ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ମାନ ହ୍ରାସ: କାରଣ -ନିରାକରଣ
ଭୁବନେଶ୍ୱର : (ରୀନା ରାଉତରାୟ)- ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଗରିମା, ଏବଂ ଓଡ଼ିଶାରେ ଏହାକୁ କଳା ଓ କୌଶଳର ଏକ ଅଦ୍ୱିତୀୟ ମିଳନ ଭାବରେ ମାନ୍ୟତା ପାଇଛି। ସମ୍ବଲପୁରୀ, ବୋମକାଇ, କୋଟପାଡ,ଖଣ୍ଡୁଆ, ବରହମ୍ ପୁରୀ, ମାଣିଆବନ୍ଧ, ଇକତ୍ ପରି ଶାଢୀ ବା କପଡା କେବଳ ପରିଧାନର ଉଦ୍ଦେଶ୍ୟରେ ତିଆରି ବସ୍ତ୍ର ନୁହେଁ, ଏଥିରେ ଥାଏ ଆମ ସଂସ୍କୃତି, ଲୋକଜୀବନ, ଐତିହ୍ୟ ଓ କାରିଗରୀର ସ୍ଫୁରଣ।
ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ପରମ୍ପରା ବହୁ ପୁରାତନ।କୋଣାର୍କ ସୂର୍ଯ୍ୟମନ୍ଦିରରେ ଶିଳାରେ କୁଣ୍ଡଳିତ ଇକତ ହସ୍ତକଳାର ପ୍ରତିଚ୍ଛବି ମିଳିଥାଏ। ଗୀତ ଗୋବିନ୍ଦ ଲେଖା ଖଣ୍ଡୁଆ ପାଟ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ରୂପେ ବ୍ୟବହୃତ ହୋଇଥାଏ।
ସେହିପରି ସମ୍ବଲପୁରୀ ଶାଢ଼ୀକୁ ଜାତୀୟ ହସ୍ତତନ୍ତ ଦିବସର ବିଶେଷ ମାନ୍ୟତା ମିଳିବା ସହିତ ଏହାକୁ ଜାତୀୟ ସ୍ତରର ମାନ୍ୟତା ଦିଆ ଯାଇ ଉଚ୍ଚ ପ୍ରଶଂସିତ କରା ଯାଇଛି।
ସମ୍ବଲପୁର ବାନ୍ଧ କାମ, ବୋମକାଇ ଓ କୋଟପାଡ ହସ୍ତତନ୍ତ ବସ୍ତ୍ର ଜି. ଆଇ ଟ୍ୟାଗର ମାନ୍ୟତା ମଧ୍ଯ ପାଇଛି । କିନ୍ତୁ, ଆଜିକାଲି ଦେଖିବାକୁ ମିଳୁଛି ଯେ, ଓଡ଼ିଶାର ହସ୍ତତନ୍ତର ଗୁଣାତ୍ମକ ମାନ କ୍ରମେ ହ୍ରାସ ପାଉଛି। ବିଶେଷକରି ଚାଇନା ସୂତା, ନିମ୍ନମାନର କପା/ସିଲ୍କ, ଓ ମେସିନ ପ୍ରସ୍ତୁତ ଡୁପ୍ଲିକେଟ କଞ୍ଚା ମାଲର ପ୍ରଚଳନରେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଛି। ୨୦୨୪ ମସିହାର ହ୍ୟାଣ୍ଡଲୁମ୍ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (Handloom Export Promotion Council ,HEPC) ରିପୋର୍ଟ ଅନୁସାରେ, ଓଡ଼ିଶାରୁ ରପ୍ତାନି ହୋଇଥିବା ହସ୍ତତନ୍ତ ସାମଗ୍ରୀର ଗୁଣାତ୍ମକ ମାନ ହ୍ରାସ ସମ୍ପର୍କୀୟ ଅଭିଯୋଗ ୩୦% ଅଧିକ ବଢ଼ିଛି।
