ତଥାକଥିତ ହିନ୍ଦୁ ଉଗ୍ରବାଦୀ ସମାଜ ହାତରେ ହତ୍ୟା ହେଉଛି ବେଦ

ଭୁବନେଶ୍ୱର  : (ଯୋଗାଚାର୍ଯ୍ୟ ପ୍ରମୋଦ କୁମାର)- ହୟଗ୍ରୀବର କାମ ବେଦ/ଜ୍ଞାନକୁ ନଷ୍ଟ କରିବା, ବେଦର ପ୍ରକୃତ ମାର୍ଗକୁ ପଥ ଭ୍ରଷ୍ଟ କରିବା। କିନ୍ତୁ ଯେତେବେଳେ ବି ସନାତନୀ ବେଦ ଜ୍ଞାନକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇ ସ୍ୱାର୍ଥରେ ବ୍ୟବହାର କରାଯାଇଛି, ତାହା ରାଜନୀତି ହେଉ, ସମାଜ ବ୍ୟବସ୍ଥା ହେଉ କି ଅର୍ଥନୀତି ହେଉ ସେତେବେଳେ ବରାହ, କୃଷ୍ଣ, ବୁଦ୍ଧ, ଦୟାନନ୍ଦ ସରସ୍ୱତୀ, ଗାନ୍ଧୀ ଆଦି ମହାପୁରୁଷମାନେ ଆସିଛନ୍ତି ଆଉ ବେଦର ପ୍ରକୃତ ମାର୍ଗକୁ ଉଦ୍ଧାର କରିଛନ୍ତି। କିନ୍ତୁ ପରିତାପର ବିଷୟ ଏହା ଯେ ଯେଉଁମାନେ ବି ବେଦର ପ୍ରକୃତ ଜ୍ଞାନ, ଭାରତର ପ୍ରକୃତ ଆଭିମୁଖ୍ୟକୁ ପ୍ରଚାର କରିଛନ୍ତି, ସେମାନଙ୍କୁ ଏହି ତଥାକଥିତ ହିନ୍ଦୁ ଉଗ୍ରବାଦୀ ସମାଜ ହତ୍ୟା କରିଛି।

ସମୟ ଥିଲା ନିଜକୁ ହିନ୍ଦୁ ବୋଲାଉଥିବା କେତେକ ପାଖଣ୍ଡି କହୁଥିଲେ ଯେ ବେଦ କଳିଯୁଗରେ ଲୁପ୍ତ ହୋଇଯାଇଛି। ସେମାନେ ହନୁମାନ ଚାଳିଶା, ଦୁର୍ଗା ସପ୍ତଶତୀ, ସତ୍ୟନାରାୟଣ କଥା ଆଦି ଅନେକ ସୃଷ୍ଟି ନିୟମର ବିରୁଦ୍ଧ ବହୁ କପୋଳକଳ୍ପିତ ପୌରାଣିକ ଗପକୁ ବେଦର ସ୍ଥାନ ଦେଇ, ନିଜର ବ୍ୟବସାୟ ମନୋବୃତ୍ତି ରଖି ସାଧାରଣ ନିରୀହ ଲୋକଙ୍କୁ ଭୁଆଁ ବୁଲେଇ ଚାଲିଲେ। ଶାସନ ବ୍ୟବସ୍ଥା ମଧ୍ୟ ଏହି ଭଣ୍ଡମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ସାୟଣ, ଭଵଟ, ମହୀଧର ଆଦି ମଧ୍ୟକାଳୀନ ବେଦଭାଷ୍ୟକର୍ତ୍ତାମାନେ ବେଦର ଶାଶ୍ୱତ ମର୍ଯ୍ୟାଦା ପରିତ୍ୟାଗ କରି ଭାଷ୍ୟ ରଚନା କଲେ। ସେମାନଙ୍କର ରଚନାରେ ଏକେଶ୍ୱର ଉପାସନା ବଦଳରେ ବହୁକଳ୍ପିତ ଦେବଦେବୀଙ୍କ ଆଡ଼ମ୍ବରପୂର୍ଣ୍ଣ ପୂଜାପାଠ, ଗୁଣକର୍ମଗତ ବ୍ରାହ୍ମଣାଦି ବର୍ଣ୍ଣ ବ୍ୟବସ୍ଥା ପରିବର୍ତ୍ତେ ଜନ୍ମଗତ ଶହ ଶହ ଜାତି ଉପଜାତିର ସୃଷ୍ଟି, ମାତୃଜାତିର ପୂଜା ଓ ବନ୍ଦନା ପରିବର୍ତ୍ତେ ବାଲ୍ୟବିବାହ, ପରଦା ପ୍ରଥା, ସତୀଦାହ ପ୍ରଥା ଆଦି ଭୟଙ୍କର ଆଉ ହୃଦୟ ବିଦାରକ ବ୍ୟବସ୍ଥା ସ୍ଥାନ ପାଇଲା। ବାଲ୍ୟବିବାହକୁ ସମାଜ ବ୍ୟବସ୍ଥାରେ ରଖିବା ପାଇଁ ଏମାନେ ନିକୃଷ୍ଟ ଶ୍ଳୋକମାନ ରଚନା କଲେ।

