଜ୍ୟ କମିଟି ଘୋଷଣା କରିପାରୁନାହାନ୍ତି। କେତେକ ସୂତ୍ର ଅନୁଯାୟୀ, ମନମୋହନ କମିଟି ସୁପାରିସ୍ କରିଥିଲେ ମଧ୍ୟ ତାହାକୁ ଅନୁମୋଦନ କରାଇ ଦେଉନାହାନ୍ତି। ହେଲେ ମନମୋହନଙ୍କ ଜଣେ ନିକଟତମ ବ୍ୟକ୍ତି କୁହନ୍ତି ଯେ, 9 ବର୍ଷ କେନ୍ଦ୍ରୀୟ ଶାସନର ଜନ ସମ୍ପର୍କ ଯାତ୍ରା ଜାରି ରହିଛି। ଏହି ସମୟରେ କମିଟି ଘୋଷଣା କରାଗଲେ, ସ୍ଥାନ କିମ୍ବା ମନପସନ୍ଦର ଦାୟିତ୍ୱ ପାଇ ନ ଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବ। ନିକଟରେ ଗଞ୍ଜାମ ଜିଲ୍ଲାରେ ଦଳର ଗୋଷ୍ଠୀ ବିବାଦ ପଦାରେ ପଡିଲା। ଯଦି ଏପରି ଘଟଣା ରାଜ୍ୟର ଅନ୍ୟ ପ୍ରାନ୍ତରେ ଦେଖାଦିଏ, ତେବେ ଶୀର୍ଷ ଜାତୀୟ ନେତା ଓଡ଼ିଶା ଆସିବାରେ ଅମଙ୍ଗ ହୋଇପାରନ୍ତି। ତେଣୁ ଜୁଲାଇ ଯାଏଁ କମିଟି ଘୋଷଣାକୁ ଘୁଞ୍ଚାଇଦେବା ପାଇଁ ଏକ ଲବି କାମ କରୁଛି।

        ପୂର୍ବରୁ ସଭାପତିଙ୍କ ଜିଲ୍ଲା ଭଦ୍ରକରେ ଅମିତ ଶାହାଙ୍କ ୨ଥର କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଦାରିତ ହୋଇ ବାତିଲ ହୋଇଛି। ତେଣୁ ଆଗାମୀ ଦିନରେ ଯେପରି ବଡ଼ ନେତାଙ୍କ କାର୍ଯ୍ୟକ୍ରମ ବାତିଲ ନ ହୋଇ ଭଲରେ ଆୟୋଜିତ ହୁଏ, ତାହା ଉପରେ ଧ୍ୟାନ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସଭାପତି ଜେପି ନଡ୍ଡାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରାଯାଉଛି। ରାଜ୍ୟ ବିଜେପି ପକ୍ଷରୁ ମୋଦିଙ୍କ କାର୍ଯ୍ୟକ୍ରମ ଉପକୂଳ ଓଡ଼ିଶାରେ ପୁରୀ, ଅମିତ ଶାହାଙ୍କ କାର୍ଯ୍ୟକ୍ରମ ପଶ୍ଟିମ ଓଡ଼ିଶା ଏବଂ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଗଞ୍ଜାମରେ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ନଡ୍ଡା ଓ ଶାହା ଆସିବା ଆଜି ସ୍ଥିର ହୋଇଯାଇଛି। ହେଲେ ମୋଦିଙ୍କ ଗସ୍ତ ନେଇ ଆନୁଷ୍ଠାନିକ ସମ୍ମତି ପ୍ରଦାନ କରାଯାଇନାହିଁ। ହେଲେ ସଦ୍ୟତମ ସୂଚନା ଅନୁଯାୟୀ, ଆଗକୁ ଗୋଟିଏ ଅର୍ଡିନାନ୍ସ ତଥା ଅଧ୍ୟାଦେଶରେ ବିଜେଡିର ସହଯୋଗ ଆବଶ୍ୟକ ହୋଇଥିବାରୁ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦି ନିଜ ମୁଡ୍ ବଦଳାଇ ନ ଆସିପାରନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *