ରାହୁଲଙ୍କୁ ବୁଝିବାରେ ଭୁଲ୍ କରୁଛି ଓଡ଼ିଶା କଂଗ୍ରେସ, ସାମାଜିକ ନ୍ୟାୟ ବିରୋଧିଙ୍କୁ କୋଳେଇ ନେବାରେ ଦେଖାଉଛି ଆଗ୍ରହ….ମଣ୍ଡଳ କମିସନ ସମୟରେ କ’ଣ ଥିଲା ଏମାନଙ୍କ ଭୂମିକା…

ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ଚାଲିଥାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଭିନ୍ନ ଭାଷଣ ମଧ୍ୟରୁ ଗୋଟିଏ ଭାଷଣକୁ ନେଇ ଚର୍ଚ୍ଚା ଧରିଲା। ଏହି ଭାଷଣଟି ଥିଲା-ସଂଖ୍ୟା ଯାହାର ଯେତେ..ଭାଗ ପାଇବ ସିଏ..ସେତେ । ଏହି ବକ୍ତବ୍ୟ ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସି ଯାଇଥିଲା। କର୍ନାଟକ ଫଳାଫଳ ମଧ୍ୟ ଭଲ ହେଲା। ନୋଏଡ଼ା କୈନ୍ଦ୍ରିକ ଗଣମାଧ୍ୟମ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତୁତ କରିବାକୁ ଲାଗିଲା। ହେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ ଏବଂ କର୍ନାଟକ ପାଖାପାଖି ଶହେ ବିଧାୟକ ସିଦ୍ଧରମୟାଙ୍କୁ ବାଛିଥିଲେ। ହେଲେ ସିଦ୍ଧରମାୟା କାହିଁକି। ପଛୁଆ , ଦଳିତ ଓ ସଂଖ୍ୟାଲଘୁଙ୍କ ମେଳି ଅହିନ୍ଦାଙ୍କ ନେତା ସିଦ୍ଧରମାୟା। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଇଏ ତ ଗଲା କର୍ଣ୍ଣାଟକ କଥା। ଛତିଶଗଡ କଥା ବିଚାର କରାଯାଉ। ସମ୍ପୂର୍ଣ୍ଣ ମୁଖ୍ୟମନ୍ତ୍ରୀତ୍ୱକୁ ଦୁଇ ସମାନ ଭାଗରେ ବିଭକ୍ତ କରାଯିବା ନେଇ ପୂର୍ବ ନିଷ୍ପତ୍ତି ହୋଇଥିଲା। ହେଲେ ସର୍ବଭାରତୀୟ ସ୍ତରରେ ଜାତି ଜନଗଣନା ଦାବି ଏବଂ ବହୁଜନ ବର୍ଗରେ ଭୂପେଶଙ୍କ ଗ୍ରହଣୀୟତା ଏଆଇସିସିକୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା।

       କଂଗ୍ରେସର ଶୀର୍ଷ ନେତୃତ୍ୱ ସାମାଜିକ ନ୍ୟାୟ ଅଭିଯାନକୁ ବୁଝିବାକୁ ଲାଗିଲାଣି। ହେଲେ ଆଶ୍ଚର୍ଯ୍ୟର କଥା ଓଡ଼ିଶା କଂଗ୍ରେସ ଏଆଇସିସି ଆଭିମୁଖ୍ୟ ଓ ରାହୁଲ ଗାନ୍ଧୀଙ୍କ ମନ କଥା ବୁଝିପାରୁ ନାହିଁ। ଓଡ଼ିଶାରେ ପଛୁଆ ବର୍ଗ ସଂଖ୍ୟା ୫୪ ପ୍ରତିଶତରୁ ଅଧିକ। ଏସସି, ଏସଟିଙ୍କ ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ। ରାଜ୍ୟରେ ମଣ୍ଡଳ କମିସନ ରିପୋର୍ଟ ପୂର୍ଣ୍ଣ ଭାବେ ଲାଗୁ ହୋଇନାହିଁ। ବିଜେଡି ଛଦ୍ମବେଶୀ ପଛୁଆବର୍ଗ ପ୍ରେମୀ ଦେଖେଇ ହେଉଛି। ମଣ୍ଡଲ କମିସନକୁ ବିରୋଧ କରି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ବିଜେପି ରାଜ୍ୟରେ ଆନ୍ଦୋଳନ କରିବା କଥା କହିଲାଣି। ହେଲେ ଯେଉଁ ଦଳ ଅଧିକ ମଣ୍ଡଳ କୈନ୍ଦ୍ରିକ ହେବା କଥା, ସେହି ଦଳ ନିଜର ତିନି ଦଶନ୍ଧି ତଳର ଆଭିମୁଖ୍ୟ ବଦଳାଇ ନାହିଁ।