“ଅଷ୍ଟାବର୍ଷା ଭବେତ ଗୌରୀ, ନବବର୍ଷା ଚ ରୋହିଣୀ।

ଦଶବର୍ଷା ଭବେତ କନ୍ୟା, ତତ ଊର୍ଦ୍ଧ୍ଵମ ରଜସ୍ଵଳା।

ମାତା ଚୈବ ପିତା ତସ୍ୟା, ଜୈଷ୍ଠୋ ଭ୍ରାତା ତଥୈବଚ।

ତ୍ରୟସ୍ତେ ନରକଂ ଯାନ୍ତି, ଦୁଷ୍ଟା କନ୍ୟା ରଜସ୍ଵଳାମ।”

ଏହାର ଅର୍ଥ ଝିଅ ଆଠ ବର୍ଷ ବୟସରେ ଗୌରୀ, ନଅ ବର୍ଷରେ ରୋହିଣୀ, ଦଶ ବର୍ଷରେ ଯାଇ କନ୍ୟା ହୁଏ, ତା ପରେ ସେ ରଜସ୍ୱଳା ହୁଏ। କନ୍ୟା ରଜସ୍ୱଳା ହେବା ପୂର୍ବରୁ ତାହାକୁ ବିବାହ କରେଇ ନ ଥିବା ମାତା, ପିତା ଓ ବଡ଼ଭାଇ ନର୍କରେ ପଡ଼ନ୍ତି। ଏଥିରୁ ଅନୁମାନ କରନ୍ତୁ ଏହି ତଥାକଥିତ ସନାତନୀ କେତେ ନିଷ୍ଠୁର ହୋଇ ପାରନ୍ତି।

ଅଥର୍ବ ବେଦରେ ପ୍ରସିଦ୍ଧ ବ୍ରହ୍ମଚର୍ଯ୍ୟ ସୂକ୍ତରେ କୁହାଯାଇଛି ଯେ-

“ବ୍ରହ୍ମଚର୍ୟେଣ କନ୍ୟା ଯୁବାନମ ବିନ୍ଦତେ ପତିମ”।

ଅର୍ଥାତ ଅବିବାହିତ କନ୍ୟା ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିସାରି ଯୁବକ ପତିଙ୍କୁ ବରଣ କରିବ। ସେ ସମୟ ବ୍ରାହ୍ମଣମାନେ ଚକ୍ରାନ୍ତ କରି ବେଦକୁ ସାଧାରଣ ଲୋକଙ୍କ ଠାରୁ ଦୂରେଇ ରଖିଥିଲେ, କାରଣ କାଳେ ଏମାନେ ବେଦ ସମ୍ପର୍କରେ ପ୍ରକୃତ ତଥ୍ୟ ଜାଣି ସେମାନଙ୍କୁ ପ୍ରତିଆକ୍ରମଣ କରିବେ।

ଅନ୍ୟପକ୍ଷରେ ବେଦ ସମ୍ପର୍କରେ ଏଭଳି ନିକୃଷ୍ଟ ମନ୍ତବ୍ୟ ପଢି ପାଶ୍ଚାତ୍ୟ ଲେଖକମାନେ ଭାରତୀୟ ମହାନ ଗ୍ରନ୍ଥ ବେଦକୁ ଜଙ୍ଗଲୀ ଲୋକଙ୍କ ଗୀତ ବୋଲି କହିବାକୁ ଲାଗିଲେ।

