ଚାମ୍ପିଅନ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ? ଜାଣନ୍ତୁ…
୨୦୨୫ ଫେବ୍ରୁଆରି – ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିପାରେ ବୋଲି ଜଣାପଡ଼ିଛି। କିନ୍ତୁ ବିନା ସରକାରୀ ଅନୁମତିରେ ଭାରତ ପାକିସ୍ତାନକୁ ଖେଳିବା ପାଇଁ ଯାଇପାରିବନି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୦୮ ଏସିଆ କପ୍ ପରଠୁ ପାକିସ୍ତାନରେ ଭାରତ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳିନାହିଁ। ସେହିପରି ଭାରତରେ ଶେଷ ଥର ପାଇଁ ୨୦୧୨-୧୩ରେ ଉଭୟ ଦେଶଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା। ଏହାପରଠୁ କେବଳ ଆଇସିସି ପ୍ରତିଯୋଗିତା ଗୁଡ଼ିକରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ଏହା ବିଷୟରେ ଶୁକ୍ଳା କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତ ସରକାର ଆମକୁ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ଆମେ ଆଗକୁ ବଢ଼ିବୁ। ଯେପର୍ଯ୍ୟନ୍ତ ସରକାର ଅନୁମତି ଦେଇ ନାହାନ୍ତି, ଆମେ ଦଳ ପଠାଇ ପାରିବୁନି। ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆମେ କାମ କରିବୁ ବୋଲି ଶୁକ୍ଳା କହିଛନ୍ତି ।