Bihar 2025 Votes : ପ୍ରଶାନ୍ତ କିଶୋର କାହିଁକି ତେଜସ୍ୱୀଙ୍କ ବିରୋଧରେ ଛିଡା ହେଲେ ନାହିଁ…..

ପାଟନା: (ଅବିନାଶ ମହାପାତ୍ର)-  ବିହାରର ପାଟନାରେ କିଛିଦିନ ତଳେ ବରିଷ୍ଠ ସାମ୍ବାଦିକା ନାଭିକା କୁମାର, ପ୍ରଶାନ୍ତ କିଶୋରଙ୍କୁ ଏକ ସାକ୍ଷାତକାରରେ ପଚାରିଲେ ଦିଲ୍ଲୀର କେଜରୀୱାଲଙ୍କ ପରେ ସାରା ଦେଶରେ ଆପଣଙ୍କର ଜନ ସୁରାଜ ପାର୍ଟି ଦ୍ବିତୀୟ ପଲିଟିକାଲ୍ ଷ୍ଟାର୍ଟ ଅପ୍। ୩ ବର୍ଷରେ ଏହାର ସଫଳତା କେତେ ବୋଲି ଆପଣ ଅନୁଭବ କରୁଛନ୍ତି। ପ୍ରଶାନ୍ତଙ୍କ ଉତ୍ତର ସଫଳତା କିମ୍ବା ବିଫଳତାକୁ ନେଇ ନଥିଲା। ସେ କହିଲେ ଆପଣଙ୍କ ପ୍ରଶ୍ନ ହି ଭୁଲ୍ ଅଛି। ଦେଶରେ ଯଦି ପ୍ରଥମ ପଲିଟିକାଲ୍ ଷ୍ଟାର୍ଟ ଅପର କଥା ଉଠେ ତେବେ ତାହା ଏନଟିଆରଙ୍କ ତେଲୁଗୁ ଦେଶମ ପାର୍ଟି ହେବ। ଯିଏ ତେଲୁଗୁ ଲୋକଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ୧୯୮୨ ମସିହାରେ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଲଢ଼ିଥିଲେ। ସାରା ଦେଶରେ ଯେତେବେଳେ ଇନ୍ଦିରା ଗାନ୍ଧିଙ୍କର ପ୍ରଚଣ୍ଡ ଦବଦବା ଥିଲା ସେତେବେଳେ ଏନଟିଆର ଦେଶର ଅନ୍ୟତମ ସର୍ବବୃହତ ରାଜ୍ୟ ଆନ୍ଧ୍ରପ୍ରଦେଶ ଦଖଲ କରିଥିଲେ। ଆମେ ଇତିହାସକୁ ଭୁଲି ଯାଉଛନ୍ତି ସାଂପ୍ରତିକ ଘଟଣାକ୍ରମକୁ ନେଇ ସର୍ବଦା ଆଲୋଚନା କରୁଛନ୍ତି। ଏହା କହିବାର ଉଦ୍ଦେଶ୍ୟ ହେଲା ପ୍ରଶାନ୍ତ କିଶୋର ଲମ୍ବା ଦୌଡ଼ର ଘୋଡ଼ା। ଯେଉଁ ଭୁଲ୍ କେଜରୀୱାଲ୍ କରିଥିଲେ ସେ ତାହାକୁ ଦୋହରାଇବାକୁ ବୋଧହୁଏ ଚାହୁଁନାହାନ୍ତି। ଭୁଲ ହେଲା ବ୍ୟକ୍ତି କୈନ୍ଦ୍ରିକ। ପିକେ ବିଚାରଧାରା କୈନ୍ଦ୍ରିକ ରାଜନୀତି ଆରମ୍ଭ କରିଛନ୍ତି ଯାହା ଜୟପ୍ରକାଶଙ୍କର ଆଦର୍ଶ ଥିଲା। ବହୁ ବଡ଼ ବଡ଼ ରାଜନୈତିକ ଦଳର ନେତା ଆସିଛନ୍ତି ଯାଇଛନ୍ତି କିନ୍ତୁ ଦଳ ରହିଛି ତାର କାରଣ ହେଲା ସେମାନେ ବୈଚାରିକ ମତବାଦରେ ବିଶ୍ବାସ କରନ୍ତି।