ଏହି ଗୁଣାତ୍ମକ ମାନ ହ୍ରାସର କାରଣ,ଏହାର ପରିଣାମ ଓ
ନିରାକରଣ ପାଇଁ ଯଦି ଦୃଢ଼ ପଦକ୍ଷେପ ନ ନେବା ତେବେ ବିଶ୍ବ ବଜାରରେ ଓଡ଼ିଶା ହସ୍ତତନ୍ତର ଚାହିଦା ହ୍ରାସ ପାଇବା ସହିତ ଆମ ଅର୍ଥନୀତିକୁ ମଧ୍ୟ ଖୁବ୍ ପ୍ରଭାବିତ କରିବ। ହ୍ୟାଣ୍ଡଲୁମ୍ ଏକ୍ସପୋର୍ଟ କାଉନସିଲର ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ଓଡିଶା ହସ୍ତତନ୍ତ ବସ୍ତ୍ର ବିଦେଶକୁ ରପ୍ତାନୀ ପ୍ରାୟ ୭୮ କୋଟି ମୂଲ୍ୟ ଟଙ୍କାର ହୋଇଥିଲା ବେଳେ ୨୦୨୪ ରେ ଏହା ୫୨ କୋଟିକୁ ହ୍ରାସ ପାଇଛି।
ଗୁଣାତ୍ମକ ମାନ ହ୍ରାସର ପ୍ରମୁଖ କାରଣ:-
ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ଡୁପ୍ଲିକେଟ ସୂତା/ ଚାଇନା ସୂତା (ଏହା ଏକ ମେସିନ ପ୍ରସ୍ତୁତ ପଲିଷ୍ଟର ମିଶା ସୂତା ) ବ୍ୟବହାର କରି ମେସିନ ଓ ହାତରେ ପ୍ରସ୍ତୁତ କରାଯାଉଥିବା ବସ୍ତ୍ରର ସ୍ପର୍ଶ, ରଙ୍ଗଧାରଣ କ୍ଷମତା ଓ ଆୟୁ କମିଯାଏ।୨୦୨୩ ରେ ଓଡ଼ିଶା ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ୬୦% କାରିଗର କହିଥିଲେ ଯେ ଡୁପ୍ଲିକେଟ ଶସ୍ତା ସୂତା ହିଁ ପ୍ରମୁଖ ସମସ୍ୟା।କାରିଗରଙ୍କ ଅର୍ଥନୈତିକ ଦୁର୍ବଳତା ମଧ୍ୟ ଏହି ଶସ୍ତା ମାଧ୍ୟମକୁ ଚୟନ କରିବାର ଏକ ମୁଖ୍ୟ କାରଣ ଅଟେ।ପ୍ରକୃତ ମଲବେରି ସିଲ୍କ ବା କଟନ ସୂତାର ଏକ କେଜିର ମୂଲ୍ୟ ୬୦୦ ରୁ ୮୦୦ ଟଙ୍କା ହୋଇଥଲା ବେଳେ, ଡୁପ୍ଲିକେଟ ସୂତାର ମୂଲ୍ୟ କେଜି ପିଛା ୨୦୦ ରୁ ୨୫୦ ଟଙ୍କା ପଡେ।
ତେଣୁ ଆର୍ଥିକ ଚାପରେ,କାରିଗର ଶସ୍ତା ସୂତାକୁ ବିକଳ୍ପ ଭାବରେ ବ୍ୟବହାର କରୁଛନ୍ତି।
ତୃତୀୟତଃ ସରକାରୀ ନିୟନ୍ତ୍ରଣର ଅଭାବ।
