ସାମ୍ବାଦିକ ଦେବାଶିଷଙ୍କ ଅକାଳ ବିୟୋଗ

ଭୁବନେଶ୍ୱର : ସାମ୍ବାଦିକ ଦେବାଶିଷ ରାଉତଙ୍କର ଅକାଳ ବିୟୋଗ ହୋଇଯାଇଛି । ମାତ୍ର ୩୫ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ଗତ ୧୪ ବର୍ଷ ଧରି ସେ ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ରେ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ୪ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଥିଲେ ।
ଦେବାଶିଷ ଆଜି ସକାଳୁ ସକାଳୁ ନିଜ ଶାଶୁଙ୍କୁ ନେଇ ଏମ୍ସ ଯାଇଥିଲେ । ଶାଶୁଙ୍କୁ ଏମସରେ ଛାଡ଼ି ଅଫିସ ଆସିବାକୁ ପ୍ରସ୍ତୁତ ହେଉଥିଲେ । ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ସଙ୍ଗେସଙ୍ଗେ ଏମସରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଦେବାଶିଷଙ୍କ ମୃତ୍ୟୁ ଖବର ପାଇ ସହକର୍ମୀ ଓ ଆତ୍ମୀୟସ୍ୱଜନମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ଗାଁରେ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହୋଇଥିଲା ।
ଦେବାଶିଷଙ୍କ ଅକାଳ ବିୟୋଗରେ ସୂର୍ଯ୍ୟପ୍ରଭାର ପରିଚାଳନା ନିର୍ଦ୍ଦେଶକ ବିକାଶ ସ୍ୱାଇଁ, ସମ୍ପାଦକ ରବି କାନୁନଗୋ, ପରିଚାଳନା ସମ୍ପାଦକ ରାମଚଣ୍ଡୀ ପ୍ରସାଦ ରଣସିଂହ, ପ୍ରସାର ବିଭାଗ ମୁଖ୍ୟ ରବୀନ୍ଦ୍ର ରଥ, ଅଫିସ ପରିଚାଳକ ଦୁଷ୍ମନ୍ତ କୁମାର ପାଣି, ସଂସ୍କରଣ ମୁଖ୍ୟ ବିଜୟ କୁମାର ଖୁଣ୍ଟିଆ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।