AICC କେତେ ସିରିୟସ୍ ପିସିସି ସଭାପତି ଚୟନ ଓ ପ୍ରସଙ୍ଗ ଆଭିମୁଖ୍ୟରୁ ଜଣାପଡିବ

ଭୁବନେଶ୍ୱର : ସବୁ ସମୟରେ ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ନିର୍ବାଚନୀ ସଫଳତା ପାଇ ନ ଥାଏ। କୌଣସି ପ୍ରସଙ୍ଗକୁ ଆୟୁଧ କରି ହିଁ ରାଜନୀତି ନିର୍ଦ୍ଦାରଣ ହୋଇଥାଏ। ଯାହା ଗତ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଛି। କେନ୍ଦ୍ରରେ ସମ୍ବିଧାନ ବଞ୍ଚାଅ-ସଂରକ୍ଷଣ ବଞ୍ଚାଅ ସ୍ଲୋଗାନ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତାରୁ ଦୂରେଇ ରଖିଥିଲା। ଅନୁରୂପ ଭାବେ ଓଡ଼ିଶାରେ ଓଡ଼ିଆ ଅସ୍ମିତା କଥା ବିଜେପିକୁ ସଫଳତା ଆଣିଦେଲା। ବର୍ତ୍ତମାନ ସମୟରେ ଏହି ଦୁଇ ପ୍ରସଙ୍ଗ ପୁରୁଣା ହେବାକୁ ବସିଥିଲା। ହେଲେ ଲାଟେରାଲ ଏଣ୍ଟ୍ରି ଏବଂ ଏସସିଏସଚଟି କ୍ଲାସିଫିକେସନ୍ ପୁଣି ସମ୍ବିଧାନକୁ ମୁଖ୍ୟ ଧାରା କୁ ଆଣିଦେଲା। ରାଜ୍ୟରେ ବିଜେପିର ବିଜୟ ଓ ବିଜେଡିର ପରାଜୟ ପରେ କଂଗ୍ରେସର ପୂର୍ବ ସ୍ଥିତି ସୁଧୁରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଉଛି। ହେଲେ ଏହି ସୁଯୋଗକୁ ରାଜନୈତିକ ଭାବେ ଠିକ୍ ବାଟରେ ନ ନେଲେ କଂଗ୍ରେସ ସେହି ସଫଳତା ଲାଭ କରିବ ନାହିଁ। ଏ ଦିଗରେ ଏଆଇସିସିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ। କାରଣ ଏଆଇସିସି ପ୍ରଥମ ଥର ପାଇଁ ସାମାଜିକ ନ୍ୟାୟ ପ୍ରସଙ୍ଗ ଉଠାଇଛି। ଆଉ ଓଡ଼ିଶା ଏହି ସାମାଜିକ ନ୍ୟାୟ ପରୀକ୍ଷଣରେ ଶ୍ରେଷ୍ଠ ସ୍ଥାନ।

ଓଡ଼ିଶାରେ ଆଦିବାସୀଙ୍କ ସଂଖ୍ୟା ପ୍ରାୟ ୨୨ ପ୍ରତିଶତ। ଅନୁରୂପ ଭାବେ ଅନୁସୂଚିତ ଜାତି ତଥା ଦଳିତଙ୍କ ସଂଖ୍ୟା ୧୬ ପ୍ରତିଶତ। ପଛୁଆବର୍ଗଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏଠି ପଛୁଆବର୍ଗକୁ ଚାକିରୀରେ ମାତ୍ର 11 ପ୍ରତିଶତ ସଂରକ୍ଷଣ ମିଳୁଛି। ସେମାନଙ୍କୁ 16 ପ୍ରତିଶତ ସଂରକ୍ଷଣରୁ ବଂଚିତ କରାଯାଇଛି। ଓଡ଼ିଶା ଠାରୁ ଢେର ସମୃଦ୍ଧ ରାଜ୍ୟରେ ସଂରକ୍ଷଣ ସୀମା ଅଧିକ ରହିଛି। ଏହା ତ ଗଲା କେବଳ ଚାକିରୀ କଥା। ଶିକ୍ଷା କଥା ଆହୁରି ଉଦବେଗ ଜନକ। ଯଦି ଉଚ୍ଚଶିକ୍ଷା କଥା ବିଚାର କରାଯାଏ, ତେବେ ପଛୁଆବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ। ମାତ୍ର ଯେଉଁ ବର୍ଗ ଅତୀତରେ ଏକଚାଟିଆ ଭାବେ ଶିକ୍ଷାକୁ ନିଜ କରାୟତ୍ତରେ ରଖିଥିଲା। ଯେଉଁ ବର୍ଗର ଲୋକ ଏହି ରାଜ୍ୟରେ ଅଧିକ ସମୟ କାଳ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜବଂଶର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀକୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଉଛି। ଏହାକୁ କୌଣସି ସମୟରେ ବିରୋଧ କରାଯାଇନାହିଁ। ମାତ୍ର ଛଅ ପ୍ରତିଶତ ଲୋକ ଦଶ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ଆଦିବାସୀ ଏବଂ ଦଳିତମାନଙ୍କୁ ଡାକ୍ତରୀ ଏବଂଇଂଜିନିୟରିରେ ସଂଖ୍ୟାନୁପାତରେ ୩୮ ବଦଳରେ ମାତ୍ର ୨୦ ମିଳୁଛି। ତେଣୁ ଶିକ୍ଷାରେ ସଂଖ୍ୟାନୁପାତରେ ସଂରକ୍ଷଣ ପାଉ ନ ଥିବା ବର୍ଗ ଚାକିରୀରେ ସଂରକ୍ଷଣ କେମିତି ହାତେଇବେ। ତେଣୁ କଂଗ୍ରେସ ସାମାଜିକ ନ୍ୟାୟ ପରୀକ୍ଷଣକୁ ନେଇ କେତେକ ଚିନ୍ତିତ। ତାହା ପରବର୍ତ୍ତୀ ପିସିସି ସଭାପତି ଓ କମିଟି ଚୟନରୁ ଜଣାପଡିବ।