ନିର୍ବାଚନ ଘୋଷଣା ପୂର୍ବରୁ ସାମ୍ବାଦିକମାନେ ଯେତେବେଳେ ପିକେଙ୍କୁ ପଚାରିଲେ ଆପଣ କେଉଁଠୁ ନିର୍ବାଚନ ଲଢ଼ିବେ ? ପ୍ରଶାନ୍ତ ସେତେବେଳେ କହିଥିଲେ ମୁଁ ବେକାରଙ୍କ ରାଜକୁମାରଙ୍କ ସିଟରୁ ଅର୍ଥାତ୍ ରାଘୋପୁରରୁ ନିର୍ବାଚନ ଚଢ଼ିବି। ତେଜସ୍ବୀ ଯାଦବଙ୍କ ପାରିବାରିକ ଆସନରେ ସେ ନିର୍ବାଚନ ଲଢ଼ିବାକୁ ସଙ୍କେତ ଦେଇଥିଲେ। ଏହାର ସିଧାସଳଖ ୨ଟି ନିଶାନା ଥିଲା, ଲୋକେ ତେଜସ୍ବୀଙ୍କ ଖବର ଆସିଲେ ପି.କେଙ୍କୁ ଯୋଡୁଥିଲେ ଏବଂ ତେଜସ୍ବୀ ଅନ୍ୟ କେଉଁ ଦ୍ବିତୀୟ ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା। ସେ ଯାହାବି ହେଉ ରାଘୋପୁର ବିହାର ରାଜନୀତିରେ ଯେ ଏକ ଚର୍ଚ୍ଚିତ ଆସନ ଏକଥା ସମସ୍ତଙ୍କୁ ଜଣା। କେବଳ ୨୦୧୦କୁ ଛାଡ଼ିଦେଲେ ୧୯୯୫ରୁ ଏହି ଆସନ ଲାଲୁଙ୍କ ପରିବାର ହାତରେ ରହିଆସିଛି। କେତେବେଳେ ଲାଲୁ ତ ପୁଣି କେତେବେଳେ ରାବିଡି ଦେବୀ ଏଠାରୁ ନିର୍ବାଚନ ଜିତିଛନ୍ତି। ୨୦୧୫ ଓ ୨୦୨୦ରେ ଏଠାରୁ ତେଜସ୍ବୀ ନିର୍ବାଚନ ଜିତିଛନ୍ତି। ତେଣୁ ହାଜିପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଣ୍ଠନ ବହୁଦିନ ଧରି ଜଳିଆସୁଛି। ଏଠାରେ ଲଣ୍ଠନକୁ ଲିଭାଇବାକୁ ପିକେ ଚେଷ୍ଟା କରିଥିବେ ନିଶ୍ଚୟ କିନ୍ତୁ ପରବର୍ତ୍ତୀ ଆକଳନରେ ହୁଏତ ସେ ସନ୍ତୁଷ୍ଟ ନଥିବେ ଯେଉଁଥିପାଇଁ ଆରମ୍ଭ ହେଉ ହେଉ ତାଙ୍କ ରାଜନୈତିକ ଜୀବନକୁ ସେ ଲିଭାଇବାକୁ ଚେଷ୍ଟା କରିବେନି ବୋଲି ଭାବିଥିବେ।

