କାହାକୁ ଜମି ଦେବାକୁ କଥା ଦେଇଛନ୍ତି  କି ସରକାର ! ନିଷ୍ପତ୍ତି ପରେ ପ୍ରତ୍ୟାହାର ପଛର ଉଦ୍ଦେଶ୍ୟ କ’ଣ ?

ଭୁବନେଶ୍ୱର : ଗତ ୧୪ ତାରିଖ ଦିନ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ Odisha Schedule Area Transfer of Immovable Property (by Schedule Tribes) ୧୯୫୬ ରେଗୁଲେସନରେ ଓଡ଼ିଶା କ୍ୟାବିନେଟ ଦ୍ୱାରା ସଂଶୋଧନ କରାଯାଇଛି ବୋଲି ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।  ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅନୁସୂଚିତ ଜନଜାତିଙ୍କ ବୃହତ୍ତର ସ୍ୱାର୍ଥକୁ ସାମ୍ନାରେ ରଖି ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର କରି ପାରିବେ । ଅଥବା କୃଷି, ଆବାସିକ ଗୃହ ନିର୍ମାଣ, ପିଲା ମାନଙ୍କର ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସର୍ବ ସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତିଙ୍କୁ ମଧ୍ୟ ସମ୍ପତ୍ତି ହସ୍ତାନ୍ତର କରିପାରିବେ। ଏହି ବ୍ୟକ୍ତି ଯେମିତି ଗୃହ ହୀନ ଆଉ ଜମିହୀନ ନ ହୁଏ ସେଥି ପ୍ରତି ଧ୍ୟାନ ଦିଆଯିବ। ଯଦି ଉପଜିଲ୍ଲାପାଳ ଅନୁମତି ନ ଦିଅନ୍ତି ତେବେ ୬ ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ, ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡାନ୍ତ ନିଷ୍ପତ୍ତି ହେବ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ଦୁଇ ଦିନ ପରେ ଏହି ନିଷ୍ପତ୍ତି ସ୍ଥଗିତ ରଖାଗଲା ବୋଲି  ଖୋଦ୍ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜ ସାମାଜିକ ଗଣମାଧ୍ୟମରେ ଘୋଷଣା କଲେ। ଯାହାକୁ ନେଇ ଜନ ଅଧିକାର ପରିଷଦର ଅଧ୍ୟକ୍ଷ ବିଜୟ ପରିଡ଼ା ପ୍ରଶ୍ନ ଉଠାଇଥିଲେ।

ସେ ସମୟରେ ଶ୍ରୀ ପରିଡ଼ା କହିଥିଲେ ଯେ,  କ୍ୟାବିନେଟ ନିଷ୍ପତ୍ତି ଜଣେ ମନ୍ତ୍ରୀ କେମିତି ବିନା କ୍ୟାବିନେଟର ଅନୁମୋଦନ କ୍ରମେ ସ୍ଥଗିତ ହେବା ବୋଲି ଘୋଷଣା କରିବେ। ଅନୁସୂଚିତ ଜନଜାତି ଉନ୍ନୟନ ସଚିବଙ୍କ ତରଫରୁ ଏକ ଚିଠି ଅତିରିକ୍ତ ସଚିବ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦିଆଗଲା, ଯେଉଁଥିରେ ଜନଜାତି ଉପଦେଷ୍ଟା ପରିଷଦର ଏହି ସମ୍ବନ୍ଧୀୟ ନିଷ୍ପତ୍ତିକୁ ବହୁତ ଲୋକ ଆପତ୍ତି ଉଠେଇ ଥିବାରୁ ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଯାଏଁ ଏହାକୁ ସ୍ଥଗିତ ରଖାଗଲା ବୋଲି ଉଲ୍ଲେଖ କରାଯାଇଛି। ଜନଜାତି ଉପଦେଷ୍ଟା ପରିଷଦର ନିଷ୍ପତ୍ତିକୁ ଜଣେ ବିଭାଗୀୟ ସଚିବ ଚିଠି କରି ସ୍ଥଗିତ ରଖିବାକୁ କହୁଛନ୍ତି ପୁଣି ଗୋଟେ କ୍ୟାବିନେଟ ନିଷ୍ପତ୍ତିକୁ ଜଣେ ମନ୍ତ୍ରୀ ସ୍ଥଗିତ ରହିଲା ବୋଲି ଘୋଷଣା କରୁଛନ୍ତି ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଥିଲେ।  ଆଇନତଃ ଏସବୁର କିଛି ମୂଲ୍ୟ ନାହିଁ ‌। ତେଣୁ  ପ୍ରଥମତଃ ଯଦି ସରକାର ଏହି ନିଷ୍ପତ୍ତିକୁ ସ୍ଥଗିତ କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ କ୍ୟାବିନେଟ ବୈଠକ କରି ଘୋଷଣା କରନ୍ତୁ ବୋଲି ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠିଥିଲା।  ଏହା ପରେ ଶୁକ୍ରବାର ପୂର୍ବାହ୍ନରେ ତରବରିଆ ଭାବେ କ୍ୟାବିନେଟ୍ ବୈଠକ ଡକାଯାଇ ଏହି ପ୍ରସ୍ତାବ ପୁର୍ନବିଚାର ପାଇଁ ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟିକୁ ସୁପାରିଶ କରାଗଲା ବୋଲି ନିଷ୍ପତ୍ତି ନିଆଗଲା। ଯାହା ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ପଦାରେ ପକାଇ ଦେଇଛି।

