କେତୋଟି ସଂସ୍ଥାର ରିପୋର୍ଟକୁ ଆଧାର କରି ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ, ଡିସେମ୍ବରରେ ରାଜ୍ୟ ଦେଖିବ ନୂଆ ସରକାର

ଭୁବନେଶ୍ୱର : ମେ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟନ୍ତି। ଏହା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଲୋକମାନେ ଆଲୋଚନା କରୁଥିବା ମନ୍ତବ୍ୟ ପ୍ରଦାନ କରନ୍ତି। ଏହି ସମୟ ମଧ୍ୟରେ ନିଜ ଜିଲ୍ଲାରେ ଥିବା ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତି କରିବା ସହ ବଦଳି ପ୍ରକ୍ରିୟା ସଅଳ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ତତ୍ପରତା ପ୍ରକାଶ କରେ। ଏହାର କିଛିଦିନ ପରେ ମୋ ଘର ଯୋଜନା ଘୋଷଣା କରାଯାଏ। ସରକାରୀ କର୍ମଚାରୀ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେମାନଙ୍କ କର୍ତ୍ତବ୍ୟ ସମ୍ପାଗନ ସମୟରେ ମୃତ୍ୟୁକାଳୀନ କ୍ଷତିପୂରଣ ରାଶି 4 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଏ। ଏହି ସବୁ ଖିଅ ଗୋଟିଏ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ତାହା ହେଉଛି ଆଗୁଆ ନିର୍ବାଚନ। ଏନେଇ କେନ୍ଦ୍ରକୁ ମଧ୍ୟ ରାଜ୍ୟ ଅବଗତ କରାଇସାରିଛି। ପୂର୍ବରୁ କେସିଆର ଏପରି କରିଥିବାରୁ କେନ୍ଦ୍ର ମଧ୍ୟ ନବୀନଙ୍କ ନିଷ୍ପତ୍ତିକୁ ସ୍ୱାଭାବିକ ଭାବେ ନେଇଛି। କାରଣ ଓଡ଼ିଶା ଦଖଲ ଅପେକ୍ଷା ଲୋକସଭାରେ ଭଲ ପ୍ରଦର୍ଶନ ଓ ସମର୍ଥନ ଅଧିକ ଆବଶ୍ୟକ ହୋଇ ପଡିଛି।

ଏହି କ୍ରମରେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହାର କିଛିଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଠାରୁ ସମୟ ମାଗିବେ। ସେପ୍ଚେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଓଡ଼ିଶା ସରକାର ଭାଙ୍ଗିବା ନେଇ ପ୍ରସ୍ତାବ ଦେବେ। ଏହାର 15 ଦିନ ମଧ୍ୟରେ (ଅକ୍ଟୋବର 5ରୁ 19 ମଧ୍ୟରେ)କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ବାଚନ ଘୋଷଣା କରିବେ। ନଭେମ୍ବର ମାସରେ ଏକାଧିକ ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବ। ଡିସେମ୍ବର ମାସରେ ଫଳାଫଳ ପ୍ରକାଶ ପାଇବ। ଓଡ଼ିଶା ସମେତ ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ନୂଆ ସରକାର ମିଳିବ।

ହେଲେ ବିଜେଡି ତରବରିଆ ଭାବେ ଏ ନିଷ୍ପତ୍ତି ନେଇନି। ଏହା ପୂର୍ବରୁ ନିଜର ସରକାରୀ ଗୁଇନ୍ଦା ଏବଂ 3ଟି ବେସରକାରୀ ସଂସ୍ଥା ଦ୍ୱାରା ସର୍ଭେ କରାଇଛି। ଏହି ସଂସ୍ଥା କୋଲକତା, ନୂଆଦିଲ୍ଲୀ ଏବଂ ବାଙ୍ଗାଲୋରରେ ପରିଚାଳିତ। ସେହିପରି ବିଜେଡିର ପରବର୍ତ୍ତୀ ନେତୃତ୍ୱ ନେଇ ମଧ୍ୟ ହ୍ୟୁମାନ ଟଚ୍ ନାମକ ଏଜେନ୍ସି ଦ୍ୱାରା ସର୍ଭେ କରାଯାଇଥିଲା। ପୂର୍ବାପେକ୍ଷା ବିଜେଡି 14ରୁ 16ଟି ଲୋକସଭା ଜିତବାର ସମ୍ଭାବନା ରହିଛି। ଜିତିଥିବା 2ଟି ଆସନରେ ଦଳର ସ୍ଥିତି ସାମାନ୍ୟ ଖରାପ ରହିଛି। ଏହି ଦୁଇଟି ଆସନ ଉପକୂଳ ଜିଲ୍ଲାର ବୋଲି ଜଣାପଡିଛି। ସେହିପରି ଚଳିତ ବର୍ଷଶେଷ ଆଡକୁ ନିର୍ବାଚନ ହେଲେ ବିଜେଡି 128ରୁ 133 ଆସନ ଜିତିବାର ସମ୍ଭାବନା ରହିଥିବା ସବୁ ସଂସ୍ଥା ରିପୋର୍ଟ ଦେଇଛନ୍ତି। ଗ୍ରୀଷ୍ଣ ଅପେକ୍ଷା ଶୀତ ଋତୁରେ ବିଜେଡିର ଶୀର୍ଷ ନେତୃତ୍ୱ ନିର୍ବାଚନୀ ପ୍ରଚାର ପାଇଁ ଅନୁକୂଳ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ଏହି କ୍ରମରେ କିଛି ବରିଷ୍ଠ ଅଧକାରୀ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନ କାମର ଅଗ୍ରଗତି ଏବଂ ନୂଆ ଘୋଷଣା କରୁଥିବା ଜଣାପଡିଛି।