ପିକେ ଏବେ ଘୋଷଣା କଲେ ସେ ନିର୍ବାଚନ ଲଢ଼ିବେ ନାହିଁ। ଏହାର ମଧ୍ୟ ୨ଟି କାରଣ ଅଛି । ଯଦି ସେ ନିର୍ବାଚନ ଲଢୁଛନ୍ତି ତେବେ କେବଳ ତାଙ୍କ ଉପରେ ହିଁ ମିଡିଆର ଫୋକସ୍ ରହିବ, ଜନ ସୁରାଜ ଉପରେ ନୁହେଁ। ସମସ୍ତେ କେବଳ ତାଙ୍କ ଆସନ କଥା କହିବେ। କିନ୍ତୁ ଯଦି ସେ ନିର୍ବାଚନ ନଲଢୁଛନ୍ତି ତେବେ ସମସ୍ତେ ଜନ ସୁରାଜର କଥା କହିବେ। ଅର୍ଥାତ୍ ସମସ୍ତ ବିଧାୟକଙ୍କୁ ମିଡିଆ ସ୍ପେସ୍ ମିଳିପାରିବ।
ସାମଗ୍ରିକ ସତ୍ତା ଓ ସଂଗଠନକୁ ପିକେ ପରିଚାଳନା କରିବାକୁ ଚାହୁଁଛନ୍ତି ଜଣେ କିଙ୍ଗମେକର ହିସାବରେ। ରାଜା କ୍ଷମତା ଉପଭୋଗ କରେ କିନ୍ତୁ କିଙ୍ଗମେକର ଚାଣକ୍ୟ ହୁଏ। ସେ ସବୁ କରେ କ୍ଷମତା ବାହାରେ ରହି। କହିବାର ଅର୍ଥ ହେଲା, ପ୍ରଶାନ୍ତ କିଶୋର ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରଣନୀତିକାର ଭାବେ କାମ କରିଛନ୍ତି। ଅତିପାଖରୁ କ୍ଷମତାକୁ ଦେଖିଛନ୍ତି ଏବଂ ରାଜନୀତିରେ ରଣନୀତି, କୌଶଳ ଓ ପରିଚାଳନାର ଦକ୍ଷତା ରଖିଛନ୍ତି। ବିହାରର ରାଜନୀତି ହିଁ ଭାରତର ସବୁଠାରୁ ଜଟିଳ ଗଣିତ ଉପରେ ଆଧାରିତ। ଏଠି ଜାତି ହିଁ ଏଭଳି ଏକ ସମୀକରଣ ଯାହାକୁ ବୁଝିବା କଷ୍ଟକର ବ୍ୟାପାର। ଲୋକେ ଶିକ୍ଷିତ ହେଲେ ବି ଏଠାରେ ଜାତି ବା ସଂପ୍ରଦାୟର ଏତେ ଭୋଟିଂ ହୁଏ ଯେ, ବିଶେଷଜ୍ଞ ବି ଫେଲ୍ ମାରନ୍ତି ଆକଳନ କରିବାରେ।
ପ୍ରଶାନ୍ତ ସେ ସବୁକୁ ଭଲ ଭାବେ ବୁଝିଛନ୍ତି ଏକଥା ବି ଜାଣିଛନ୍ତି ପ୍ରଥମ ଦିନରୁ ସେ ଛକା ମାରିପାରିବେ ନାହିଁ। ତେଣୁ ଛକ୍କା ମାରିବାକୁ ହେଲେ ଅଭ୍ୟାସ ଦରକାର। ସଂଗଠନକୁ ସୁଦୃଢ କରି, ଶିକ୍ଷିତ ଓ ଯୁବକଙ୍କୁ ସାଙ୍ଗରେ ନେଇ ସେ ଏ ଟୁର୍ଣ୍ଣାମେଣ୍ଟ ଖେଳିବେ। ଇତି ମଧ୍ୟରେ ତାଙ୍କ ପାର୍ଟି ରାଷ୍ଚ୍ରୀୟସ୍ତରରେ ଚର୍ଚ୍ଚାରେ ରହୁଥିବା ଦରକାର। ବିହାର ଲୋକଙ୍କ ପାଇଁ ଯଦି ସେ କିଛି ଆନ୍ଦୋଳନ କଲେ ତାର ପ୍ରଭାବ ପଡୁଥିବା ଦରକାର। ତା ନହେଲେ ପ୍ରଶାନ୍ତ ନିଜର ସିକ୍ରେଟ କାର୍ଡକୁ ଖେଳିଲେନି କାହିଁକି ?

Leave a Reply

Your email address will not be published. Required fields are marked *