ଆଇନଜୀଵୀ ବେଶରେ ଆସି ମହିଳାଙ୍କୁ ଗୁଳି ମାଡ଼

ନୂଆଦିଲ୍ଲୀ,୨୧/୪(ବ୍ୟୁରୋ): ଆଇନଜୀଵୀ ବେଶରେ ଆସିଥିବା ଜଣେ ଦୁର୍ବୃତ୍ତ ଶୁକ୍ରବାର ସକାଳେ ଦିଲ୍ଲୀ ସାକେତ୍‌ ଜିଲ୍ଲା ଅଦାଲତ ପରିସରରେ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଓକିଲ ଆହତ ହୋଇଥିବା ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l
‘ଡିସିପି ସାଉଥ୍‌’ ଚନ୍ଦନ ଚୌଧୁରୀ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣାରେ ଜଣେ ମହିଳା ଓ ଜଣେ ଓକିଲଙ୍କ ସମେତ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଜଣକ ହେଉଛନ୍ତି ୪୦ ବର୍ଷୀୟ ଏମ୍‌. ରାଧା । ତାଙ୍କ ପେଟରେ ଗୋଟିଏ ଏବଂ ହାତରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ସାକେତ୍‌ସ୍ଥିତ ‘ମ୍ୟାକ୍ସ୍‌ ହସ୍ପିଟାଲ୍‌’କୁ ନିଆଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ପୂର୍ବରୁ ବାର୍‌ କାଉନ୍‌ସିଲ୍‌ରୁ ବିତାଡ଼ିତ କରାଯାଇଥିଲା। ତାଙ୍କ ନାମରେ ସେହି ମହିଳା ଏବଂ ଆଡ୍‌ଭୋକେଟ୍‌ ରାଜେନ୍ଦର୍‌ ଝା’ ଠକେଇ ମାମଲା ରୁଜୁ କରିଥିଲେ। ଆଜି ଉକ୍ତ ମାମଲାର ଶୁଣାଣି ଥିଲା। କିନ୍ତୁ, ଏହି ଗୁଳିକାଣ୍ଡରେ ଆଡ୍‌ଭୋକେଟ୍‌ ଝା’ କିଂବା ଅନ୍ୟ କୌଣସି ଓକିଲ ଆହତ ହୋଇଛନ୍ତି ତାହା ‘ଡିସିପି’ ଚୌଧୁରୀ ସ୍ପଷ୍ଟ କରିନାହାନ୍ତି।ପ୍ରାୟ ୪/୫ ରାଉଣ୍ଡ୍‌ ଗୁଳି ଚଳାଇବା ପରେ ଅଭିଯୁକ୍ତ କ୍ୟାଣ୍ଟିନ୍‌ର ପଛ ଦ୍ବାର ବାଟେ ଖସି ପଳାଇଛନ୍ତି। ତାଙ୍କୁ ଧରିବା ଲାଗି ଟିମ୍‌ ଗଠନ କରାଯାଇଛି ବୋଲି ‘ଡିସିପି’ କହିଛନ୍ତି।
ଉଲ୍ଲେଖଯୋଗ୍ୟ , ଏକ ଆର୍ଥିକ ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣି ପାଇଁ ମହିଳାଜଣକ ଅଦାଲତକୁ ଆସିଥିବା ବ‌େଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଅଦାଲତ ପରିସରରେ ଉପସ୍ଥିତ ଥିବା ଜଣେ ପୁଲିସ ଅଧିକାରୀଗଣ ସେହି ମହିଳାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ।

Leave a Reply

Your email address will not be published. Required fields are marked *