ବୟସ୍କଙ୍କୁ ବଡ଼ ଦେଉଳ ଭ୍ରମଣ କଟକଣା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା

ପୁରୀ : ‘ ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁନି। ଅଯଥା ଭିଡ଼ରେ ଯନ୍ତ୍ରଣା ପାଆନ୍ତୁନି’। ବୋଲି ଦିନକ ପୂର୍ବରୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ସାର୍ବଜନୀନ ନିବେଦନ କରିଥିଲେ। ବିଶେଷ ଭାବେ କାର୍ତ୍ତିକ ମାସ ଓ ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଶ୍ରୀମନ୍ଦିରରେ ଗହଳି ରହୁଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ କାରଣ ଓ ତା’ର ନିରାକରଣର ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି। ଏ ଉପରେ ପରିଚାଳନା କମିଟି ବୈଠକ ବସିବ। ପରିଚାଳନା କମିଟି ବୈଠକ ନିଷ୍ପତ୍ତିକ୍ରମେ ଯାହା କିଛି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏବେ ଚାରିଦ୍ୱାର ଖୋଲିବନି ମଧ୍ୟ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ସୂଚନା ଦେଇଥିଲେ। ମାତ୍ର ପ୍ରଶାସନର ଏପରି ନିଷ୍ପତ୍ତି ପରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବାର୍ତ୍ତା ପ୍ରକାଶ ପାଇବାରେ ଲାଗିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସକ ମୁଣ୍ଡ ଖରାପ ହୋଇ ଗଲାଣି। ତାଙ୍କୁ ଚିକିତ୍ସା ଦରକାର। ତାଙ୍କର ମାନସିକ ବିକୃତି ଘଟିଛି। ସେ ତୁରନ୍ତ ସସପେଣ୍ଡ ହେବା ଦରକାର ବୋଲି ଶ୍ରୀ ବାହିନୀପତି କହିଛନ୍ତି। ଗଣମାଧ୍ୟମ ବ୍ୟକ୍ତିତ୍ୱ ହରିହର ତ୍ରିପାଠୀ କହିଛନ୍ତି ଯେ, ଓ ! ପ୍ରବଳ ଜ୍ଞାନ ଆମ ଶ୍ରୀମନ୍ଦିର ପ୍ରଶାସକଙ୍କର । ଜଣେ ବେଦାନ୍ତି । ଈଶ୍ୱର ସବୁଆଡେ ଅଛନ୍ତି । ଯୋଉଠି ମୁଣ୍ଡିଆ ମାଇଲେ ଶୁଣିବେ । ଏ ଜ୍ଞାନ କାହାର ଥିଲା କି ?  ହେ ରାଜ୍ୟବାସୀ ଜ୍ଞାନୀ ହୁଅ !! ତେବେ ବାବୁ ଯଦି ଠାକୁର ସବୁଆଡେ ଅଛନ୍ତି ତେବେ କୋଟି କୋଟି ଖର୍ଚ୍ଚ କରି ଶ୍ରୀମନ୍ଦିର ସଜାଉଛ କାହିଁକି ? ପରିକ୍ରମା ପ୍ରକଳ୍ପ କୋଉଥିପାଇଁ ? କଣ ଟୋକାଟୋକି ରିଲ କରିବାକୁ ହଉଛି ??? ଯଦି ବୁଢାବୁଢୀଙ୍କ ଡାକ ଠାକୁର ସବୁଆଡେ ଶୁଣି ପାରିବେ ତେବେ ଟୋକା ଟୋକିଙ୍କ ଡାକ କଣ ଶୁଣି ପାରିବେନି ? ସେମାନେ ମନ୍ଦିର କାହିଁକି ଯିବେ ? ଯଦି ସେମାନେ ଯାଇ ପାରିବେ ତେବେ ବୁଢାବୁଢିଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହବନି କାହିଁକି ?? ତମ ବୁଦ୍ଧିକୁ କୋଟି ପ୍ରଣାମ । ଶ୍ରୀମନ୍ଦିରକୁ ଏକ ମ୍ୟୁଜିୟମ ଘୋଷଣା କରି ସିକ୍ୟୁରିଟି ଜଗାଇ ଦିଅ | ବିଚରା ଜଗାକୁ ଛତିଆ ପଠେଇ ଦିଅ ! ମାଳିକା କଥା ସତ ହେଇଯାଆନ୍ତା.. ବୋଲି ଲେଖି ଶ୍ରୀ ତ୍ରିପାଠୀ କଟାକ୍ଷ କରିଛନ୍ତି। ଅନୁରୂପ ଭାବେ ସାମ୍ବାଦିକ ରାମଚଣ୍ଡୀ ପ୍ରସାଦ ରଣସିଂହ ଲେଖିଛନ୍ତି ଯେ, ଯେଉଁଠି ଡାକିଲେ ବି ଭଗବାନ ଶୁଣିବେ, ତେଣୁ ବୟସ୍କ ଓ ରୋଗାକ୍ରାନ୍ତ ଆସନ୍ତୁ ନାହିଁ । ଶ୍ରୀମନ୍ଦିରପ୍ରଶାସକ ତାହେଲେ ତ ସବୁବେଳେ ବି ଦିଅଁ ଡାକ ଶୁଣିବେ, ଟୋଟାଲ ମନା କରିଦିଅ, କେହି ଯିବେନି। ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ହେଉବୋଲି ଶ୍ରୀ ସିଂ କହିଛନ୍ତି। କିଷାନ୍ ବରାଇ କହିଛନ୍ତି ଯେ, ଜୀବନର ଶେଷ ସମୟରେ ଜଣେ ଓଡ଼ିଆର ଶେଷ ଇଚ୍ଛା ଥାଏ ଜଗା ଦର୍ଶନ ପ୍ରଶାସନ ସେ ପାଇଁ ବି ମନାକଲାଣି ଶ୍ରୀମନ୍ଦିରକୁ ଦେଖୁ ଦେଖୁ ଏମାନେ କ’ଣ କରିଦେଲେ  ବୋଲି ବରାଇ କହିଛନ୍ତି।

Leave a Reply

Your email address will not be published. Required fields are marked *