ଉଲ୍ଲେଖଯୋଗ୍ୟ,  ଗତ ଜୁନ ୨୨ ତାରିଖରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ  2005-06ରୁ ୨୦୧୫-୧୬ ମଧ୍ୟରେ ଓଡ଼ିଶାର ଆଦିବାସୀଙ୍କ Operational ଜମିର ୧୨% କମିଛି। CAG ର ଓଡିଟ ରିପୋର୍ଟରୁ କୁହା ଯାଇଛି ଯେ ୨୦୦୫-୦୬ରେ ୧୭.୪୮ ଲକ୍ଷ ହେକ୍ଟର operation ଜମି ଅନୁସୂଚିତ ଜନଜାତିଙ୍କର ଥିବା ବେଳେ ଏହା ୨୦୧୫-୧୬ରେ ୧୫.୩୮ ଲକ୍ଷ ହେକ୍ଟର କମିଛି। ଏଭଳି ଅନେକ ରିପୋର୍ଟ ଏବଂ ଅଧ୍ୟୟନ ପ୍ରମାଣ କରେ ଯେ ଜମି ହାତରୁ ଚାଲିଯିବା ଅନୁସୂଚିତ ଜନଜାତିଙ୍କର ଏକ ପ୍ରମୁଖ ସମସ୍ୟା।  ପ୍ରକାଶ ଥାଉ କି ଅନୁସୂଚିତ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ କଠୋର ଆଇନ ଥିବା ସତ୍ତ୍ବେ ଏସବୁ ଘଟୁଛି। ୨୦୦୦ ମସିହାରେ ଓଡ଼ିଶା ସରକାର ୧୯୫୬ ର ରେଗୁଲେସନକୁ ଆଉ ଟିକେ ସୁଦୃଢ଼ କରିଥିବା ବେଳେ ଏବେ ହଠାତ୍ କାହିଁକି ଏହି ଆଇନକୁ କୋହଳ କରି ହସ୍ତାନ୍ତର ପ୍ରକିୟାକୁ ଅତି ସହଜ କରିବା ନିଷ୍ପତ୍ତି ନେଉଛନ୍ତି ବୋଲି ପ୍ରଶ୍ନ ଉଠିଛି। କ୍ୟାବିନେଟରେ ଆସିଥିବା ପ୍ରସ୍ତାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପରିବର୍ତ୍ତେ ତାଙ୍କୁ ପୁଣି ପୁର୍ନବିଚାର ପାଇଁ ପଠାଇବା ଆଦିବାସୀ ସ୍ୱାର୍ଥ ବିରୋଧରେ ଏକ ସୁନ୍ଦର ଷଡଯନ୍ତ୍ର ବୋଲି ଲିଙ୍ଗରାଜ ଆଜାଦ କହିଛନ୍ତି।

Leave a Reply

Your email address will not be published. Required fields are marked *