ଠିକ ଏହି ସମୟରେ ମହାପୁରୁଷ ଦୟାନନ୍ଦ ସରସ୍ୱତୀଙ୍କ ଆବିର୍ଭାବ ହୁଏ। ସେ ଭାରତର ନିର୍ଜୀବ ଦେହରେ ନିଜର ଅମୋଘ ଶକ୍ତି, ଦୃଢ଼ତା ଓ ପରାକ୍ରମ ପ୍ରଦାନ କରି ପ୍ରାଣ ସଂଚାର କରିଦେଲେ। ବେଦକୁ ଉଦ୍ଧାର କଲେ। ବେଦବାଣୀର ପ୍ରକୃତ ତଥ୍ୟ ଲୋକଙ୍କ ସାମ୍ନାରେ ରଖିଲେ। ଲୋକଙ୍କ ପାଖରେ ବେଦ ଜ୍ଞାନକୁ ସହଜରେ ପହଞ୍ଚେଇ ଦେଲେ। ଏହା ଦ୍ୱାରା କେତେକ ସମ୍ପ୍ରଦାୟର ବେପାର ବୁଡିବାକୁ ଲାଗିଲା। ସେମାନେ ପ୍ରତିଶୋଧର ନିଆଁରେ ଜଳିବାକୁ ଲାଗିଲେ। ଶେଷରେ ବିଷ ଦେଇ ଏହି ବେଦ ରକ୍ଷକଙ୍କୁ ହତ୍ୟା କରିଦେଲେ।

ସନାତନୀ ଧର୍ମର ମେରୁଦଣ୍ଡ ବେଦ ସମ୍ପର୍କରେ ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ମତ ଥିଲା-

“ବେଦ ପ୍ରକୃତି ଦତ୍ତ ଜ୍ଞାନ ହୋଇଥିବାରୁ ଏଥିରେ ପ୍ରକୃତୀର ବିପରୀତ ଗୁଣ, କର୍ମ, ପ୍ରକୃତୀର ବିପରୀତ ଅସତ୍ୟ, ଅନ୍ୟାୟ, ଅପଵିତ୍ରତା, ହିଂସା, ଘୃଣା, ପରନିନ୍ଦା, ଉଚ୍ଚନୀଚ୍ଚ, ଭେଦଭାବ ଆଦିର କୌଣସି ଉପଦେଶ ନାହିଁ। ବେଦ ସନାତନ ଜ୍ଞାନ ହୋଇଥିବାରୁ ଏଥିରେ ଲୌକିକ ଇତିହାସ ଖୋଜିବା ମୂର୍ଖାମୀ। ବେଦରେ କେବଳ ପାରିବାରିକ, ସାମାଜିକ, ଅର୍ଥନୈତିକ, ଅନ୍ୟର ମଙ୍ଗଳ କରିବାର ମାର୍ଗ ରହିଛି।” ଶେଷରେ ଗୋଟିଏ କଥା ନିଶ୍ଚିତ କହିବି ଯେ ଯେଉଁମାନେ ନିଜକୁ ସନାତନୀ, ଭାରତୀୟ, ହିନ୍ଦୁ ଆଦି କହି ଚିତ୍କାର କରୁଛନ୍ତି ସେମାନେ ନିଜକୁ ପରୀକ୍ଷା କରି ନିଅନ୍ତୁ ଯେ ସେମାନଙ୍କ ପାଖରେ ବେଦ ସମ୍ପର୍କରେ ଦୟାନନ୍ଦ ସରସ୍ୱତୀ କହିଥିବା ଏହି ସବୁ ଗୁଣ ଅଛି ତ???(ମୂଳ ଲେଖାଟି ସ୍ତମ୍ଭକାରଙ୍କ ମୁଖପୁସ୍ତକ ଆକାଉଣ୍ଟରୁ ସଂଗୃହୀତ)

Leave a Reply

Your email address will not be published. Required fields are marked *