ସାମାଜିକ କର୍ମୀ କିଷାନ୍ ଜ୍ୟୋତି ସୁବୁଦ୍ଧିଙ୍କ କୁହନ୍ତି ଯେ, ନବେ ଦଶକରେ ବିଜୁ ବାବୁଙ୍କ କୋଟରୀ ବିଜୟ ମହାପାତ୍ର-ନରସିଂହ ମିଶ୍ର-ପଞ୍ଚାନନ କାନୁନଗୋ ପ୍ରମୁଖ ମଣ୍ଡଳ କମିସନ ବିରୋଧି ଆଭିମୁଖ୍ୟ ଗ୍ରହଣ କରିଥିଲେ। ଜନତା ଦଳର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ବିଜୁ ବାବୁ ମଣ୍ଡଳ କମିସନ ବିରୋଧରେ ସୁପ୍ରିମକୋର୍ଟ ଗଲେ। ନରସିଂହ ମିଶ୍ର ମଣ୍ଡଳ ବିରୋଧୀ ଲଢେଇରେ ସେନାପତି ସାଜିଥିଲେ। ବିଜୟ ମହାପାତ୍ର ପଛରୁ ଇନ୍ଧନ ଦେବାରେ କୌଣସି ହେଳା କରି ନ ଥିଲେ। ବର୍ତ୍ତମାନ ସମୟରେ କଂଗ୍ରେସର ରାଜ୍ୟ ନେତୃତ୍ୱ ମଣ୍ଡଳ ବିରୋଧୀ ଭଳି ଆଚରଣ କରୁଥିବା ଶ୍ରୀ ସୁବୁଦ୍ଧି କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜୟ ମହାପାତ୍ରଙ୍କୁ କଂଗ୍ରେସ ଆଣିବା ପାଇଁ ଗୋଟିଏ ଗୋଷ୍ଠୀ ଚେଷ୍ଟା କରୁଛି। ଏହା ପରେ  ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କଂଗ୍ରେସ ଆଣିବା ନେଇ ଯୋଜନା କରାଯାଉଛି। ମାତ୍ର ଏହା ହେଲେ କଂଗ୍ରେସ ନେତୃତ୍ୱ ଯେଉଁ ବାର୍ତ୍ତା ଦେବ, ତାହା ଦଳକୁ ବିକଳ୍ପ ବଦଳରେ ମହାକାଳ ଫଳ କରିଦେବ ବୋଲି ସମୀକ୍ଷକମାନେ କହିଛନ୍ତି।

       ଯୁବ ସମୀକ୍ଷକ ଚିନ୍ମୟ କୁମାର କହିଛନ୍ତି ଯେ, ବିଜେଡି ମହିଳା କେନ୍ଦ୍ରିକ ଭୋଟ ବ୍ୟାଙ୍କ୍ ରାଜନୀତି କରୁଛି। ବିଜେପି ସରକାରୀ ବିରୋଧୀ ଭୋଟକୁ ପାଥେୟ କରୁଛି। ହେଲେ କଂଗ୍ରେସ କୌଣସି ବର୍ଗକୁ ଆପଣାଇପାରୁନାହିଁ। ଦଳର ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ ଉଚ୍ଚ ବର୍ଗରୁ ଆସୁଛନ୍ତି। ନିକଟରେ କଂଗ୍ରେସ କରିଥିବା ନଅ ଦଫା ଦାବି ସମ୍ବଳିତ ଆନ୍ଦୋଳନରେ ସାମାଜିକ ନ୍ୟାୟ ପ୍ରସଙ୍ଗ ଉଭାନ ହୋଇଯାଇଥିଲା। ତେଣୁ କଂଗ୍ରେସର ରଣନୀତି ରାଜ୍ୟ ବିଜେପି ପାଇଁ ସୁଯୋଗ ଆଣୁଥିବା ଚିନ୍ମୟ କହିଛନ୍ତି। ସେହିପରି ସୌମ୍ୟ ରଞ୍ଜନ ପଟ୍ଟନାୟାକ ସବୁ ସମୟରେ ନ୍ୟାୟ ସଙ୍ଗତ ସଂରକ୍ଷଣ ବିରୋଧରେ ମତ ପ୍ରକାଶ କରି ଆସିଛନ୍ତି। ମଣ୍ଡଳ ବିରୋଧି ଆନ୍ଦୋଳନକୁ ଇନ୍ଧନ ଯୋଗାଇବାରେ କୌଣସି ହେଳା କରିନାହାନ୍ତି। ତେଣୁ ଏହି ସବୁ ନେତାଙ୍କ ପ୍ରତି କଂଗ୍ରେସ ରାଜ୍ୟ ନେତୃତ୍ୱର ପ୍ରେମ ଫଳପ୍ରଦ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *