ଚକମା ଦେଇପାରେ ବିଜେପି ପ୍ରଭାବିତ ନିର୍ବାଚନ କମିସନ, ଏଭଳି ପରିସ୍ଥିତିରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି

ଭୁବନେଶ୍ୱର : ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ତନ୍ମଧ୍ୟରୁ ଚାରୋଟି ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବହୁଳ ଭାବେ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇନାହିଁ। ଏମିତି ବି ନକ୍ସଲ ମୁକାବିଲାରେ ରାଜ୍ୟ ଆଗୁଆ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଗୃହ ମନ୍ତ୍ରୀ ସାର୍ଟିଫିକେଟ ଦେଇ ଯାଇଛନ୍ତି। ତେଣୁ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଇସି ଚିନ୍ତା କରୁଛନ୍ତି। ନିର୍ବାଚନ ପାଖରେ ନ ଥିଲେ ବି ଏହି ସବୁ ପ୍ରସ୍ତୁତି ଏବଂ ଭିତ୍ତିଭୂମି ଦେଖିବା ପାଇଁ ଗତ ସେପ୍ଟେମ୍ବର ୧୮ ତାରିଖରେ ଏକ ଟିମ୍ ଓଡ଼ିଶା ଆସିଥିଲା।
ପୂର୍ବରୁ ବିଜେଡି ଦୁଇ ଏବଂ ଚାରି ପର୍ଯ୍ୟାୟରେ ନିର୍ବାଚନ ଲଢିଛି। ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଲେ ଆଞ୍ଚଳିକ ଦଳ ହୋଇଥିବାରୁ ପ୍ରଚାରରେ ଅସୁବିଧା ପଡିବ ବୋଲି ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଅନୁଭବ କରୁଛି। ଏହି ଫର୍ମୁଲାର ସଙ୍କେତ ପ୍ରୋ-ବିଜେପି କେତେକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଆକଳନ କରିଛନ୍ତି। ତେଣୁ ବିଜେଡି ନୂଆବର୍ଷ ପୂର୍ବରୁ ସାଙ୍ଗଠନିକ ନିଯୁକ୍ତି, ବୁଥ୍ କମିଟି ଏବଂ ଭୋଟର ଟ୍ୟାଗିଂ କାମ ସାରିବ ବୋଲି ଜଣାପଡିଛି। ଦଳୀୟ କର୍ମୀ ଅପେକ୍ଷା ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ସରକାରୀ ଯୋଜନାର କିଭଳି ବ୍ୟାପକ ପ୍ରଚାର ପ୍ରସାର ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି।