ତିବତ ସମସ୍ୟା : ଚୀନ-ଭାରତ ବିବାଦ
ଓ ରସେଲ ମଧ୍ୟସ୍ଥିତା

ନୂଆଦିଲ୍ଲୀ :(ବିଜୟ ସାହୁ )-ସଂପ୍ରତି ନିଶିକାନ୍ତ ଦୁବେଙ୍କ CIA ପ୍ରକରଣ ମାଧ୍ୟମରେ ଯେତେବେଳେ କଥାଟି ବିଜୁବାବୁ ଓ ପଣ୍ଡିତ ନେହେରୁଙ୍କୁ ନେଇ ଚର୍ଚ୍ଚିତ ହେଉଛି , ଯଦିଓ ଇତିମଧ୍ୟରେ ମାନ୍ୟବର ଦୁବେ ନବୀନ ବାବୁଙ୍କ ପରାମର୍ଶ କ୍ରମେ ସୋସିଆଲ ମିଡିଆରେ ଦୁଃଖ ବାର୍ତ୍ତାଟିଏ ପୋଷ୍ଟ କରି ମସ୍ତିଷ୍କ ଚିକିତ୍ସା ପାଇଁ ରାଞ୍ଚିରେ ଆଡ୍ମିସନ କଲେଣି ବୋଲି ସୂତ୍ର କହୁଛି, ତେଣୁ ମୋର ଏହି ପୋଷ୍ଟ କେବଳ ଶୀର୍ଷକ ଉପରେ କେନ୍ଦ୍ରିତ ହେବ ।
ତିବତ ଓ 1962 ଭାରତ ଚୀନ ଯୁଦ୍ଧ ଇସ୍ୟୁ, ନେହେରୁଙ୍କ ଦୁର୍ବଳ ନେତୃତ୍ୱ ଇତ୍ୟାଦି ମଝିରେ ମଝିରେ ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କ ପାଟିରେ ପଶି ଆସିଥାଏ ।
ମୋର ଏହି ଆଲୋଚନା ମଧ୍ୟରେ ପ୍ରମୁଖ ଭାବରେ ଦୁଇ ଜଣ ବ୍ୟକ୍ତିଙ୍କ ନାମ ଆସିବ । ଅନ୍ୟ ଚରିତ୍ରଗୁଡ଼ିକ
ପ୍ରାସଙ୍ଗିକ କ୍ରମେ ଆସିବେ । ଜଣେ ହେଲେ ଚୀନରେ ଭାରତର ପ୍ରଥମ ରାଷ୍ଟ୍ରଦୂତ କେ ଏମ ପାନିକର । ତାଙ୍କର ପରିଚୟ ମୋର ପୂର୍ଵ ପୋଷ୍ଟ ରେ ଉଲ୍ଲେଖ କରି ସାରିଛି । ଦ୍ୱିତୀୟ ବ୍ୟକ୍ତି ହେଲେ ମହାନ ମାନବତାବାଦୀ ଦାର୍ଶନିକ ବର୍ଟାଣ୍ଡ ରସେଲ । ତାଙ୍କର ଯୁଦ୍ଧ ବିରୋଧୀ ଭୂମିକା ଯୋଗୁଁ ବହୁ ବିଳମ୍ବରେ କେବଳ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇଥିଲେ,କିନ୍ତୁ ଶାନ୍ତି ନୋବେଲ ପାଇ ନଥିଲେ ।
କାରଣ ବ୍ରିଟିଶ ସରକାର ତାଙ୍କର ନାମକୁ ନୋବେଲ ଚୟନ କମିଟି ନିକଟକୁ ସୁପାରିଶ କରି ନଥିଲେ ।
ବୋଧେ ତାଙ୍କର ଯୁଦ୍ଧ ବିରୋଧୀ ଭୂମିକା ବ୍ରିଟିଶ ସରକାର ମନକୁ ବାରଣ କରିଥିଲା । ବ୍ରିଟିଶ ପ୍ରଶାସନ ନୀତି ସହିତ ତାଙ୍କର ସମ୍ପର୍କ ଅତ୍ୟନ୍ତ
କୁଖ୍ୟାତ ଭାବରେ ବିତର୍କିତ ଥିଲା । ଯୁଦ୍ଧ ବିରୋଧୀ କାର୍ଯ୍ୟକଳାପ ପାଇଁ
ଦୁଇଥର ଜେଲ ଯାଇଥିଲେ ।ଏପରି କି ରାଷ୍ଟ୍ରଦ୍ରୋହ ଦଫା ଯୋଡିବା ପାଇଁ ସରକାର ସୁଯୋଗ ଖୋଜୁଥିଲେ ।
ତଥାପି ତାଙ୍କୁ ଶାନ୍ତି ନୋବେଲ ପୁରସ୍କାର ଦେବା ପାଇଁ ଅନେକ ବିଶିଷ୍ଟ ବ୍ରିଟିଶ ନାଗରିକ ଓ ରାଜନୈତିକ ବ୍ୟକ୍ତିତ୍ୱ ମନୋନୟନ କରି ଥିଲେ ।
1963 ମସିହାରେ ରସେଲଙ୍କ ନାମକୁ ମାଇକେଲ ଫୁଟ,ଜୟେସ ବଟଲର, ଜନ ମ୍ୟାକି ଓ ହାଉସ ଅଫ କମନ୍ସର ଅନେକ ପ୍ରମୁଖ ରାଜନୀତିବିଦ ମନୋନୟନ କରିଥିଲେ ।
ପ୍ରଭାଵଶାଳୀ ବ୍ରିଟିଶ ଦାର୍ଶନିକ ଓ ବିଦ୍ୱାନ ଏ ଜେ ଆୟେର ଓ ଏଚ ଏଲ ହାର୍ଟ ମଧ୍ୟ ମନୋନୟନ କରିଥିଲେ ।