ସରକାରଙ୍କ ଗୁଣାତ୍ମକ ମାନ ନିୟନ୍ତ୍ରଣ ଲବୋରେଟରୀ ସୀମିତ ସଂଖ୍ୟାରେ ଥିବାରୁ ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ସମ୍ଭବପର ହେଉନାହିଁ।ବଜାରରେ ଉପଲବ୍ଧ ହେଉଥିବା ବସ୍ତ୍ରକୁ ତଦାରଖ କରାଯିବ ପ୍ରକ୍ରିୟା ମଧ୍ଯ ବଳବତ୍ତର ନାହିଁ। ଜି.ଆଇ ଟ୍ୟାଗ ଯୁକ୍ତ ସାମଗ୍ରୀ ପାଇଁ ସୀମା ନିର୍ଦ୍ଧାରଣ ବ୍ୟବସ୍ଥା (geo-fencing mechanism) ନ ଥିବାରୁ, ଅନଲାଇନ୍ ବଜାର ଠାରୁ ଆରମ୍ଭ କରି ଆମ ରାଜ୍ୟ, ଦେଶ ତଥା ବିଦେଶର ଅନେକ ଅସାଧୁ ବ୍ୟବସାୟୀ ଓଡ଼ିଶା ହସ୍ତତନ୍ତ ନାମରେ ନକଲି ସାମଗ୍ରୀ ବିକ୍ରୟ କରୁଛନ୍ତି।ମୂଳ ବା ଅସଲି ହସ୍ତତନ୍ତ ବସ୍ତ୍ରର ମୂଲ୍ୟ ଅଧିକ ହେଉଥିବାରୁ, ଶସ୍ତା ନକଲି ହସ୍ତତନ୍ତ ବସ୍ତ୍ର ପାଇଁ ଅନେକ କ୍ଷେତ୍ରରେ ଗ୍ରାହକମାନଙ୍କ ଚାହିଦା ମଧ୍ଯ ଦେଖିବାକୁ ମିଳୁଛି।ସମ୍ବଲପୁରୀ ଶାଢ଼ୀ ପରି ଦିଶୁଥିବା ନକଲି ସୂତାର ଶାଢ଼ୀକୁ ମଧ୍ଯ କିଛି ଗ୍ରାହକ କମ୍ ମୂଲ୍ୟରେ ନେବାକୁ ଚାହୁଁଛନ୍ତି। ଏଥି ସହିତ ଅସଲି ହାତ ତିଆରି ଗୋଟିଏ ଇକତ୍ ଶାଢୀ ପ୍ରସ୍ତୁତ କରିବାକୁ ସାତରୁ ଦଶ ଦିନ ସମୟ ଲାଗୁଥିବା ବେଳେ, ପାୱାର ଲୁମ୍ ବା ମେସିନ ପ୍ରସ୍ତୁତ ଗୋଟିଏ ଶାଢ଼ୀକୁ ପ୍ରସ୍ତୁତ କରିବାକୁ ମାତ୍ର ଗୋଟିଏ ଦିନ ଲାଗିଥାଏ। ସମୟ ଓ କମ୍ ପୁଞ୍ଜି ବିନିଯୋଗ ସୁବିଧା ପାଇଁ ଅନେକ ଏହି ଶସ୍ତା ଉପାୟ ଅବଲମ୍ବନ କରୁଛନ୍ତି, ଯଦ୍ବାରା ଏକ ଅସଲି ବୁଣାକାରକୁ ଅନେକ କ୍ଷତି ସହ୍ୟ କରିବାକୁ ପଡ଼ିଥାଏ।
ସେହିପରି ପାରମ୍ପାରିକ ଶାଢ଼ୀର ଶଙ୍ଖ, ଚକ୍ର, ଫୁଲ ଓ ପଶୁ ପକ୍ଷୀଙ୍କ ଚିତ୍ର ବା ମୋତିଫ ଧୀରେ ଧୀରେ ଲୁପ୍ତ ହେବାକୁ ବସିଲାଣି।ନକଲି ବଜାର ବିସ୍ତାର କରିବାରେ ଅସାଧୁ ବ୍ୟବସାୟୀ ମାନେ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ମାନ ଆସୁଛି।ନୂତନ ପୀଢିର ଯୁବ ବୁଣାକାର ମାନେ ଏହି ବ୍ୟବସାୟକୁ ଏକ ସ୍ଵୟଂ ସମ୍ପୂର୍ଣ୍ଣ ସ୍ଥାୟୀ ଜୀବିକା ଭାବରେ ଆପଣେଇ ନ ପାରି ବାହାରକୁ ଯାଇ ଅନ୍ୟ କ୍ଷେତ୍ରରେ ଜୀଵନ ଜୀବିକା ନିର୍ବାହ କରିବାକୁ ବାଧ୍ୟ ହେଉଛନ୍ତି।
ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ:-
ସରକାରୀ ସ୍ତରରେ ସବ୍ସିଡାଇଜ ଦରରେ ଅସଲି ଶୁଦ୍ଧ ସୂତାର ସୁବିଧା ପାଇଁ “କଞ୍ଚାମାଲ୍ ବ୍ୟାଙ୍କ” ପ୍ରତିଷ୍ଠା କରିବା ସହିତ ନକଲି ଚାଇନା ସୂତାକୁ ନିଷେଧ କରାଯିବା ନିତ୍ୟାନ୍ତ ଆବଶ୍ୟକ ହେଉଛି। ଓଡିଶା ହ୍ୟାଣ୍ଡଲୁମ କର୍ପୋରେସନ ଅସଲି ଶୁଦ୍ଧ ସୂତାକୁ ସିଧାସଳଖ କିଣି ବୁଣାକାରଙ୍କୁ ସୁଲଭ ମୂଲ୍ୟରେ ଆବଣ୍ଟନ କଲେ ସୂତାର ଗୁଣାତ୍ମକ ମାନ ସଠିକ ରହିବ।ସମ୍ବଲପୁର, ବରହମପୁର ଓ କଟକ ଜିଲ୍ଲାରେ ଗୁଣାତ୍ମକ ମାନର ପରୀକ୍ଷଣ ଓ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ୍।
କ୍ୱି.ଆର. କୋଡ (QR code) ଏବଂ ହଲୋଗ୍ରାମ୍ ଟ୍ୟାଗିଂ(hologram tagging), ଡିଜିଟାଲ ଟ୍ରେସେବିଲିଟି
(Digital traceability /Blockchain based certificate) ପରି ମେକାନିଜ୍ ମ ଦ୍ବାରା ମାନ ତଦାରଖ ବ୍ୟବସ୍ଥାକୁ ବହୁଳ ଭାବରେ କାର୍ଯ୍ୟକାରୀ କରି ଅସଲି ବୁଣାକାରଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବେ ସମୟର ଆହ୍ବାନ ହୋଇଛି।କାରିଗରଙ୍କ ସହାୟତା ପାଇଁ ବୁଣାକାର କ୍ରେଡିଟ କାର୍ଡରେ ୪% ସୁଧରେ ଋଣ ଯୋଗାଇବା, କୋପରେଟିଭ ସୋସାଇଟିକୁ ଶକ୍ତିଶାଳୀ କରି ଏକ “ହସ୍ତତନ୍ତ କେନ୍ଦ୍ରସ୍ଥଳୀ” ବା Handloom Hub ଜରିଆରେ ଆମଜନ, ଫ୍ଲିପକାର୍ଟ ପରି ଅନଲାଇନ୍ ବିକ୍ରୟ ସଂସ୍ଥା ସହିତ ସଂଯୋଗ କରି ଏହାର ବ୍ୟବସାୟିକ ଯୋଗାଯୋଗକୁ ବିସ୍ତାର କରିବା। ଏଥି ସହିତ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଗ୍ରାମୀଣ ହାଟରୁ ଆନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ “ଅସଲି ଓଡିଶା ହସ୍ତତନ୍ତ କିଣନ୍ତୁ” (Buy Original Odisha Handloom) ଅଭିଯାନକୁ ସକ୍ରିୟ କରିବାକୁ ପଡ଼ିବ।ହସ୍ତତନ୍ତ ବସ୍ତ୍ରକୁ ପ୍ରାକୃତିକ ରଙ୍ଗରେ ରଙ୍ଗାୟିତ କରିବାର ପ୍ରଣାଳୀକୁ
