ଆସୁଛି ବିଜେଡିର ବିକାଶ ପୁସ୍ତକ, ଏଥିରୁ ଉଭାନ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ବିଧାୟକ …

ଭୁବନେଶ୍ୱର :  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲା। ଏହା ପରେ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସର୍ବନିମ୍ନ ପାଞ୍ଚଶହ ଟଙ୍କା ଭତ୍ତା ବୃଦ୍ଧି କରାଯିବ। ପୂର୍ବରୁ ଆମ ଓଡ଼ିଶା , ନବୀନ ଓଡ଼ିଶାରେ ଯୋଜନାରେ ପ୍ରକଳ୍ପ ଘୋଷଣା ହୋଇସାରିଛି। ନିର୍ବାଚନ ଘୋଷଣା ତାରିଖ ପାଖେଇବା କ୍ଷଣି ପ୍ରକଳ୍ପ ଶୁଭାରମ୍ଭ ଓ ଶିଳାନ୍ୟାସର ବନ୍ୟା ଆସିବ। ନିର୍ବାଚନକୁ ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଏବଂ 5-ଟି ଉପକ୍ରମ କାର୍ଯ୍ୟକ୍ରମ କୈନ୍ଦ୍ରିକ କରାଯାଉଛି। କୌଣସି ବିଧାୟକ,ଏମପି, ଜନ ପ୍ରତିନିଧି ନୁହଁନ୍ତି, କେବଳ ନବୀନଙ୍କ ନାଁରେ ଏବଂ ପାଣ୍ଡିଆନଙ୍କ ରଣନୀତିଓ କାର୍ଯ୍ୟକ୍ରମ ଦ୍ୱାରା ହିଁ ସବୁ ସମ୍ଭବ ହେଉଛି। ବିଜେଡିର ସମସ୍ତ ବିଧାୟକ, ଏମପିମାନଙ୍କୁ ଗୌଣ କରି ଏକ ବୁକ୍ ଲେଟ୍ ବାହାରିବାକୁ ଯାଉଛି। ଏହା ରାଜ୍ୟସ୍ତରୀୟ, ଜିଲ୍ଲା ସ୍ତରୀୟ କି ବ୍ଲକ ସ୍ତରୀୟ ହୋଇନାହିଁ। ଏହାକୁ ପଞ୍ଚାୟତସ୍ତରୀୟ କରାଯାଇଛି। ରାଜ୍ୟ ସ୍ତରର କିଛି ବୃହତ କାର୍ଯ୍ୟକ୍ରମ ସହ ସେହି ପଞ୍ଚାୟତରେ ହୋଇଥିବା ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯାଇଛି। ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଧାୟକ କିମ୍ବା ସାଂସଦଙ୍କ ଫଟୋ ଦୂରର କଥା, ସେମାନଙ୍କ ନାଁ ନାହିଁ। ଓଡ଼ିଶା ପତ୍ରିକା ହାତରେ ଲାଗିଥିବା ବରଗଡ଼ ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତର ବୁକଲେଟ୍ ରୁ ଏହା ଜଣାପଡିଛି।

ପ୍ରଥମ ପୃଷ୍ଠାରେ ଓଡ଼ିଶା ସରକାରଙ୍କ ଲୋଗୋ ଏବଂ 5-ଟି ଉପକ୍ରମ କାର୍ଯ୍ୟକ୍ରମର ଲୋଗୋ ରହିଛି। ଦ୍ୱିତୀୟରେ ନବୀନ ପଟ୍ଟନାୟକ ଏକ ଫଟୋ ରହିଛି। ସେହିପରି ତୃତୀୟରେ ପାଣ୍ଡିଆନ ସମବେତ ଜନତାଙ୍କୁ ଉଦବୋଧନ ଦେଉଥିବା ଦେଖାଯାଇଛି। ଏହା ପରେ ମହିଳା ସଶକ୍ତୀକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମହିଳା କାର୍ଡ, କ୍ରୀଡା଼ ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ବିଷୟରେ ରଖାଯାଇଛି। ଏହା ପରେ ପଞ୍ଚାୟତ କୈନ୍ଦ୍ରିକ କାର୍ଯ୍ୟ ଗୁଡ଼ିକର ବିବରଣୀ ପ୍ରଦାନ କରାଯାଇଛି। ପଞ୍ଚାୟତ ବିକାଶକୁ ଲକ୍ଷ୍ୟ କରି ପ୍ରାୟ 16ରୁ 25 ପୃଷ୍ଠାର ଏହି ବୁକ୍ ଲେଟ୍ ପ୍ରସ୍ତୁତ କରାଯାଇଛି। ବୁକ୍ ଲେଟ୍ ଶେଷକୁ 2024 ମସିହାରେ ଏକ କ୍ୟାଲେଣ୍ଡର ରଖାଯାଇଛି। କିଛିଦିନ ମଧ୍ୟରେ ଦଳର କର୍ମୀମାନେ ଏହା ବଣ୍ଟନ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *