ସର୍ବାଧିକ ୱିକେଟ୍‌ ନେବାରେ ବ୍ରାଭୋଙ୍କ ସମକକ୍ଷ ହେଲେ ଚହଲ

ମୁମ୍ବାଇ: ପ୍ରତିଦିନ ଆଇପିଏଲରେ କିଛି ନା କିଛି ରେକର୍ଡ ସୃଷ୍ଠି ହୋଇଥାଏ ବା ଭାଙ୍ଗିଥାଏ । ସେ ଲମ୍ବା ଛକ୍କା ମାରିବାର ହେଉ ଅବା ଅଧିକ କ୍ୟାଚର ଧରିବାର । ସେହିପରି ରବିବାର ପୁଣି ଏକ ନୂଆତ ରେକର୍ଡ ଆଇପିଏଲରେ ଦେଖିବାକୁ ମିଳିଛି ।  ଆଇପିଏଲ୍‌ରେ ଇତିହାସରେ ସର୍ବାଧିକ ୱିକେଟ୍‌ ଦଖଲ କରିବାରେ ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଝବେନ୍ଦ୍ର ଚହଲ ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂ ପ୍ରଶିକ୍ଷକ ଡ୍ବନ୍  ବ୍ରାଭୋଙ୍କ ସମକକ୍ଷ ହୋଇଛନ୍ତି। ଚହଲ ବର୍ତ୍ତମାନ ୧୪୨ ମ୍ୟାଚ୍‌ରୁ ୨୧.୬୦ ହାରରେ ୧୮୩ ୱିକେଟ୍‌ ନେଇସାରିଛନ୍ତି। ବ୍ରାଭୋ ଏହି ସଂଖ୍ୟା ଛୁଇଁବାକୁ ୧୬୧ ମ୍ୟାଚ୍‌ ଖେଳିଥିଲେ। ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଏମାନଙ୍କ ପଛକୁ ପୀୟୂଷ ଚାୱଲା (୧୭୪ ୱିକେଟ୍‌), ଅମିତ ମିଶ୍ରା (୧୭୨ ୱିକେଟ୍‌) ଓ ରବିଚନ୍ଦ୍ରନ ଅଶ୍ବିନ (୧୭୧ ୱିକେଟ୍‌) ରହିଛନ୍ତି। ରବିବାର ଚହଲଙ୍କ ୪ ୱିକେଟ୍‌ ସଫଳତା ସତ୍ତ୍ବେ ରାଜସ୍ଥାନ ରୟାଲ୍ସ ନାଟକୀୟ ଭାବେ ଶେଷ ଓଭର ଛକାରେ ସନରାଇଜର୍ସ ହାଇଦ୍ରାବାଦଠୁ ପରାଜୟ ବରଣ କରିଥିଲା। ମ୍ୟାଚ୍‌ ରାଜସ୍ଥାନ ପଟକୁ ଢଳିଥିଲେ ବି ସନ୍ଦୀପ ଶର୍ମାଙ୍କ ନୋ-ବଲ୍‌ ମହଙ୍ଗା ହୋଇଥିଲା ଏବଂ ଫ୍ରି ହିଟ୍‌କୁ ଅବଦୁଲ ସମଦ ଛକା ମାରି ଦଳକୁ ଜିତାଇଥିଲେ।

Leave a Reply

Your email address will not be published. Required fields are marked *