ଆଗୁଆ ନିର୍ବାଚନ ନ କରି ପଶ୍ଚାତାପ କରୁଛି ବିଜେଡି , ଶାସକ ବିରୋଧି ଜନମତ ବୃଦ୍ଧି ନେଇ ଚିନ୍ତାରେ ଦଳ

ଭୁବନେଶ୍ୱର: ବିଜେଡି ବିରୋଧରେ ଜନମତ ଅଛି। ମାତ୍ର ତାହାକୁ ବିରୋଧି ମାନେ ଆୟପଧ କରି ବିଜେଡିକୁ କଡା ଟକ୍କର ଦେଇ ପାରୁନାହାନ୍ତି। ଏପରିକି ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସହ ସମ୍ପର୍କ ଏହା ପାଇଁ ଦାୟୀ ବୋଲି କୁହାଯାଉଛି। କିଛିମାସ ପୂର୍ବରୁ ବିଜେପି ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ବାର୍ତ୍ତା ତୃଣମୂଳରେ ବିଜେପି କର୍ମକର୍ତ୍ତାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥିଲା। ମାତ୍ର ହିନ୍ଦୀଭାଷୀ ତିନୋଟି ରାଜ୍ୟର ଫଳାଫଳ ପରେ ଏହା ଅପସରି ଯାଉଥିବା ଆଲୋଚନା ହେଉଛି।

ଏହି ଗସ୍ତ କାଳରେ ଅମିତ ଶାହା , ତତ୍କାଳୀନ ପ୍ରଶାସନିକ ଅଧିକାରୀ ଭି.କେ ପାଣ୍ଡିଆନ୍ ଙ୍କୁ ଭେଟିଥିଲେ। ଏହି ଖବର ମଧ୍ୟ ରାଜ୍ୟ ନେତୃତ୍ୱ ପାଇଁ ଲୋକହସାର କାରଣ ହୋଇଥିଲା। ମାତ୍ର ଦିନକ ପୂର୍ବରୁ ବି.ଏଲ୍ ସନ୍ତୋଷଙ୍କ ଦ୍ୱାରା ପ୍ରେରିତ ଜଣେ ନେତା ରାଜ୍ୟ ନେତୃତ୍ୱଙ୍କୁ ଭେଟି ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ଯଦି ଆଗୁଆ ନିର୍ବାଚନ କରିବାକୁ କୁହାଯାଇଥାନ୍ତା। ତେବେ ସେ ଫାଇଦା ପାଇଥାନ୍ତେ। ବିଜେପି ହିନ୍ଦୀ ଭାଷୀ ଅଞ୍ଚଳରେ ଫୋକସ୍ କରିଥାନ୍ତା। ବିଜେଡି ଅନାୟସରେ ନବେ କିମ୍ବା ଶହେରୁ ଉର୍ଦ୍ଧ୍ୱ ଆସନ ଜିତିଥାନ୍ତା। ମାତ୍ର ଏହି ରାଜ୍ୟର ଫଳାଫଳ ପରେ ବିଜେଡି ବିରୋଧି ମତ ଆହୁରି ବୃଦ୍ଧି ପାଇବ। ନୂଆ ରଣନୀତି ଅନୁଯାୟୀ ନିର୍ବାଚନକୁ ମୋଦି ବନାମ ଭି.କେ ପାଣ୍ଡିଆନ୍ କରାଯାଇ ବିଜେଡିକୁ ଅକଳରେ ପକାଯିବ। ପଚାଶ ଆସନରେ ବିଜେଡି ବିଦ୍ରୋହୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ, ତେଣୁ ବିଜେଡ଼ିର ବହୁ ଆସନ ହ୍ରାସ ପାଇବ। ତେଣୁ ଅମିତ ଶାହାଙ୍କ ଶେଷ ଗସ୍ତ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ନେତା ଜଣଙ୍କ କହିଛନ୍ତି। ଦୁଇଦିନ ପୂର୍ବରୁ ଆୟକର ସକ୍ରିୟ ହେବା ପରେ ଇଡି ଏବଂ ସିବିଆଇ ସକ୍ରିୟ ହେବାର ଆଭାସ ମିଳିଲାଣି। ତେଣୁ ଭାଜପାକୁ ଡରି ବିଜେଡି ଆଗୁଆ ନିର୍ବାଚନ ନ କରିଥିବାରୁ ଦଳର ରଣନୀତିକାରମାନେ ପଶ୍ଚାତାପ କରୁଛନ୍ତି। ଗତଥର କେସିଆର ଏହି କୌଶଳରେ ଭଲ ଭାବେ ବିଧାନସଭା ନିର୍ବାଚନରୁ ବାହାରି ଆସିଥିଲେ।

ବିଜେଡିର ବହୁ ନେତା ନିଜ ଆସନରେ କଡା ଟକ୍କରର ସମ୍ମୁଖୀନ ହେବ। ଏମାନଙ୍କ ପୂର୍ବ ଭୋଟ ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି।ସେମାନେ ଦଳ ପାଇଁ ସେତେଟା ସମୟ ଦେଇପାରିବେ ନାହିଁ। ଏପରିକି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମତ ଜନମତ ରହିଛି। ଦେବୀ ମିଶ୍ର, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ସମୀର ରଞ୍ଜନ ଦାସ, ରାଜା ସ୍ୱାଇଁ, ବ୍ୟୋମକେଶ ରାୟ ଅନାୟସରେ ନିର୍ବାଚନ ବୈତରଣୀ ପାର ହେଉନାହାନ୍ତି। ତେଣୁ ଏହି ନେତାମାନେ ପୂର୍ବଭଳି ଦଳକୁ ସମୟ ଦେବେ, ତାହା ଲାଗୁନାହିଁ। ତେଣୁ ରାଜନୈତିକ ବାର୍ତ୍ତାକୁ ମାସକ ମଧ୍ୟରେ ପରିବର୍ତ୍ତନ କରିହେବ ବୋଲି ବିଜେପି ନେତୃତ୍ୱ ଅନୁଭବ କଲାଣି।