ଏହି ସମସ୍ତ ମନୋନୟନରେ ପରମାଣୁ ଯୁଦ୍ଧ ବନ୍ଦ ପାଇଁ ତାଙ୍କର କ୍ରିୟାକଳାପ ତଥା କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ଓ ତିବତ ଇସ୍ୟୁରେ ଚୀନ-ଭାରତ ବିବାଦ ବେଳେ  ମଧ୍ୟସ୍ଥିତା ଉଦ୍ୟମ ଦିଗକୁ ଉଲ୍ଲେଖ କରିଥିଲେ । ତଥାପି ନୋବେଲ କମିଟି ତାଙ୍କ ନାମ ଚୟନ କରି ନଥିଲେ ।

ପଣ୍ଡିତ ନେହେରୁଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଶ୍ରଦ୍ଧା ରହିଥିଲା ଓ ନେହେରୁ ଜଣେ Great Democrat ବୋଲି କହୁଥିଲେ । ପଣ୍ଡିତ ନେହେରୁ ପ୍ରଥମେ ରସେଲଙ୍କ ମାନବତାବାଦୀ ରାଜନୈତିକ ଦର୍ଶନ ସମ୍ପର୍କରେ 1912 ମସିହାରୁ ଜାଣିଥିଲେ । ପରବର୍ତ୍ତୀ ସମୟରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଯୋଗୁଁ ଜେଲ ଯିବା ପରେ ରସେଲଙ୍କ ଦାର୍ଶନିକ କୃତି ବିଶେଷ କରି Religion And Science  ଓ A Free man’s Worship ପଢି ପ୍ରଭାବିତ ହେଇଥିଲେ ।
1935 ମସିହାରେ ରସେଲଙ୍କ ସହ ତାଙ୍କର ପ୍ରଥମ ଭେଟ ହେଇଥିଲା ଯେତେବେଳେ ସେ ରସେଲଙ୍କୁ ଜେଲରେ ସାକ୍ଷାତ କରିଥିଲେ ।
ପରବର୍ତ୍ତୀ କାଳରେ ରସେଲ ପଚାଶ ଓ ଷାଠିଏ ଦଶକରେ ନେହେରୁଙ୍କୁ Uncommitted Nations ( ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର) ଜଣେ ପ୍ରମୁଖ ବ୍ୟକ୍ତି ଭାବରେ ବିଚାର କରିଥିଲେ । ରସେଲ ପତ୍ର ବିନିମୟ ମାଧ୍ୟମରେ କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ଓ ଚୀନ-ଭାରତ ଯୁଦ୍ଧରେ ମଧ୍ୟସ୍ତି ହେବା ପାଇଁ ନିଜ ପକ୍ଷରୁ ପ୍ରସ୍ତାବ ଦେଇଥିଲେ ।
ଏଠାରେ ଉଲ୍ଲେଖ କରା ଯାଇପାରେ ରସେଲ ଲଣ୍ଡନରେ ପ୍ରତିଷ୍ଠିତ INDIA LEAGUE ର 1930ରୁ 1938 ପର୍ଯ୍ୟନ୍ତ ଅଧ୍ୟକ୍ଷ ହେଇଥିଲେ । ଏହି ଲିଗ ଭାରତର ସ୍ୱାଧୀନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲା ।  ଏହାକୁ ପ୍ରଥମେ ପ୍ରତିଷ୍ଠା କରିଥିଲେ ଭି କେ କ୍ରୀଷ୍ଣମେନନ ।
ଇତି ପୂର୍ବରୁ ଅବିଭକ୍ତ ବେଙ୍ଗଲ INDIA LEAGUE 1875ରେ ପ୍ରତିଷ୍ଠା ହେଇଥିଲା ,ଏହାକୁ  ଜର୍ଣ୍ଣାଲିଷ୍ଟ ଶିଶିର କୁମାର ଘୋଷ ପ୍ରତିଷ୍ଠା କରିଥିଲେ ।

ବର୍ତ୍ତମାନ ମୂଳ ପ୍ରସଙ୍ଗ ଉପରକୁ ଆସିବି । ପ୍ରଥମ ଇସ୍ୟୁଟି ତିବତ ଓ ଭାରତ ଏବଂ ଚୀନର ଦାବୀ ଉପରେ କେନ୍ଦ୍ରିତ କରିବି ।

ତିବତ ସମସ୍ୟାଟି ଭାରତ ଓ ଚୀନ ମଧ୍ୟରେ ଦିର୍ଘ ବର୍ଷର ଏକ ମୌଳିକ ସମସ୍ୟା । ଚୀନ ବିପ୍ଳବ ପରେ 1950ରେ ଚୀନର ତିବତ ଦଖଲ ଓ 1959ରେ ବୌଦ୍ଧ ଧର୍ମ ଗୁରୁ ଦଲାଇ ଲାମାଙ୍କୁ ଭାରତ ରାଜନୈତିକ ଆଶ୍ରୟ ଦେବା ଘଟଣା ଦୁଇ ଦେଶ ଭିତରେ ଦ୍ବନ୍ଦ୍ୱ ସୃଷ୍ଟି କରିଥିଲା ।
1930 ମସିହାରେ ପ୍ରକାଶିତ ବର୍ଟାଣ୍ଡ ରସେଲ ‘Has Religion Made Useful Contributions To Civilizaton ?’ ପୁସ୍ତକରେ ତିବତୀୟ ସାମାଜିକ ବ୍ୟବସ୍ଥାର ତୀବ୍ର ସମାଲୋଚକ ଥିଲେ । ତିବତର ବୌଦ୍ଧ ପୁରୋହିତତନ୍ତ୍ରକୁ ‘ ଅନ୍ଧକାରବାଦୀ,ସ୍ବୈରାଚାରୀ ଓ ଚରମ ନିଷ୍ଠୁର ଭାବରେ ବର୍ଣ୍ଣନା କରିଥିଲେ । ସେ ଧର୍ମୀୟ ଶ୍ରେଣୀ ବିନ୍ୟାସକୁ ସୁବିଧାପ୍ରାପ୍ତ ଜାତି ଭାବରେ ଉଲ୍ଲେଖ କରିଥିଲେ । ଏମାନେ ବୌଦ୍ଧିକ ଓ ନୈତିକ ଅଗ୍ରଗତିର ବିରୋଧିତା କରିବା ପାଇଁ ନିଜର କ୍ଷମତା ପ୍ରୟୋଗ କରନ୍ତି । ସେ କହିଛନ୍ତି ବୁଦ୍ଧଙ୍କ ମୂଳ ଶିକ୍ଷା ସୌମ୍ୟ/ ସୁଶୀଳ ( amiable ) ପ୍ରତି ତାଙ୍କର ବିରୋଧ ନାହିଁ , ତାଙ୍କର ବିରୋଧ ସଂଗଠିତ ଗୀର୍ଜା ( Organised Tibetan Church )ପ୍ରତି ।
ବର୍ଟାଣ୍ଡ ରସେଲ ବହୁ ପୂର୍ବରୁ ତାଙ୍କର ପ୍ରବନ୍ଧ “Why I Am Not A Christian ” ରେ ଲେଖିଥିଲେ , ଖ୍ରୀଷ୍ଟଧର୍ମ ସମ୍ପର୍କରେ ଯାହା ସତ୍ୟ ତାହା ବୁଦ୍ଧ ଧର୍ମରେ ମଧ୍ୟ ସତ୍ୟ । ବୁଦ୍ଧ ଜଣେ ସୁଶୀଳ ଓ ପ୍ରବୁଦ୍ଧ ଥିଲେ ।  କିନ୍ତୁ ବୁଦ୍ଧିଷ୍ଟ ପୁରୋହିତତନ୍ତ୍ର , ଉଦାହରଣ ସ୍ୱରୂପ ତିବତରେ ଯାହା ବିଦ୍ୟମାନ ତାହା ହେଉଛି ସ୍ୱୈରାଚାରୀ,ଅନ୍ଧକାରବାଦୀ ଓ ସର୍ବୋଚ୍ଚ ସ୍ତରର ନିଷ୍ଠୁରତା । ଧର୍ମ ଓ ଏହାର ପ୍ରବର୍ତ୍ତକ ମଧ୍ୟରେ ଏହି ପାର୍ଥକ୍ୟ କୌଣସି ପ୍ରକାର ଆକସ୍ମିକତା ନୁହେଁ । ଯେତେବେଳେ ଜଣେ ବ୍ୟକ୍ତିର କଥନକୁ ଶାଶ୍ୱତ ସତ୍ୟ ବୋଲି ଗ୍ରହଣ କରି ନିଆଯାଏ,ସେତେବେଳେ ଦଳେ ଧର୍ମଗୁରୁ ସେହି କଥନକୁ ଅଭ୍ରାନ୍ତ ଶକ୍ତି ବୋଲି ଦର୍ଶାଇଥାନ୍ତି ।”
ରସେଲ ଏହି ଦୁଇ ଧର୍ମର ପ୍ରବର୍ତ୍ତକ ବୁଦ୍ଧ ଓ ଯୀଶୁଙ୍କ ନୈତିକ ଶିକ୍ଷାକୁ ଉଚ୍ଚ ମର୍ଯ୍ୟାଦା ପ୍ରଦାନ କରିଛନ୍ତି,କିନ୍ତୁ
ପୁରୋହିତତନ୍ତ୍ର ବର୍ଗକୁ ସ୍ୱୈରତନ୍ତ୍ର ଓ ପ୍ରଗତିର ବାଧକ ବୋଲି କହିଛନ୍ତି ।
ବର୍ଟାଣ୍ଡ ରସେଲ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ତର୍କସଂଗତ ବିଚାରର ବର୍ତ୍ତାବହ ଥିଲେ,କିନ୍ତୁ ପ୍ରାକ-ଆଧୁନିକ ଧର୍ମାନ୍ଧ ସମାଜର ଭାବନାତ୍ମକ ରକ୍ଷକ ନଥିଲେ ।ତେଣୁ ଲାମାବ୍ୟବସ୍ଥାକୁ ଜନ୍ମଜାତ ପ୍ରଗତିର ବାଧକ ଓ ଜନଗଣଙ୍କ ପ୍ରତି ନିଷ୍ଠୁରତାର ପ୍ରତୀକ ଭାବରେ ବିଚାର କରୁଥିଲେ । ଏହି ବ୍ୟବସ୍ଥାକୁ ପୁନଃ ପ୍ରତିଷ୍ଠା କରିବା ଅଥବା ସ୍ୱାଧୀନତା ନାଁ ରେ ରାଜନୈତିକ ସ୍ୱତନ୍ତ୍ରତା ପ୍ରଦାନ ସପକ୍ଷରେ ସେ ଓକିଲାତି କରି ନଥିଲେ । ଯଦିଓ ଅଧିକାଂଶ ଭାରତୀୟ ନେତା ତିବତ ସ୍ୱାଧୀନତା ସପକ୍ଷରେ ମତ ଦେଇଥିଲେ ଯାହା ପ୍ରସଙ୍ଗ କ୍ରମେ ଆଲୋଚନା ପରିସର ଭିତରକୁ ଆସିପାରେ । ସେ ଦୁର୍ବଳ ଦେଶମାନଙ୍କ ବିଦେଶୀ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ, କିନ୍ତୁ ତିବତ କ୍ଷେତ୍ରରେ
ତାଙ୍କର ଭିନ୍ନ ମତ ଥିଲା । 1912 ମସିହାରୁ 1950 ପର୍ଯ୍ୟନ୍ତ ତିବତର
De-facto Independence ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ସ୍ୱୀକୃତି ହାସଲ କରି ପାରି ନଥିଲା ।
ଗାନ୍ଧୀଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କଲାଭଳି ତିବତ ସ୍ୱାଧୀନତାକୁ  ଗୁରୁତ୍ୱ ପ୍ରଦାନ କରି ନଥିଲେ ।

1959 ମସିହା ପରେ ଭାରତ ଦଲାଇ ଲାମାଙ୍କୁ  ନିଜର ଅତିଥି ଭାବରେ ଆଶ୍ରୟ ଦେଲା ଓ ଚୀନର ତିବତ ମିଶ୍ରଣ ଘଟଣାରେ ଉଦ୍ବେଗ ପ୍ରକାଶ କଲା । ଭାରତ ଚୀନ ସୀମା ବିବାଦ ସହ ଏହି ଘଟଣା ଓତୋପ୍ରୋତ ଭାବରେ ଜଡ଼ିତ । ଚୀନ  ତିବତୀୟ ଶରଣାର୍ଥୀଙ୍କୁ ଭାରତର ସମର୍ଥନ ଓ ମ୍ୟାକମୋହନ ଲାଇନ ଉପରେ ଗୁରୁତ୍ୱ ପ୍ରଦାନ କରିବା ଘଟଣାକୁ ଚୀନ ଆଭ୍ୟନ୍ତରୀଣ ସମସ୍ୟା ଉପରେ ହସ୍ତକ୍ଷେପ ବୋଲି ଅଭିଯୋଗ କଲା । ତେଣୁ ବର୍ଟାଣ୍ଡ ରସେଲଙ୍କ ମୂଳ ଲକ୍ଷ୍ୟ ରହିଲା ତିବତକୁ କେନ୍ଦ୍ର କରି ଯେମିତି ଯୁଦ୍ଧ ନ ହେଉ ।”1962 was a national failure of which every Indian is guilty .It was a failure in the higher direction of war ,a failure of opposition ,a failure of the general staff ( myself included ); it was a failure of responsible public opinion and the press . For the Government it was a Himalayan Blunder at all levels -(Preface)” – Author

ପୁସ୍ତକଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢିଲେ ଯାହା ସାରାଂଶ ଜଣା ପଡେ
ଭାରତ କୌଣସି ପ୍ରକାର ତିବତ ସମସ୍ୟାରେ ହସ୍ତକ୍ଷେପ କରିବା କଥା ନୁହେଁ ଓ ଏହା ସହିତ ସୀମା ବିବାଦ ଯୋଡିବା କଥା ନୁହେଁ । ବ୍ରିଗେଡିୟର ଚୀନରେ ଭାରତର ପ୍ରଥମ ରାଷ୍ଟ୍ରଦୂତ କେ ଏମ ପାନିକରଙ୍କ ଚାଇନା ପଲିସି ସହ ଏକମତ ହେଇଛନ୍ତି ।
ଆମର ସେତେବେଳେ ମୂଳ ସମସ୍ୟା ଥିଲା ଆମେରିକା ଓ ବ୍ରିଟିଶ ଆମକୁ ସେମାନଙ୍କ ଗୋଷ୍ଠୀରେ ସାମିଲ ହେବା ପାଇଁ ସିଆଇଏ ମାଧ୍ୟମରେ ଷଡ଼ଯନ୍ତ୍ର କରୁଥିଲା ଓ ଆଉ ଗୋଟିଏ ଗୋଷ୍ଠୀ ସୋଭିଏତ ସମାଜବାଦୀ ବ୍ଲକ ସହ ସାମିଲ ହେବା ପାଇଁ ପ୍ରୟାସ କରୁଥିଲେ । କେବଳ ରାଜନୈତିକ ତୁଙ୍ଗ ନେତା ନୁହଁନ୍ତି ( ନେହେରୁଙ୍କ ବିରୋଧୀ କଂଗ୍ରେସର ଦକ୍ଷିଣପନ୍ଥୀ ଗୋଷ୍ଠୀ ମଧ୍ୟ ) ଶିଳ୍ପପତିମାନେ, ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ରର ତଥାକଥିତ ମୁକ୍ତସ୍ୱର ଗୋଷ୍ଠୀ ମଧ୍ୟ ଦୁଇ ଭାଗ ହେଇ ଯାଇଥିଲେ ।
ପୁଣି ଲୋହିୟାବାଦୀ ସମାଜବାଦୀ ଗୋଷ୍ଠୀ ଓ ସ୍ୱୟଂ ଲୋହିୟା କୌଣସି ପ୍ରକାର ନେହେରୁଙ୍କୁ କ୍ଷମତା ଚ୍ୟୁତ କରିବା ଏକମାତ୍ର ଲକ୍ଷ୍ୟ ରଖିଥିଲେ । ତେଣୁ ସେମାନଙ୍କ ଦାବୀ ଥିଲା ଆମେ ଚୀନ ଗୋଷ୍ଠୀ ଭିତରେ ସାମିଲ ନ ହେଇ ତୃତୀୟ ଗୋଷ୍ଠୀ ସୃଷ୍ଟି କରିବା । ଅର୍ଥାତ ଚୀନକୁ ଆମେରିକା ଭଳି ଏକ ଘରିଆ କରିବା ।
ଚୀନକୁ ସେମାନେ ଶତ୍ରୁ ନମ୍ବର ୱାନ ବୋଲି ଧରି ନେଇଥିଲେ ।
ଏହାର ପ୍ରତିଫଳନ ଆମର ପ୍ରତିରକ୍ଷା ନୀତି,ତିବତ ନୀତି ଓ ଶେଷରେ ଚୀନ ନୀତି ଭିତରେ ପ୍ରତି ଫଳିତ ହେଇଥିଲା ଯାହାକୁ ଫରୱାର୍ଡ ପଲିସି ବା ଆକ୍ରମଣାତ୍ମକ ନୀତି ଭାବରେ ବର୍ଣ୍ଣନା କରା ଯାଏ ।
ଫରୱାର୍ଡ ପଲିସିକୁ ନେହେରୁଙ୍କ ମାନସ ପୁତ୍ର ଭାବରେ ଅନେକ ଚର୍ଚ୍ଚା କରନ୍ତି , କିନ୍ତୁ ପୁସ୍ତକଟି ପୂରା ପଢିଲେ ଭିନ୍ନ କଥା ଜଣାପଡେ ଓ ଏହା ସମ୍ପର୍କରେ ନାନା ମୁନୀଙ୍କ ନାନା ମତ ବାହାରକୁ ଆସେ ।

ଏହି ଦିଗକୁ ଲେଖକ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯାହାର କିଛି ଅଂଶ ନିମ୍ନରେ ଉଲ୍ଲେଖ କରୁଛି –
” ନେହେରୁଙ୍କ ସମ୍ପର୍କରେ ( କିଛି ସାମରିକ ପଦପଦବୀରେ ନିଯୁକ୍ତିର ଯଥାର୍ଥତା ଓ ଯୋଗ୍ୟତା ପ୍ରଶ୍ନ ନେଇ ) ଅଭିଯୋଗମୂଳକ ଲେଖିବା ମୋ ପାଇଁ ଅତ୍ୟନ୍ତ ଅରୁଚିକର ଲାଗୁଥିଲା ।ମୋ ପିଢ଼ିର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପିଲାଦିନୁ ନେହେରୁ ଜଣେ ନାୟକ ଓ ପ୍ରତୀକ ଥିଲେ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ” he was epitome of the Indians who could tilt lances with the British on equal terms . He was the aristocrat who had voluntarily given up wealth and position to fight for the downtroden and spent over10years in British jails  to give us  self-respect and freedom . It was said that he refused British Honour and Positions .Nehru was  the man to whom no Indian would criticise lightly . I have often regretted the fact that I became involved in a situation that revealed his shortcomings “( P-95)

ବ୍ରିଗେଡିୟର ପୁଣି ଲେଖିଛନ୍ତି –
ଭାରତୀୟ ଜନଗଣଙ୍କ ପାଇଁ ନେହେରୁ ଅପରିହାର୍ଯ୍ୟ ହେଇଗଲେ ।ତାଙ୍କର ବ୍ୟକ୍ତିଗତ ଓ ଆବେଗିକ ଆହ୍ୱାନ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁ ଥିଲା ।ସେ ଅନେକ ସମୟରେ କହିଲେ ଭାରତର ଜନଗଣଙ୍କ ପ୍ରେମ ଓ ଶ୍ରଦ୍ଧା ତାଙ୍କୁ ଅତୁଳନୀୟ ଶକ୍ତି ଯୋଗାଇଛି । କିନ୍ତୁ ଏକଥା ସତ୍ୟ, ତାଙ୍କର ସମ୍ଭ୍ରାନ୍ତ ପୃଷ୍ଠଭୂମି, ସମ୍ପତ୍ତି, ହାରୋ ଓ କେମ୍ବ୍ରିଜ ଶିକ୍ଷା ଓ ସାଂସ୍କୃତିକ ପୃଷ୍ଠଭୂମୀ ସହିତ ଭାରତୀୟ କୃଷକ କିମ୍ବା ତାଙ୍କର କଂଗ୍ରେସ ସହକର୍ମୀଙ୍କ କୌଣସି ଦିଗରୁ ମେଳ ଖାଉ ନଥିଲା । ସେ ନିଜର କ୍ୟାବିନେଟ ସହକର୍ମୀ ଓ ରାଜ୍ୟ ପାର୍ଟି ମୁଖିଆ ତଥା ସାଧାରଣ ଭାରତୀୟଙ୍କ ସହ ସମ୍ବାଦ କରିବା ( Communicate ) ଅସମ୍ଭବ ହେଇ ପଡ଼ିଲା । କ୍ରମଶଃ ସେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜ ନିକଟରେ ସଂରକ୍ଷଣ କରି ନେଲେ । ସର୍ଦ୍ଦାର ପଟେଲଙ୍କ 1950ରେ ମୃତ୍ୟୁ ପରେ ଏହି ଲକ୍ଷଣ ଅଧିକ ପରିସ୍ଫୁଟ ହେଲା , ସର୍ଦ୍ଦାର ପଟେଲଙ୍କ ହିଁ ସଂଗଠନ ଓ ଦେଶ ଭିତରେ ତାଙ୍କ ସହ ସମକକ୍ଷ   ପ୍ରଭାବୀ ଥିଲେ । କ୍ରମଶଃ ନେହେରୁଙ୍କ ନିକଟରେ ସେମାନେ ବାମନ ଓ ବଶୀଭୂତ ହେଇଗଲେ ।   ତାଙ୍କର ଜଣେ କ୍ୟାବିନେଟ ସହଯୋଗୀଙ୍କ ମତରେ( ଏସ କେ ପାଟିଲ, କ୍ୟାବିନେଟରେ କୃଷି ମନ୍ତ୍ରୀ ) , ସେ ଗୋଟିଏ ବିଶାଳ ବଟବୃକ୍ଷ ସମାନ ଥିଲେ, ଯାହାର ଛାୟାରେ ଘାସଟିଏ ମଧ୍ୟ କଅଁଳିଲା ନାହିଁ । “
ବ୍ରିଗେଡିୟରଙ୍କ ଏହି ବଟବୃକ୍ଷ ଉକ୍ତି
ନେହେରୁଙ୍କ ସମୟରେ ଭାରତରେ ଆମେରିକା ରାଷ୍ଟ୍ରଦୂତ ଜନ କେନେଥ ଗାଲବ୍ରେଥ ମଧ୍ୟ ତାଙ୍କର ସ୍ମୃତିଲେଖରେ ଉଲ୍ଲେଖ କରିଛନ୍ତି ।
ବ୍ରିଗେଡିୟର ପୁଣି ଲେଖିଛନ୍ତି-
” He became and meekly accepted as the benevolent moghul who took the final decision on all major,even in trivial matters, till he convinced of his own omniscience and infallibilty .
Nehru was a mortal and he could but succumb to adulation of the people and sycophancy of the Congress and Goverment Officials .
People are equally to blame for placing him on an unnatural pedestral . In the circumstances ,the Indian China policy was to confront China and not to surrender to force , and inwardly he hoped for a political solution “

ଯେହେତୁ 1962 ଚୀନ ଭାରତ ଯୁଦ୍ଧରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ
ପ୍ରତିରକ୍ଷା ପରାମର୍ଶଦାତା ଭାବରେ
ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାର ଲାଇନ୍ସ ଦ୍ଵାରା ସେନା
ସାମଗ୍ରୀ ଯୋଗାଣ ଓ ଏଥିରେ ହେରଫେର , କଳାବଜାରୀ ସମ୍ପର୍କରେ କିଛି ଅଭିଯୋଗ ଆସିଛି ଓ ଏହାର ପ୍ରମାଣ ସ୍ୱରୂପ ସେତେବେଳର ବ୍ରିଗ୍ରେଡିୟର ଜେ ପି ଡାଲଭିଙ୍କ ପୁସ୍ତକ Himalayan Blunder କୁ ଉଲ୍ଲେଖ କରା ଯାଇଛି ତେଣୁ ପ୍ରଥମେ ଏହି ପୁସ୍ତକର ତଥ୍ୟ ସମ୍ପର୍କରେ କିଛି ଆଲୋଚନା କରି  ଚୀନ-ଭାରତ ଯୁଦ୍ଧ ଉପରେ ମୋ ପୋଷ୍ଟର କ୍ରମନ୍ଵୟ ଭାଗରେ ଆଲୋଚନା କରିବି ।
ପ୍ରଥମେ Himalayan Blunder ପୁସ୍ତକର ମୁଖବନ୍ଦ ଲେଖିଥିବା ବିଖ୍ୟାତ ଜର୍ଣ୍ଣାଲିଷ୍ଟ, ଅକ୍ସଫୋର୍ଡ ବିଦ୍ୱାନ, ବର୍ମା ଓ ଚୀନରେ ଯୁଦ୍ଧ ରିପୋର୍ଟର ଓ ଲେଖକ ଫ୍ରାନ୍ସିସ ରବର୍ଟ ମୋରେଶଙ୍କ ପୁସ୍ତକ Mao’s China Report ରୁ କିଛି ଉଲ୍ଲେଖ କରିବି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରବର୍ଟ ମୋରେଶ ପଣ୍ଡିତ ଵିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ନେତୃତ୍ୱରେ ଚୀନ ବିପ୍ଳବ ପରେ1952 ବେଳକୁ ଏକ 6 ସପ୍ତାହ ସାଂସ୍କୃତିକ ଆଦାନ ପ୍ରଦାନ ଦଳରେ ଚୀନ ଭ୍ରମଣ କରିଥିଲେ । ଏହା 14 ଜଣିଆ ଗୋଷ୍ଠୀ ଥିଲା ଓ ସେଥିରେ ବିଶିଷ୍ଟ ସମାଜବାଦୀ ନେତା ତଥା ବି ଏଚ ୟୁ ର ପ୍ରଫେସର ଆଚାର୍ଯ୍ୟ ନରେନ୍ଦ୍ର ଦେବ ମଧ୍ୟ ଯାଇଥିଲେ । ସେତେବେଳେ କେ ଏମ ପାନିକର ଚୀନରେ ରାଷ୍ଟ୍ରଦୂତ ଥିଲେ ।
ତାଙ୍କର ରିପୋର୍ଟ ଜଣେ ସାମ୍ବାଦିକ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟବେକ୍ଷଣ କରିଥିବା ସେତେବେଳର ଚୀନର ଚାକ୍ଷୁଷ ରିପୋର୍ଟ । ଏହା ପୁସ୍ତକ ଆକାରରେ ପ୍ରକାଶ ହେବା ପରେ ସମକାଳୀନ New York Times,Asian Survey ମଧ୍ୟ ଏହାକୁ” Balanced ,down to earth ” ରିପୋର୍ଟ ବୋଲି ସମୀକ୍ଷା କରିଥିଲେ ।
ରବର୍ଟ ରିପୋର୍ଟରେ Extreme ideological praise or condemation ମତ ରଖି ନଥିଲେ । ଜଣେ ଅଭିଜ୍ଞ ଜର୍ଣ୍ଣାଲିଷ୍ଟ ରିପୋର୍ଟ ହିଁ କରିଥିଲେ ।
ସେ ଲେଖିଛନ୍ତି, ” A highly organized ,disciplined society with marching workers, students and children ; widespread of slogans ,songs ,dances and blue uniforms under red flags  society. He noted a the ” harsh and  hurried ” overlay of a new “marshal dictatorship” on an ancient tired civilization -likening it to ” mating of bamboo with blood and iron “

ରବର୍ଟ ମୋରେଶ ତାଙ୍କ ପୁସ୍ତକରେ ଭୂସଂସ୍କାର, ଅର୍ଥନୈତିକ ପରିବର୍ତ୍ତନ, ଶିକ୍ଷା ଓ ନୂଆ ସରକାରଙ୍କ ଢାଞ୍ଚା,ମହିଳା ଅଧିକାର, ବିବାହ, ଛାଡପତ୍ର, ତିବତ ବୌଦ୍ଧ ଲାମା ,ବୈଜ୍ଞାନିକ ଗବେଷଣା ଇତ୍ୟାଦି ଅନେକ ବିଷୟ ଉପରେ ଚୀନର ସର୍ବୋଚ୍ଚ ନେତା, ଫ୍ୟାକ୍ଟ୍ରି ଶ୍ରମିକ, କୃଷକଙ୍କ ସହ ଆଲୋଚନା ଉଲ୍ଲେଖ କରିଛନ୍ତି । ସାମଗ୍ରିକ ଭାବରେ ଏକ ଉଦୟମାନ ଓ ଗତିଶୀଳ ଅଥଚ ସାମୁହିକ ଜନ ଭାଗୀତା ଦ୍ଵାରା ମୁଣ୍ଡ ଡେକୁଥିବା ଚୀନ ଉଲ୍ଲେଖ କରିଛନ୍ତି । ମାଓ ସେତୁଙ୍ଗଙ୍କ ପ୍ରାଥମିକ ଆନୁଗତ୍ୟ ମାର୍କ୍ସବାଦୀ ଆଦର୍ଶ ପ୍ରତି ଥିଲା, ଅନ୍ଧ ମସ୍କୋ ମୁହାଁ ନଥିଲା । କୋରିଆ ଯୁଦ୍ଧରେ ମସ୍କୋ ଭୂମିକା ମଧ୍ୟ ମାଓ ସେତୁଙ୍ଗ ଉଲ୍ଲେଖ କରିଥିଲେ ।
ଉପ ସଂହାରରେ ଲେଖିଛନ୍ତି –

“By a quirk of fate Asia’s two most densely populated countries ,which are also neighbours,are the testing ground for two differing and contending philosophies .If China proves that her system of government ensures economic security to the vast mass of people without ditracting greatly from their sense of freedom ,Asia will be lost to Communism .If India ,on
the otherhand , demonstrates democratic government can ensure not only econonomic security but individual liberty ,then India will be won to democracy .What India and China are today doing is wrestling for political soul of Asia .( P-207)
ଏହି Political wrestling ଏସିଆର ଦୁଇ ମହାନ ଓ ପ୍ରାଚୀନ ସଭ୍ୟତାର ଦେଶ ଦ୍ୱୟଙ୍କୁ  ଭାରତ ଓ ଚୀନର ରାଜନୈତିକ-ସାମରିକ ନୀତି ନିର୍ଦ୍ଧାରକଙ୍କ ଦ୍ଵାରା ବ୍ରିଟିଶ ରାଜ ଦ୍ୱାରା ସୃଷ୍ଟ ସୀମା ବିବାଦ ଆଲୋଚନା ଟେବୁଲରୁ ଦୂରେଇ Himalayan Blunder ଆଡକୁ  ଟାଣି ନେଇ ନଥିଲା କି ?
କ୍ରମଶଃ-

Leave a Reply

Your email address will not be published. Required fields are marked *