ନୂତନ ପୀଢିର ବୁଣାକାର ମାନଙ୍କୁ ପ୍ରଶିକ୍ଷଣ ଓ ସଚେତନତା ଆବଶ୍ୟକ ହେଉଛି। ଯୁବ ବୁଣାକାରଙ୍କ ପାଇଁ ଅନଲାଇନ ଜରିଆରେ ପ୍ରଶିକ୍ଷଣ (E-learning module) ଓ ଯୁବ ବୁଣାକା ମାନଙ୍କ ମଧ୍ୟରେ ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ମାନ ଆୟୋଜନ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା।
ଆଧୁନିକତା ସହିତ ସମନ୍ୱୟ ଆଣିବା ପାଇଁ ଫେସନ୍ ଡିଜାଇନର ପ୍ରତିଷ୍ଠାନମାନଙ୍କ ସହଯୋଗରେ ଓଡ଼ିଶା ହସ୍ତତନ୍ତର ଜ୍ୟାକେଟ, ଗାଉନ ଓ ବିଦେଶର ଚାହିଦା ଅନୁଯାୟୀ ପାଶ୍ଚାତ୍ୟ ପୋଷାକ ଇତ୍ୟାଦି ଫିଉଜନ ପୋଷକ ପ୍ରସ୍ତୁତ କରିବା।
ନକଲି ହସ୍ତତନ୍ତ ବିକ୍ରେତାଙ୍କ ପାଇଁ ଭାରୀ ଜୋରିମାନା ସହିତ ଗ୍ରାହକ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଓ
ହ୍ୟାଣ୍ଡଲୁମ୍ GI କୁ ଉଲ୍ଲଂଘନ ପାଇଁ ସ୍ଵତନ୍ତ୍ର କଠୋର ଆଇନ ହେବା ଦରକାର।ଓଡ଼ିଶାର ହସ୍ତତନ୍ତ ଆମର ସାଂସ୍କୃତିକ ଅର୍ଥନୀତି ଅଟେ।
ନୀତି ନିର୍ଦ୍ଧାରଣ, ବଜାର ଓ କଳା ସଂସ୍କୃତିର ଏକତ୍ରିକରଣ କରାଯାଇ ଏହାର ଗୁଣାତ୍ମକ ମାନକୁ ଅତୁଟ ରଖାଗଲେ ୨୦୩୦ ସୁଦ୍ଧା ଏହି ବ୍ୟବସାୟ ୫୦୦ କୋଟିରେ ପହଞ୍ଚିବ ବୋଲି ଓଡ଼ିଶା ଟେକ୍ସଟାଇଲ ମିଶନ ୨୦୨୪ ରେ ଏକ ଆକଳନ କରିଛି।
ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ହ୍ରାସ କେବଳ ବସ୍ତ୍ରର ପ୍ରଶ୍ନ ନୁହେଁ, ଏହା ଆମର ସାଂସ୍କୃତିକ ପରିଚୟ, କାରିଗରଙ୍କ ଜୀବନ-ଜୀବିକା ଓ ରାଜ୍ୟର ଅର୍ଥନୀତି ସହିତ ସମ୍ବନ୍ଧିତ। ଯଦି ଆମେ ଶୁଦ୍ଧ ଅସଲି ସୂତା, କଠୋର ନିୟମ, କାରିଗରଙ୍କୁ ସହାୟତା ଓ ଗ୍ରାହକ ସଚେତନତାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବୁ , ତେବେ ନିଶ୍ଚୟ ଓଡ଼ିଶା ହସ୍ତତନ୍ତ ପୁନର୍ବାର ବିଶ୍ୱବଜାରରେ ଆଦୃତ ହେବ।ହସ୍ତତନ୍ତର ଗୁଣକୁ ବଞ୍ଚାଇବା ଅର୍ଥ, ଆମର ପରମ୍ପରା ଓ ପରିଚୟକୁ ବଞ୍ଚାଇବା।
‘Quality is the best business plan.’.
